ପିଲା ଚୋରିକୁ ନେଇ ଏସ୍‌ସିବି ପୁଣି ବଦନାମ

ପ୍ରତାପନଗରୀରୁ ମିଳିଲା କନ୍ୟା; ପୁଅକୁ ଖୋଜୁଛି ପୁଲିସ

କଟକ : ଶିଶୁ ଚୋରି ଘଟଣାକୁ ନେଇ ପୁଣି ବଦନାମ ହୋଇଛି କଟକ ବଡ଼ ଡାକ୍ତରଖାନା। ଆଇସିୟୁରେ ଭର୍ତ୍ତି ହେବାର ମାତ୍ର ଅଧଘଣ୍ଟା ଭିତରେ ଜଣେ ନବଜାତ ଶିଶୁ କନ୍ୟା ହଠାତ୍ ଗାଏବ ହୋଇ ଯାଇଥିଲେ। ପ୍ରତାପନଗରୀର ଜଣେ ବ୍ୟକ୍ତି ଏହି ଶିଶୁକୁ ନେଇଯାଇଥିଲେ। ଧରାପଡ଼ିବା ପରେ ସେ ଫେରସ୍ତ କରିଛନ୍ତି। କିନ୍ତୁ, ତାଙ୍କ ଶିଶୁ ପୁତ୍ର ଆଇସିୟୁରୁ ଚୋରି ହୋଇଯାଇଥିବା ଭଳି ସଂଗିନ ଅଭିଯୋଗ ସେ ଆଣିଛନ୍ତି। ପୂର୍ବରୁ ବଡ଼ ଡାକ୍ତରଖାନା ଶିଶୁ ଚୋରି ଘଟଣାରେ ଖରାପ ରେକର୍ଡ ଥିବାବେଳେ ପୁଣି ସମାନଧରଣର ଘଟଣାକୁ ନେଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବାଲିସାହିର ତୋଫାନ କୁମାର ଜେନାଙ୍କ ପତ୍ନୀ ତିଳୋତ୍ତମା ବିଶ୍ବାଳ ପ୍ରସବ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ିବାରୁ ତାଙ୍କୁ ପୁରୀରୁ କଟକ ବଡ଼ ଡାକ୍ତରଖାନାକୁ ଗଲା ୨୨ ତାରିଖରେ ଅଣା ଯାଇଥିଲା। କଟକରେ ସେ ଦିନ ପ୍ରାୟ ୧୦ଟା ୩୦ରେ ପହଞ୍ଚିବା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୩ ନମ୍ବର ଵାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଦିନ ରାତି ପ୍ରାୟ ୧୦ଟା ବେଳେ ତାଙ୍କର ପ୍ରସବ ହୋଇଥିଲା। ଦୁଇଟି ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ତିଳୋତ୍ତମା। ସୋମବାର ଦିନ ତାଙ୍କୁ ଡିସ୍‌ଚାର୍ଜ କରିବାକୁ ଡାକ୍ତର କହିଥିଲେ। ସୋମବାର ଦିନ ପ୍ରାୟ ୧୦ଟା ବେଳେ ଡାକ୍ତର ରାଉଣ୍ଡରେ ଆସି ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ତାଙ୍କ ସାନ ଝିଅର ଜଣ୍ଡିସ୍ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅପରାହ୍ନ ପ୍ରାୟ ୩ଟା ବେଳେ ସାନ ଝିଅକୁ ସେହି ବିଭାଗର ଦ୍ବିତୀୟ ମହଲାରେ ଥିବା ଆଇସିୟୁରେ ତୋଫାନଙ୍କ ଭଉଣୀ ରାନୀ ଭର୍ତ୍ତି କରିଥିଲେ। ଏପଟେ ତିଳୋତ୍ତମାଙ୍କ ରକ୍ତ ଅଭାବ ଥିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା। ପାଖରେ ବଡ଼ ଝିଅ ଥିଲା। ସେପଟେ ସାନ ଝିଅ ଆଇସିୟୁରେ ଭର୍ତ୍ତି ହେବାର ପ୍ରାୟ ଅଧଘଣ୍ଟା ଅର୍ଥାତ ୩ଟା ୩୦ ବେଳେ ଆଇସିୟୁର ଦୁଇ ଜଣ ନର୍ସ ଛୁଆ ଚୋରି ହୋଇଥିବା ସମ୍ପର୍କରେ ତିଳୋତ୍ତମାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ। ଏହି ଘଟଣା ପ୍ରଘଟ ହୋଇଯିବା ପରେ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ତୋଫାନ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି।

ମହିଳାଙ୍କ ଅଭିଯୋଗ; ତାଙ୍କ ପୁଅକୁ ବିକି ଝିଅ ଧରାଇ ଦେଇଥିଲେ
ମହିଳା ଧରାପଡ଼ିବା ପରେ ମିଛ କହୁଛନ୍ତି: ଏସ୍‌ସିବି କର୍ତ୍ତୃପକ୍ଷ

ସିସି କ୍ୟାମେରା ଫୁଟେଜ ଯାଞ୍ଚ ପରେ ଆଇସିୟୁରୁ ପ୍ରତାପନଗରୀ କୈବର୍ତ୍ତ୍ୟ ସାହିର ଜଣେ ବ୍ୟକ୍ତି ଶିଶୁ କନ୍ୟାକୁ ନେଇଥିବା ଜଣାପଡ଼ିଥିଲା। ପୁଲିସ ତାଙ୍କୁ ଠାବ କରି ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି। କିନ୍ତୁ, ଆଉ ଏକ ନୂଆ ଅଡ଼ୁଆ ସାମନାକୁ ଆସିଛି। ସେହି ଆଇସିୟୁରେ ଚିକିତ୍ସିତ ହେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ୨୧ ଦିନର ଶିଶୁପୁତ୍ର ଗାଏବ୍ ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଶିଶୁପୁତ୍ର ବଦଳରେ ତିଳୋତ୍ତମାଙ୍କ ଶିଶୁ କନ୍ୟାଙ୍କୁ ନେଇଯାଇଥିବା କହିଛନ୍ତି। କିନ୍ତୁ, ତାଙ୍କ ଶିଶୁ ପୁତ୍ର ଗାଏବ୍ ଥିବା ଅଭିଯୋଗ କରିବା ପରେ ପୁଲିସ ଏବେ ଅଡ଼ୁଆରେ ପଡ଼ିଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ସମସ୍ତ ଶିଶୁ ରୋଗୀଙ୍କ ରେକର୍ଡ ଯାଞ୍ଚ କରାଯାଉଛି। କୈବର୍ତ୍ତ୍ୟ ସାହିର ଏହି ବ୍ୟକ୍ତିଙ୍କ ଶିଶୁ ପୁତ୍ର ଅସୁସ୍ଥ ହୋଇପଡ଼ିବାରୁ ତାକୁ ଗଲା ୨୧ ଦିନ ହେବ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୋମବାର ଡିସ୍‌ଚାର୍ଜ ହେବାପରେ ଆଇସିୟୁରେ ଥିବା ନର୍ସ ତିଳୋତ୍ତମାଙ୍କ ଶିଶୁ କନ୍ୟାକୁ ଧରାଇ ଦେଇଥିବା ସେ ପୁଲିସ ସାମ୍‌ନାରେ କହିଛନ୍ତି।

ତେବେ ଏଭଳି କେଳେଙ୍କାରୀ ପଛରେ ବଡ଼ ଡାକ୍ତରଖାନା କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି।  କୈବର୍ତ୍ତ୍ୟ ସାହିର ଏହି ବ୍ୟକ୍ତିଙ୍କ ଶିଶୁକୁ ବିକ୍ରି କରାଯାଇଥିବା ବେଳେ ତା’ ବଦଳରେ ତାଙ୍କୁ ତିଳୋତ୍ତମାଙ୍କ ଶିଶୁ କନ୍ୟାକୁ ଧରାଇ ଦେଇଥିବା ସନ୍ଦେହ କରାଯାଉଛି। ମଙ୍ଗଳାବାଗ ଥାନା ପୁଲିସ ଆଇସିୟୁରେ ପହଞ୍ଚି ଗଲା ୨୧ ଦିନର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏ ସଂପର୍କରେ ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ଯେ ଯେଉଁ ମହିଳା ଶିଶୁପୁତ୍ର ଗାଏବ କଥା କହୁଛନ୍ତି, ସେ ସଂପୂର୍ଣ୍ଣ ମିଛ କହୁଛନ୍ତି। ଏସ୍‌ସିବିର ରେକର୍ଡରେ ତାଙ୍କର ନାମ ବି ନାହିଁ। ଧରାପଡ଼ିଯିବା ପରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ରାଉତ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଗଲା ୨୨ ତାରିଖରେ ତଳ ବାଲିଯାତ୍ରା ପଡ଼ିଆରେ ରହୁଥିବା ଜଗତସିଂହପୁର ବାଲିକୁଦା ଅଞ୍ଚଳର ରବୀନ୍ଦ୍ର କୁମାର ସାହୁଙ୍କ ଶିଶୁ କନ୍ୟାଙ୍କୁ ଚୋରି କରି ୧୦ ହଜାର ଟଙ୍କାରେ ବିକ୍ରି କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ କୁନି ମୁଣ୍ଡାକୁ ଗିରଫ କରିଥିଲା। ଏହି ମାମଲାରେ ଶିଶୁଟିକୁ କିଣିଥିବା ସଦର ଶ୍ରୀକୋରୁଆଁ ଅଞ୍ଚଳର ଦିବାକର ସାହା ଏବେ ବି ଫେରାର ଅଛି।

ସମ୍ବନ୍ଧିତ ଖବର