ଏସ୍‌ସିବିରେ ନିର୍ଯାତନା ଘଟଣା: ମହିଳା ଡାକ୍ତରଙ୍କ ବୟାନ ରେକର୍ଡ’

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜର ଜଣେ ମହିଳା କନିଷ୍ଠ ଡାକ୍ତରଙ୍କୁ ଯୌନ ନିର୍ଯାତନା ଏବଂ ହତ୍ୟା ଧମକ ଘଟଣାରେ ଆଜି ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ମଙ୍ଗଳାବାଗ ଥାନା ପୁଲିସ ସିଆର୍‌ପିସିର ୧୬୧ ଧାରା ଅନୁଯାୟୀ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ବୟାନରେ ଛାତ୍ରୀ ଜଣକ ଡେଣ୍ଟାଲ୍‌ କଲେଜ୍‌ର ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ୍‌ ସର୍ଜରୀ(ଓଏମ୍‌ଏଫ୍‌ଏସ୍‌) ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ଜଣେ ଆସୋସିଏଟ୍‌ ପ୍ରଫେସର ଏବଂ ସିନିୟର ରେସିଡେଣ୍ଟଙ୍କ ବିରୋଧରେ ସମାନ କଥା ଦୋହରାଇଥିଲେ। ତାଙ୍କୁ କିଭଳି ଭାବେ ଅନୈତିକ ପ୍ରସ୍ତାବ ଦିଆଯାଇଥିଲା, ସେ ସମ୍ପର୍କରେ ଛାତ୍ରୀ ଜଣକ ପୁଲିସକୁ କହିଥିଲେ। ଅନ୍ୟପଟେ ପୁଲିସ ଛାତ୍ରୀଙ୍କ ନିକଟରୁ ଚାରି ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ନାମ ହସ୍ତଗତ କରିଛି। ସେହି ଆଧାରରେ ଆସନ୍ତାକାଲି ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ ପାଇଁ ମଙ୍ଗଳାବାଗ ଥାନା ପୁଲିସ ଚିଠି ଲେଖିବ। ସେମାନଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତ ଡାକ୍ତରଙ୍କ ବୟାନ ରେକର୍ଡ କରିବାକୁ ପୁଲିସ ଯୋଜନା କରୁଥିବା ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର