ଏସ୍‌ସିବିରେ ଶିଶୁ ବଦଳ ଘଟଣା : ଡିଏନ୍‌ଏ ପରୀକ୍ଷା ପାଇଁ ଅନୁମତି

କଟକ : ଏସ୍‌ସିବିରେ ଶିଶୁ କନ୍ୟା ବଦଳ ଅଭିଯୋଗରେ ଆଜି ଡିଏନ୍‌ଏ ପରୀକ୍ଷା ପାଇଁ କଟକ ସଦର ଏସଡିଜେଏମ୍‌ଙ୍କ କୋର୍ଟ ମଙ୍ଗଳାବାଗ ପୁଲିସକୁ ଅନୁମତି ପ୍ରଦାନ କରିଛି। ଅନୁମତି ମିଳିଲା ପରେ ଆଜି ପୁଲିସ ଏସ୍‌ସିବିରେ ସମ୍ପୃକ୍ତ ଶିଶୁର ନମୁନା ସଂଗ୍ରହ କରିଛି। ଆସନ୍ତାକାଲି ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ ଲ୍ୟାବକୁ ତାହାକୁ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ପ୍ରକୃତରେ ଶିଶୁକନ୍ୟାର ଅବିଭାବକଙ୍କ ପରିଚୟ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ରହୁଥିବା କଟକ ବକ୍ସିବଜାର ନାୟକ ସାହିର ପ୍ରହଲ୍ଲାଦ ମହାପାତ୍ରଙ୍କ ସ୍ତ୍ରୀ ମଧୁସ୍ମିତାଙ୍କର ଗତ ୨୬ ତାରିଖରେ ଏସ୍‌ସିବିରେ ସନ୍ତାନ ପ୍ରସବ ହେଇଥିଲା । ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମେଡିକାଲ୍‌ କର୍ମଚାରୀ ଅନ୍ୟ ଜଣକର ଶିଶୁ କନ୍ୟାକୁ ବେଡ୍‌ ନିକଟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ଆସିବା ପରେ ବିବାଦୀୟ ସ୍ଥିତି ଉପୁଜିଥିଲା । ୩୦ ତାରିଖରେ ମଙ୍ଗଳାବାଗ ପୁଲିସ ଏକ ମାମଲା(କେସ୍‌ ନଂ୨୫) ଦଫା ୩୬୩ରେ ରୁଜୁ କରି ସନ୍ତାନ ପ୍ରସବ ହୋଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ସିସି କ୍ୟାମେରା ଯାଞ୍ଚ କରିଥିଲା । ତା’ ସହିତ ଉଭୟ ଶିଶୁର ମା’ ଓ ବାପାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା ।

ଗତକାଲି ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡିଏନ୍‌ଏ ପରୀକ୍ଷା ପାଇଁ ଆବେଦନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ। ଆଜି ପୁଲିସକୁ ଡିଏନ୍‌ଏ ପରୀକ୍ଷା ପାଇଁ ଅନୁମତି ମିଳିବା ପରେ ଶିଶୁ କନ୍ୟା ସମେତ ବାପା ଓ ମା’ଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ବଡ଼ ମେଡିକାଲ୍‌ରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରାୟ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ରିପୋର୍ଟ ଫରେନ୍‌ସିକ ଲ୍ୟାବ୍‌ରୁ ଆସିବା ପରେ ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି । ଏବେ ଶିଶୁ କନ୍ୟାଙ୍କୁ ସିଡବ୍ଲୁସିର ନିର୍ଦ୍ଦେଶ ଅନୁଯାୟୀ, ମଧୁସ୍ମିତାଙ୍କ ହେପାଜତରେ ଛଡ଼ା ଯାଇଥିବା ବେଳେ ରିପୋର୍ଟ ଆସିଲେ ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସିଡବ୍ଲୁସି ସଦସ୍ୟ ପ୍ରଦୀପ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର