ଏସ୍‌ସିବି ସମାବର୍ତ୍ତନ ଉତ୍ସବ ବିବାଦ : ରିପୋର୍ଟ ମାଗିଲା କୁଳାଧିପତିଙ୍କ କାର୍ଯ୍ୟାଳୟ

ତଦନ୍ତ ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର : ଏସ୍‌ସିବି ସମାବର୍ତ୍ତନ ଉତ୍ସବକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି କୁଳପତି ଓ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରାଯାଇଛି। ଅନ୍ୟପଟେ ବିଧାନସଭାରେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବିବୃତି ରଖିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ବିବୃତି ରଖି କହିଛନ୍ତି, ଏସ୍‌ସିବି ସମାବର୍ତ୍ତନ ଉତ୍ସବ ବିଷୟରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେ ଆସନ୍ତା ୨୭ ତାରିଖ ମଧ୍ୟରେ ତଦନ୍ତ କରି ଏକ ସବିଶେଷ ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ। ଏହି ବିବରଣୀ ପାଇବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  କୁଳାଧିପତିଙ୍କୁ ନ ଜଣାଇ ଏକ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ କିପରି ଆୟୋଜନ କରାଗଲା, ତାହାକୁ ନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ କ୍ଷୁବ୍ଧ ହୋଇଛି। ନିଜେ କୁଳାଧିପତି ଏ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। କେଉଁ ପରିସ୍ଥିତିରେ ଏସ୍‌ସିବି କର୍ତ୍ତୃପକ୍ଷ ଏପରି ବେଆଇନ୍‌ କାର୍ଯ୍ୟ କଲେ ଓ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସେଥିରେ ଯୋଗ ଦେଲେ, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଓ କୁଳପତିଙ୍କୁ ରିପୋର୍ଟ ତଲବ କରାଯାଇଛି।

ସୂଚନାଯୋଗ୍ୟ ଯେ ସମାବର୍ତ୍ତନ ଉତ୍ସବକୁ ନେଇ ବିବାଦ ବଢ଼ୁଥିବାରୁ ଗତକାଲି ଏସ୍‌ସିବି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ଉତ୍ସବ ସହ ମେଡିକାଲ କଲେଜର କୌଣସି ସମ୍ପର୍କ ନ ଥିଲା। ହାଉସ୍‌ ସର୍ଜନ ଆସୋସିଏସନ୍‌ ଖର୍ଚ୍ଚରେ ଏହାର ଆୟୋଜନ କରାଯାଇଥିଲା। ଏହା ସମାବର୍ତ୍ତନ ଉତ୍ସବ ନ ଥିଲା, କେବଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଥିଲା। ତେବେ କର୍ତ୍ତୃପକ୍ଷଙ୍କ ଏପରି ସଫେଇ ବିଭିନ୍ନ ମହଲରେ ଗ୍ରହଣୀୟ ହୋଇ ନାହିଁ।

ସମ୍ବନ୍ଧିତ ଖବର