କଟକ: ହଠାତ ଅସୁସ୍ଥ ହୋଇ ପଡ଼ିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଶୁକ୍ରବାର କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିସିନ୍ ବିଭାଗ ଆଇସିୟୁରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ। ଭେଷଜ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ବିଜୟ ବେହେରା, ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟ, ନେଫ୍ରୋଲୋଜି ବିଭାଗ ଡାକ୍ତର ଅରୁଣା ଆଚାର୍ଯ୍ୟ, ରେସବାରେଟୋରି ମେଡିସିନ ମୁଖ୍ୟ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ଡାକ୍ତର ମନୋରଞ୍ଜନ ଦାସ ପ୍ରମୁଖଙ୍କ ନେଇ ଗଠିତ ବିଶେଷଜ୍ଞ ଟିମ୍ ତାଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏ ନେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ପଦ୍ମଶ୍ରୀ ପୂଜାରୀ ପୂର୍ବରୁ କିଡ୍ନି ରୋଗରେ ଆକ୍ରାନ୍ତ ଥିଲେ। ଇତିମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଯାଇଛି। ଛାତିରେ ସଂକ୍ରମଣ ଯୋଗୁଁ ସେ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଉଚ୍ଚ ରକ୍ତଚାପ ଏବଂ ରକ୍ତହୀନତା ମଧ୍ୟ ଦେଖା ଦେଇଛି। ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇ ତାଙ୍କ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି।
ମେୟର ସୁବାସ ଚନ୍ଦ୍ର ସିଂହ ପଦ୍ମଶ୍ରୀ କମଳାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଜ୍ୱରରେ ଆକ୍ରାନ୍ତ ହୋଇଥିବା ପଦ୍ମଶ୍ରୀ କମଳାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।