ଜୁଲାଇରୁ ବନ୍ଦ ହେବ ଏସ୍‌ସିବି ଅନ୍ତଃସ୍ରାବୀ ବିଭାଗ!

ଚାକିରି ବଢ଼ାଇବାକୁ ମନା କ‌ରିଦେଲେ ପ୍ରଫେସର, ଜୁନ୍‌ ୩୦ରେ ଅବସର
ରାଜ୍ୟରେ ମାତ୍ର ଏଣ୍ଡାକ୍ରାଇନୋଲୋଜିଷ୍ଟ୍‌

କଟକ : ଜୁଲାଇ ପହିଲାରୁ ବନ୍ଦ ହୋଇଯିବ ଏସ୍‌ସିବି ଏଣ୍ଡାକ୍ରାଇନୋଲୋଜି (ଅନ୍ତଃସ୍ରାବୀ) ବିଭାଗ! ମାତ୍ର ଜଣେ ପ୍ରଫେସରଙ୍କୁ ନେଇ ଚାଲିଥିବା ବିଭାଗରେ ପ୍ରଫେସର ଜୁନ୍‌ ୩୦ରେ ଅବସର ନେଉଛନ୍ତି। ଫଳରେ ରାଜ୍ୟରେ ଏଣ୍ଡାକ୍ରାଇନୋଲୋଜି ବିଭାଗରେ ବିଶେଷଜ୍ଞ ମରୁଡି ସମସ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଜରୁରୀ ବୈଠକରେ ଅବସର ଗ୍ରହଣ କରିବାକୁ ଥିବା ପ୍ରଫେସରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କୁହାଯାଇଥିଲା। କିନ୍ତୁ ସେ ସିଧାସଳଖ ମନା କରି ଦେଇଥିଲେ ରେଯ, ‘ଏକୁଟିଆ ଏତିକି ଦିନ ସମ୍ଭାଳିଲି, ଆଗକୁ ଚଳାଇବା ସମ୍ଭବ ନୁହେଁ।’ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ରାଜ୍ୟରେ ଛତୁ ଫୁଟିଲା ଭଳି ମେଡିକାଲ କଲେଜ ଖୋଲାଯାଇଥିଲେ ମଧ୍ୟ କେବଳ ଏସ୍‌ସିବି ଓ ଏମ୍‌କେସିଜିରେ ଏଣ୍ଡାକ୍ରାଇନୋଲୋଜି ବିଭାଗ ରହିଛି। ହେଲେ ସେଥିରେ ରହିଛନ୍ତି ମାତ୍ର ୩ଜଣ ବିଶେଷଜ୍ଞ। ଏପଟେ ରାଜ୍ୟରେ ବଢ଼ି ଚାଳଇଛି ମଧୁମେହ, ଥାଇରଏଡ୍‌ ଭଳି ହରମନ୍‌ଜନିତ ରୋଗୀଙ୍କ ସଂଖ୍ୟା।

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ମଧୁମେହ, ଥାଇରଏଡ୍‌ ଓ ହରମନ୍‌ଜନିତ ରୋଗୀଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଡବ୍ଲୁଏଚ୍‌ଓ ବି ଉଦ୍‌ବେଗ ପ୍ରକାଶ କରିଲାଣି। ଏସ୍‌ସିବି ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ ହୋଇଥିବାରୁ ଏଠାକୁ ପାଖାପାଖି ୫୦ହଜାର ରୋଗୀ ଆସନ୍ତି। ୨୦୧୨ରେ ଓପିଡିକୁ ଦେଢଶହରୁ ୨ଶହ ରୋଗୀ ଆସୁଥିବା ବେଳେ ଏବେ ବିଭାଗର ସାପ୍ତାହିକ ଦୁଇଦିନିଆ ଓପିଡି (ବୁଧବାର ଓ ଶନିବାର)କୁ ପାଖାପାଖା ୧୨ଶହ ରୋଗୀ ଆସୁଛନ୍ତି। ସେମାନଙ୍କ ଭିତରୁ ବର୍ଷକୁ ପାଖାପାଖି ହଜାରେ ରୋଗୀ ବିଭାଗରେ ଭର୍ତ୍ତି ହୋଇଥାନ୍ତି ଚିକିତ୍ସା ପାଇଁ। ହେଲେ, ସେମାନଙ୍କ ଚିକିତ୍ସା ପାଇଁ ମାତ୍ର ଜଣେ ବିଶେଷଜ୍ଞ ଅଛନ୍ତି। ଖାଲି ସେତିକି ନୁହେଁ, ୪ବର୍ଷ ହେଲା ଲାବ୍‌ ଟେକ୍ନିସିଆନ ପଦ ଖାଲି ପଡ଼ିଥିବା ବେଳେ ୫ମାସ ହେଲା ବିଭାଗରେ ଥିବା ପରୀକ୍ଷାଗାର ବନ୍ଦ।

ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ବିଭାଗରେ ଅତିକମ୍‌ରେ ଜଣେ ପ୍ରଫେସର, ୩ଜଣ ଆସୋସିଏଟ୍‌/ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଏବେ ମାତ୍ର ଜଣେ ଅଛନ୍ତି। କେବଳ ସେତିକି ନୁହେଁ, ଯେଉଁ ଜଣେ ପ୍ରଫେସର ଅଛନ୍ତି, ସେ ବି ଆସନ୍ତା ଜୁନ୍‌ ୩୦ରେ ଅବସର ନେବେ। ସ୍ଥିତି ସମ୍ଭାଳିବା ପାଇଁ ଜଣେ ଶିଶୁରୋଗ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ କାମଚଳା ଭାବେ ଏଠାରେ ନିଯୁକ୍ତି ଦିଆଯାଇଛି। ବିଭାଗରେ ୨୦୧୨ରୁ ପିଜି ସିଟ୍‌ ଖୋଲିଥିବାବେଳେ ୨୦୨୨ରେ ପୁଣି ଏମ୍‌ସିଆଇ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ‌ ମଧ୍ୟ ଆବଶ୍ୟକ ୩ଜଣ ଫାକଲ୍‌ଟି ନ ରହିଲେ ଏମ୍‌ସିଆଇ ଅନୁଧ୍ୟାନ ସମୟରେ ପିଜି ସିଟ୍‌ ମଧ୍ୟ କଟିଯିବାର ଆଶଙ୍କା ରହିଛି। ବ୍ରହ୍ମୁପୁର ମେଡିକାଲରେ ମଧ୍ୟ ପ୍ରଫେସର ପଦ ଖାଲି ପଡିଛି। ମାତ୍ର ୩ଜଣ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍‌ଙ୍କୁ ନେଇ ସ୍ବାସ୍ଥ୍ୟବିଭାଗ ଚାଲିଛି। ଅନ୍ୟପଟେ ଯେତେଜଣ ଏଣ୍ଡୋକାଇନୋଲୋଜିଷ୍ଟ ସୃଷ୍ଟି ହେଉଛନ୍ତି ସେମାନେ ଯାଉଛନ୍ତି କୁଆଡେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ବ୍ୟବସ୍ଥାକୁ ସେମାନେ ନ ଆସିବା ପଛର କାରଣ ମଧ୍ୟ ସଂଶୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର