ଏସ୍‌ସିବି ଡିନ୍‌ ତଥା ପ୍ରିନ୍ସିପାଲ୍‌ଙ୍କ ପରାମର୍ଶ: ଅତି ଜରୁରୀ ନ ଥିଲେ ଆସନି, ଟେଲି ମେଡିସିନ୍‌ର ସୁବିଧା ନିଅ

କଟକ: କରୋନା ତୃତୀୟ ଲହରର ସଫଳ ମୁକାବିଲା ପାଇଁ କଟକ ବଡ ମେଡିକାଲରେ ପୁଣି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପଟେ ଅତି ଜରୁରି ନଥିଲେ ଜୀବନକୁ ବିପନ୍ନ କରି ବଡ଼ ମେଡିକାଲକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ଟେଲି ମେଡିସିନ୍‌ର ସୁବିଧା ନେବାକୁ ଏସ୍‌ସିବି ମେଡିକାଲ ପକ୍ଷରୁ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏସ୍‌ସିବିରେ କୋଭିଡ୍‌ ମୁକାବିଲା ପାଇଁ ୬ ଶହ ବେଡ୍‌ ସହ ୧୪୦ଟି ଆଇସିୟୁ ରହିଛି। ଏଥିସହ କୋଭିଡ୍‌ ସଂକ୍ରମିତ କିଡ଼୍‌ନି ରୋଗୀଙ୍କ ପାଇଁ ଡାଏଲିସିସ୍‌ ବେଡ୍‌ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରତିଦିନ ଫିବର କ୍ଲିନିକ୍‌କୁ ୧୫୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ୧୫ରୁ ୨୦ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ପ୍ରତିଦିନ ୬ ହଜାର ଟେଷ୍ଟିଂ କରାଯାଉଛି। ଗତକାଲି ରାଜ୍ୟର ସମସ୍ତ ମେଡିକାଲ କଲେଜ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ତଥା ସରକାରୀ ମେଡିକାଲରେ କୋଭିଡ୍‌ ସମୟରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ। ଏସ୍‌ସିବିରେ ସମସ୍ତ ଓପିଡି ଯେଉଁଭଳି ଚାଲୁଥିଲା ସେଭଳି ସ୍ବାଭାବିକ ଚାଲିବ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କଟକ ବଡ଼ ଡାକ୍ତରଖାନା ପ୍ରତିଶ୍ରୃତିବଦ୍ଧ ବୋଲି ପ୍ରଫେସର ଡାକ୍ତର ହୋତା ସୂଚନା ଦେଇଛନ୍ତି।

ଏସ୍‌ସିବିରେ କରୋନା ପ୍ରସ୍ତୁତି ଓ ମୁକାବିଲା ନେଇ ଆଜି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୋଭିଡ୍‌ ହସ୍ପିଟାଲର ନୋଡାଲ ଅଫିସର ଜ୍ୟୋତି ପଟ୍ଟନାୟକ, ଆସୋସିଏଟ୍‌ ପ୍ରଫେସର ପି.କେ, ଥା‌ଟ୍ଟୋଇ, ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଏସ୍‌ସିବି ମେଡ଼ିକାଲରେ ରାଜ୍ୟର ସର୍ବାଧକ ୬୬ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇଛି। ଏବେ ତୃତୀୟ ଲହର ସମୟରେ ମଧ୍ୟ ଏସ୍‌ସିବି ମେଡ଼ିକାଲରେ କରୋନା ସଂକ୍ରମିତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ । ଏହାଛଡ଼ା ମେଡ଼ିକାଲର ଅନ୍ୟ ବିଭାଗ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ ଭାବେ ଚାଲିଛି ଓ ଚାଲିବ ବୋଲି କୁହାଯାଇଛି। ଅନ୍ୟପଟେ ହସ୍ପିଟାଲର ବିଶେଷଜ୍ଞ, ଡାକ୍ତରୀ ଛାତ୍ର, ପାରାମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଅନେକ ସେଥିରୁ ସୁସ୍ଥ ହୋଇସାରିଲେଣି। କେତେ ଜଣ ଏବେ ବି ସଙ୍ଗରୋଧରେ ରହିଛନ୍ତି। କିନ୍ତୁ ଏଥିରେ ଚିକିତ୍ସା ସେବାରେ କୌଣସି ଅସୁବିଧା ହୋଇ ନଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର