ଏସ୍‌ସିବି, ଭୀମ୍‌ସାର ଓ ଏମ୍‌କେସିଜିରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ମାମଲା

ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ ନିର୍ଦ୍ଦେଶ, ହସ୍ପିଟାଲ୍‌ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଂଜୁର ହୋଇଛି ୧୦୩ କୋଟି

କଟକ: ରାଜ୍ୟର ପ୍ରମୁଖ ତିନି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ‌ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥାର ତଦାରଖ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ତିନି ଜଣ ପ୍ରତିନିଧି କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସମୟରେ ଅକ୍ଷୀଧକ ସେମାନଙ୍କୁ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏସସିବିରେ ରହିଥିବା ଇନସିନେରେଟର କାର୍ଯ୍ୟକ୍ଷମ ପ୍ରସଂଗରେ ଏହି ପ୍ରତିନିଧି ଦଳ ଅନୁଧ୍ୟାନ କରିବେ। ଇନସିନେରେଟରର ସାନି ସ୍ଥିତି କଣ ରହିଛି ଓ ପୂର୍ବରୁ ଖରାପ ହୋଇଥିବା ଇନସିନେରେଟର ମରାମତି ହୋଇଛି କି ନାହିଁ ସେ ନେଇ ଅକ୍ଷୀକ୍ଷକ ଅନୁଧ୍ୟାନ ସମୟରେ ସ୍ପଷ୍ଟ ସୂଚନା ଦେବେ। ଏହାପରେ ବ୍ରହ୍ମପୁରସ୍ଥିତ ଏମକେସିଜି ଓ ବୁର୍ଲାସ୍ଥିତ ଭୀମସାର ଏହି ପ୍ରତିନିଧି ଦଳ ଗସ୍ତ କରି ସେଠାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଓ ଇନସିନେରେଟର କାର୍ଯ୍ୟକ୍ଷମ ପ୍ରସଂଗ ଅନୁଧ୍ୟାନ କରିବେ। ଏପରି ଗସ୍ତର ଏକ ସପ୍ତାହ ପୂର୍ବରୁ ସଂପୃକ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ତିନି ମେଡିକାଲ କଲେଜ ଓ ହସ୍ପିଟାଲ ଅନୁଧ୍ୟାନ ସଂପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୈତ୍ରୀ ସଂସଦ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସତ୍ୟପାଠରେ ରହିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ଏସସିବିରେ ଇନସିନେରେଟର ଠିକ୍ ଭାବେ କାର୍ଯ୍ୟ କରୁଛି। କେତେ ପରିମାଣର ଜୈବ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି ସେ ନେଇ ସିଧାସଳଖ ତଥ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ନିକଟକୁ ଅନ୍ ଲାଇନରେ ଯାଉଛି। ଏଥି ସହିତ ରାଜ୍ୟର ଦୁଇ ପ୍ରମୁଖ ମେଡିକାଲ କଲେଜ ଏମକେସିଜି ଓ ଭିମସାର୍‌ରେ ଇନସିନେରେଟର ବ୍ୟବସ୍ଥା କରାଯାଇଛି ଓ ଏହାର ତଥ୍ୟ ମଧ୍ୟ ଏସପିସିବି ନିକଟକୁ ସିଧାସଳଖ ଯାଉଛି। ଏହା ବାଦ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଗଞ୍ଜାମରେ ସାଧାରଣ ଜୈବ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ରାଜ୍ୟର ସବୁ ସ୍ତରର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ସରଞ୍ଜାମ ବସାଇବା ଲାଗି ‌ଷ୍ଟୋରେଜ ରୁମ୍ ନିର୍ମାଣ ଓ ତିନି ଫେଜ ଲାଇନ ସଂଯୋଗ ଲାଗି ୧୦୩.୬୪ କୋଟି ଟଙ୍କା ପଞ୍ଚାୟତରାଜ ବିଭାଗକୁ ଦିଆଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ୨୦୨୨, ମାର୍ଚ୍ଚ ୨୮ର ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ପାଳନ କରାଯାଇ ନାହିଁ ବୋଲି ଆଜି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏସସିବିରେ ଖରାପ ଥିବା ଇନସିନେରେଟର ମରାମତି ପ୍ରସଂଗରେ ସରକାରଙ୍କ ସତ୍ୟପାଠରେ ତଥ୍ୟ ନାହିଁ ବୋଲି ଆବେଦନକାରୀ କହିଥିଲେ। ହାଇକୋର୍ଟ ଏହି ପ୍ରସଂଗରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୨୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନିୟମ ଅନୁସାରେ କାର୍ଯ୍ୟକ୍ଷମ ରହିଛି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରହିଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟର ସ୍ଥିତି ତୁରନ୍ତ ଅନୁଧ୍ୟାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏସସିବି ସହିତ ଅନ୍ୟ ଡାକ୍ତରଖାନା ଗୁଡିକରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଂଗକୁ ନେଇ ୨୦୦୩ରେ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା।

ସମ୍ବନ୍ଧିତ ଖବର