ଦେବଦୂତ ସାଜିଲେ ଏସ୍‌ସିବି ଡାକ୍ତର : ଦୁର୍ଘଟଣାର ଶିକାର ହୋଇ ଜାତୀୟ ରାଜପଥ କଡ଼ରେ ପଡିଥିବା ଯୁବକକୁ ନିଜ କାରରେ ନେଇ ହସ୍ପିଟାଲରେ ଭର୍ତ୍ତି କଲେ

ଭୁବନେଶ୍ବର : ଶନିବାର ସକାଳ ପ୍ରାୟ ୧୦ଟା। ଖଣ୍ଡଗିରି ଥାନା ଅଧୀନ ଫାୟାରଷ୍ଟେସନ୍‌ ଛକ। ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଜାତୀୟ ରାଜପଥ କଡ଼ରେ ଛଟପଟ ହେଉଥାନ୍ତି। ସେହି ରାସ୍ତାରେ ଅନେକ ଗାଡ଼ି ମୋଟର ଯିବା ଆସିବା କରୁଥାଏ। ଲୋକମାନେ ବି ଯା’ଆସ କରୁଥାନ୍ତି। କିନ୍ତୁ କେହି ତାଙ୍କୁ ହସ୍ପିଟାଲ ନ ନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରି ଚାଲିଥାନ୍ତି। ଅପେକ୍ଷା କରିଥାନ୍ତି ଆମ୍ବୁଲାନ୍ସ ଆସିବା ପରେ ଯୁବକଜଣକ ହସ୍ପିଟାଲକୁ ଯିବେ। ଠିକ୍‌ ସେତିକିବେଳେ ସେହି ଛକ ଅତିକ୍ରମ କରୁଥିବା କଟକ ବଡ଼ ମେଡିକାଲ(ଏସ୍‌ସିବି)ର ଡାକ୍ତର ଶାରଦା ପ୍ରସାଦ ମହାନ୍ତିଙ୍କ ନଜର ଉକ୍ତ ଯୁବକଙ୍କ ଉପରେ ପଡ଼ିଥିଲା। ସେ ନିଜ କାର୍‌ ଅଟକାଇ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ନେବା ଲାଗି ଉଦ୍ୟମ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋ‌େକ ତାଙ୍କୁ ସାହାଯ୍ୟ କରିଥିଲେ। ପରେ ଡାକ୍ତର ଶ୍ରୀ ମହାନ୍ତି ତାଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲର ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇଥିଲେ। ଯାହା ବି ଔଷଧ ଓ ଇଂଜେକସନ୍ ଲାଗିଥିଲା, ଡାକ୍ତର ମହାନ୍ତି ତାହା ମଧ୍ୟ ଯୋଗାଡ଼ କରାଇ ଦେଇଥିଲେ। କିଛି ସମୟ ପରେ ଯୁବକଙ୍କ ଚେତା ଫେରିଥିଲା। ପରେ ଡାକ୍ତର ମହାନ୍ତି ତାଙ୍କ ଘରଲୋକଙ୍କ ସହ ମୋବାଇଲରେ କଥା ମଧ୍ୟ କରାଇ ଦେଇଥିଲେ।

କଥାବାର୍ତା ପରେ ଜଣାପଡ଼ିଥିଲା ଯେ ଯୁବକଙ୍କ ନାଁ ରଂଜନ ନାୟକ। ଘର ଗଞ୍ଜାମରେ। ଏଠାରେ ସେ ସାଲିଆସାହିରେ ରହୁଥିଲେ। ଆଜି ସେ ଗାଁକୁ ଯିବା ଲାଗି ଫାୟାର୍‌ ଷ୍ଟେସନ୍‌ ଛକକୁ ଆସିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ରଂଜନଙ୍କୁ ଦେଖାଶୁଣା କରିବା ଆରମ୍ଭ କରିଛନ୍ତି।

ଜାତୀୟ ରାଜପଥ କଡ଼ରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ପଡ଼ିଥିବା ବେଳେ କେହି ଜଣେ ବି ତାଙ୍କୁ ହସ୍ପିଟାଲ ନ ନେବା ଘଟଣା ଲୋକଙ୍କ ମାନବିକତାର ଅଭାବକୁ ଦର୍ଶାଉଛି। କାରଣ ଯେଉଁ ଛକ ଉପରେ ଏଭଳି ଘଟଣା ଘଟିଥିଲା, ସେହି ଛକରୁ ମାତ୍ର ୩୦ ମିଟର ଦୂର‌‌‌ରେ ଏକ ହସ୍ପିଟାଲ ରହିଛି। ଯେ କୌଣସି ବ୍ୟକ୍ତି ଚାହିଁଥିଲେ ତାଙ୍କୁ ସେଠାରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇ ପାରିଥାନ୍ତା। ଅନ୍ୟପକ୍ଷରେ ଡାକ୍ତର ଶ୍ରୀ ମହାନ୍ତିଙ୍କ ଏଭଳି କାର୍ଯ୍ୟକୁ ଆଜି ଅନେକ ପ୍ରଶଂସା କରିଛନ୍ତି। ଦେବଦୂତ ସାଜି ସେ ଜଣେ ଯୁବକକୁ ମରଣ ମୁହଁରୁ ଫେରାଇ ଆଣିଲେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର