ଏସ୍‌ସିବି କରୋନା ୱାର୍ଡରେ ମୃତ୍ୟୁ ଘଟଣା : ଦୁଇ ମୃତକଙ୍କ ସ୍ୱାବ୍‌ ରିପୋର୍ଟ ନେଗେଟିଭ

କଟକ ରୋଗୀଙ୍କ ସହ ମିଶିଥିବା ୧୯ଜଣଙ୍କ ରିପୋର୍ଟ ନେଗେଟିଭ୍‌

କଟକ : ଏସ୍‌ସିବି ସ୍ଵତନ୍ତ୍ର କରୋନା ୱାର୍ଡ ଆଇସିୟୁରେ ୨୪ଘଣ୍ଟା ଭିତରେ ଦୁଇଜଣଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ତେବେ, ଉଭୟଙ୍କ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମୃତ୍ୟୁର କାରଣ ଭିନ୍ନ ବୋଲି ସ୍ପଷ୍ଟ ହୋଇଯାଇଛି। ଫଳରେ ଏହାକୁ ନେଇ ଆଶ୍ଵସ୍ତି ପ୍ରକାଶପାଇଛି।

ମୃତକଙ୍କ ଭିତରୁ ଜଣଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳ। ତାଙ୍କ ବୟସ ପାଖାପାଖି ୫୮ ବର୍ଷ। ସେହିପରି ଅନ୍ୟଜଣଙ୍କ ଘର ସାଲେପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଜଣଙ୍କର ସ୍ୱାବ୍‌ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଏହାପରେ ଗତକାଲି ରାତିରେ ମୃତ୍ୟୁ ହୋଇଥିବା ସାଲେପୁର ଅଞ୍ଚଳର ରୋଗୀଙ୍କ ସ୍ବାବ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ଆଜି ସନ୍ଧ୍ୟାରେ ନେଗେଟିଭ୍‌ ଆସିବା ପରେ ତାଙ୍କ ଶବ ମଧ୍ୟ ଘରକୁ ପଠାଇ ଦିଆଯାଇଛି।
ଅପରପକ୍ଷରେ, ଆଜି ବକ୍ସିବଜାର ଅଞ୍ଚଳର ଆଉ ୬ଟି ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି।

କଟକ ରୋଗୀଙ୍କ ସହ ମିଶିଥିବା ୧୯ଜଣଙ୍କ ରିପୋର୍ଟ ନେଗେଟିଭ୍‌
କଟକ : କଟକ ବକ୍ସିବଜାର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସିଧା ସମ୍ପର୍କରେ ଆସିଥିବା ୧୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଗତ ୩ ତାରିଖରେ ବକ୍ସିବଜାର ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ତାଙ୍କ ସହିତ ସିଧାସଳଖ ଭାବେ ମିଶିଥିବା ୧୯ ଜଣଙ୍କ ସ୍ୱାବ୍‌କୁ ଗତକାଲି ପୌରନିଗମ ତରଫରୁ ଏସସିବିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେସବୁର ରିପୋର୍ଟ ଆସିଛି। ଏବଂ, ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ପୌରନିଗମ କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇଦିନ ଧରି ଉକ୍ତ ଅଞ୍ଚଳରେ ପୌରନିଗମ ପକ୍ଷରୁ ଏକାଧିକ କଣ୍ଟାକ୍ଟ୍‌ ଟ୍ରେସିଂ (ସଂପର୍କ ଖୋଜିବା) ଟିମ୍‌ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ଗତକାଲି ସମସ୍ତଙ୍କ ସ୍ୱାବକୁ ଟେଷ୍ଟ ପାଇଁ ପଠାଯାଇଥିଲା। ବର୍ତ୍ତମାନ ସମସ୍ତ ଟିମ୍‌ ଉକ୍ତ ଅଞ୍ଚଳର ଲୋକଙ୍କ ଘର ଘର ବୁଲି କରୋନାରୁ ସୁରକ୍ଷିତ ରହିବା ନେଇ ଲୋକମାନଙ୍କୁ ସଚେତନ କରାଉଛନ୍ତି।

ସମ୍ବନ୍ଧିତ ଖବର