ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଏସ୍‌ସିବି, ପ୍ରଥମଥର ଲାଗି ରାଜ୍ୟରେ ହେଲା କାଡାଭେରିକ ପ୍ରତିରୋପଣ

କଟକ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଛି ଓଡ଼ିଶା। ଜଣେ ରୋଗୀଙ୍କ ଶରୀରରେ ସଫଳତାର ସହିତ କିଡନି ପ୍ରତିରୋପଣ କରିଛନ୍ତି କଟକ ବଡ ଡାକ୍ତରଖାନାରେ ବିଶେଷଜ୍ଞ ଟିମ୍। ଏଥିଲାଗି କଟକ ବଡ ଡାକ୍ତରଖାନା ରାତିସାରା ଚଳଚଞ୍ଚଳ ଥିଲା। ୟୁରୋଲୋଜି ବିଭାଗର ଓଟି ବି ବିଳମ୍ବିତ ରାତିରେ ପ୍ରସ୍ତୁତ ହେବା ସହିତ ଆଜି ଭୋର ସମୟରେ ଅସ୍ତ୍ରୋପଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ଅଢେଇ ଘଣ୍ଟାର ପ୍ରକ୍ରିୟାରେ ରୋଗୀ ଦେହରେ ସଫଳତାର ସହିତ କିଡନି ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ବର‌େରେ ଜଣେ ମୃତ (ବ୍ରେନ୍‌ ଡେଡ୍‌) ପ୍ରିୟଙ୍କାଙ୍କ କିଡ୍‌ନିକୁ ବାହାର କରାଯାଇ ସୁରକ୍ଷିତ ଭାବେ ମଧ୍ୟରାତ୍ରରେ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଫିରୋଜ ସାହୁ(୩୧)ଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏବେ ରୋଗୀ ସୁସ୍ଥ ଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କୁ ଏବେ ଆଇସିୟୁରେ ରଖାଯାଇ ତାଙ୍କ ସ୍ଥିତି ଉପରେ ନଜର ରଖାଯାଇଛି। ଓଡ଼ିଶା‌ରେ ଏହା ଏ ପ୍ରକାର ପ୍ରତିରୋପଣ ପ୍ରଥମ ଘଟଣା ବୋଲି କୁହାଯାଉଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଗତ ମାସ ୨୭ ତାରିଖରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରିୟଙ୍କା ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଡାକ୍ତର। ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଜାଣିବା ପରେ କିଡନି ହରାଇ ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବରଗଡର ଫିରୋଜ କୁମାର ସାହୁଙ୍କ ଶରୀରରେ କିଡନି ପ୍ରତିରୋପଣ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଏସସିବିର ବିଶେଷଜ୍ଞ ଡାକ୍ତର ଦଳ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ସବ୍ୟସାଚୀ ପଣ୍ଡା ଓ ପିଜି ଛାତ୍ର ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଆପୋଲୋର ଡାକ୍ତରୀଦଳ ଓ ଏସ୍‌ସିବିର ବିଶେଷଜ୍ଞ ଦଳଙ୍କ ମିଳିତ ପ୍ରଚେଷ୍ଟାରେ ମୃତ ପ୍ରିୟଙ୍କାଙ୍କ ଶରୀରରୁ ଦୁଇଟି କିଡ୍‌ନି ଅସ୍ତ୍ରୋପଚାର କରି ବାହାର କରିଥିଲେ।

ଏହାପରେ ଏସ୍‌ସିବି ଡାକ୍ତରୀଦଳ ଆପୋଲା‌ରୁ କିଡ୍‌ନି ନେଇ ଭୋର ପ୍ରାୟ ସାଢେ ୪ଟାରେ ଏସ୍‌ସିବିରେ ପହଞ୍ଚି ଥିଲେ। ପୂର୍ବରୁ କିଡ୍‌ନି ପ୍ରତିରୋପଣ ପାଇଁ ଓଟିରେ ସମସ୍ତ ବ୍ୟବସ୍ଥା ସହିତ ୮ ଜଣିଆ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଥିଲେ। ଏଥିସହ ରୋଗୀଙ୍କ ମଧ୍ୟ ସମସ୍ତ ପରୀକ୍ଷା କରା ସରିଥିଲା। ଏସ୍‌ସିବିରେ ସକାଳ ୫ଟା ୧୫‌ରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିବା ବେଳେ ସକାଳ ୭ଟା ୪୫ରେ ସରିଥିଲା। କିଡ୍‌ନି ପ୍ରତିରୋପଣ କରାଯାଇଥିବା ରୋଗୀଙ୍କୁ ଏବେ ଆଇସିୟୁରେ ରଖାଯାଇଛି ଓ ତାଙ୍କ ଅବସ୍ଥା ଭଲ ଥିବା କାଡଭାରିକ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ର ରାଜ୍ୟ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତ ରଂଜନ କର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସଟୋ ତାଲିକା ଅନୁସାରେ ୨୫ ଜଣ କିଡ୍‌ନି ରୋଗୀ ପ୍ରତିରୋପଣ ପାଇଁ ଅପେକ୍ଷାରେ ରହିଛନ୍ତି ଓ ସେଥିରୁ ଏସ୍‌ସିବିରେ କେବଳ ୧୦ ଜଣ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର