ଭୁବନେଶ୍ବର: ସରିଲା ଖରା ଛୁଟି। ଦୁଇ ମାସ ଧରି କ୍ଲାସରୁମ୍‌ ପାଠପଢ଼ା ବନ୍ଦ ପରେ ଆଜି କିଛି ଜିଲ୍ଲାର ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ କିଛି ଜିଲ୍ଲାରେ ଏବେ ମଧ୍ୟ ଗ୍ରୀଷ୍ମ ଛୁଟି ବଳବତ୍ତର ରହିଛି। ପ୍ରଥମ ଦିନରେ ରାଜ୍ୟର ପ୍ରାୟ ୩୦ ହଜାର ସରକାରୀ ଓ ଘରୋଇ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରି ନାହିଁ। ଅଧିକାଂଶ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦% ଛୁଇଁ ନାହିଁ। କୌଣସି ଗୋଟିଏ ବି ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ହୋଇ ନ ଥିବା ଜଣାପଡ଼ିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଲାଗି ରହିଥିବାରୁ ପିଲାମା‌ନେ ବିଦ୍ୟାଳୟକୁ ଆସିବାକୁ ଆଗ୍ରହ ଦେଖାଇ ନାହାନ୍ତି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ତାପମାତ୍ରାରେ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ନଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

Advertisment

ଗୋଟିଏ ପଟେ ପିଲାଙ୍କ ଉପସ୍ଥାନ ନୈରାଶ୍ୟଜନକ ହୋଇଛି। ଆଉ ଅନ୍ୟପଟେ ପ୍ରଥମ ଦିନ ହୋଇଥିବାରୁ ରାଜ୍ୟର କିଛି ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ସ୍କୁଲ କ୍ୟାମ୍ପସ ସଫେଇ ହୋଇ ନାହିଁ ତ ଆଉ କେଉଁଠି ଛାତ୍ରଛାତ୍ରୀ ନ ଆସିବାରୁ ସ୍କୁଲ କ୍ୟାମ୍ପସରେ ଖାଁ ଖାଁ ପରିବେଶ ଲାଗିରହିଥିଲା। ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରେ କ୍ୟାମ୍ପସରେ ପିଲାଙ୍କୁ ଦେଖିବାକୁ ମିଳି ନ ଥିଲା। ଅନେକ ସରକାରୀ ବିଦ୍ୟାଳୟ କ୍ୟାମ୍ପସରେ ଅଳିଆ ଅବର୍ଜନା ପଡ଼ି ରହିଥିବାର ଦେଖିବାକୁ ମିଳିଛି। କ୍ଲାସରୁମ୍‌ଗୁଡ଼ିକରେ ଧୂଳିର ଆସ୍ତରଣ ପଡ଼ିଥିବାରୁ ପିଲାଙ୍କୁ ନାକେଦମ ହେବାକୁ ପଡ଼ିଛି। କାଁ ଭାଁ ସ୍କୁଲରେ ପ୍ରଥମ ଦିନ ପାଠପଢ଼ା ସ୍ୱାଭାବିକ ହୋଇଛି। ଅନ୍ୟପକ୍ଷରେ ବୁଧବାର(ଜୁନ୍‌ ୧୯)ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଥିବା ସରକାରୀ ବିଦ୍ୟାଳୟରେ ସ୍କୁଲ ସୁରକ୍ଷା ସପ୍ତାହ ପାଳନ କରାଯିବ। ୧୯ ତାରିଖରେ ସ୍କୁଲ ସୁରକ୍ଷା କମିଟି ବୈଠକ, କ୍ୟାମ୍ପସ ଯାଞ୍ଚ, ଭିତ୍ତିଭୂମିରେ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରାଯିବ। ୨୦ ତାରିଖରେ କାନ୍ଥ/ଛାତ ମରାମତି, ସ୍କୁଲ କ୍ୟାମ୍ପସ ସଫେଇ, ରୋଷେଇ ଗ୍ୟାସ, ପେଟ୍ରୋଲ, ‌କିରୋସିନ୍‌, ଏସିଡ୍‌, ଲ୍ୟାବ୍‌ କେମିକାଲ ପରି ସମଗ୍ରୀକୁ ସୁରକ୍ଷିତ ଭାବେ ରଖିବା ଏବଂ ୨୧ ତାରିଖରେ ଶୌଚାଳୟ କାର୍ଯ୍ୟକାରୀ, ମରାମତି, ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ୨୪ ତାରିଖରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସୁରକ୍ଷା ସମ୍ପର୍କରେ ପରାମର୍ଶ ଦେବା ସହ ଶପଥ ପାଠ କରାଇବେ। ସେହିଦିନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସୁରକ୍ଷା ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋଚନା କରାଯିବ। ୨୫ ତାରିଖରେ ବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବା ସହ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ରଖାଯିବ। ସ୍କୁଲ ସୁରକ୍ଷା ପାଣ୍ଠିରୁ ୨୦୦୦, କମ୍ପୋଜିଟ୍‌ ସ୍କୁଲ ଗ୍ରାଣ୍ଟରୁ ୧୦%, ଆମ ସଂସ୍କୃତି ଆମ ଖେଳନାରୁ ୫,୦୦୦, ଛାତ୍ରଛାତ୍ରୀ ଓ ଶିକ୍ଷକ ତାଲିମ ବାବଦରେ ୫୦୦ ଟଙ୍କା ଏହି ସପ୍ତାହ ପାଳନ ବାବଦରେ ଖର୍ଚ୍ଚ କରାଯିବ।