ଏସ୍‌ସିବିର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫେସର ଡା.ଉମାକାନ୍ତ ନନ୍ଦଙ୍କ ଶେଷକୃତ୍ୟ

କଟକ : ବିଶିଷ୍ଟ ସ୍ତ୍ରୀ-ରୋଗ ବିଷେଷଜ୍ଞ ତଥା କଟକ ବଡ଼ ଡାକ୍ତରଖାନାର ପୂର୍ବତନ ଅଧ୍ୟକ୍ଷ ଓ ଅଧୀକ୍ଷକ ପ୍ରଫେସର ଡାକ୍ତର ଉମାକାନ୍ତ ନନ୍ଦ(୮୬)ଙ୍କର ରବିବାର ସକାଳ ୮ଟା ୧୫ରେ କଟକ ରାଣୀହାଟ ଏମ୍ପୋରିୟମ୍‌ ଲେନ୍‌ଠାରେ ପରଲୋକ ଘଟିଛି। ଏମ୍ପୋରିୟମ୍‌ ଲେନ୍‌ରେ ରହୁଥିବା ତାଙ୍କ ଝିଅ ତଥା ଏସ୍‌ସିବିର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀକତା ନନ୍ଦଙ୍କ ଘରେ ତାଙ୍କ ପରଲୋକ ଘଟିଛି। ପଟ୍ଟାମୁଣ୍ଡାଇର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ନନ୍ଦଙ୍କ ପୁତ୍ର ଡାକ୍ତର ଉମାକାନ୍ତ ଗତ କିଛିଦିନ ହେଲା ସେ ବୟସାଧିକ୍ୟ କାରଣରୁ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଏମ୍ପୋରିୟମ୍‌ ଲେନ୍‌ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟମୁଣ୍ଡାଇଠାରେ ୧୯୩୩ ମସିହା ଫେବ୍ରୁଆରି ମାସରେ ଜନ୍ମଗ୍ରହଣ କରିଥିବା ଉମାକାନ୍ତ ନିଜ ଗାଁରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଏସ୍‌ସିବି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷା ପ୍ରାପ୍ତ କରିଥିଲେ। ଜଣେ ସୁନାମଧନ୍ୟ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଶେଷଜ୍ଞ ଭାବେ ସେ ବିଶେଷ ପରିଚୟ ପ୍ରାପ୍ତ କରିବା ସହ କଟକ, ବୁର୍ଲା ଓ ବ୍ରହ୍ମପୁର ବଡ଼ ମେଡିକାଲର ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ଦାୟିତ୍ବ ତୁଲାଇଥିଲେ। କଟକ ବଡ଼ ଡାକ୍ତରଖାନାର ଅଧ୍ୟକ୍ଷ ଓ ଏସ୍‌ସିବି ମେଡିକାଲ କଲେଜର ଅଧୀକ୍ଷକ ଭାବେ ମଧ୍ୟ ସେ ସଫଳତାର ସହ ଦାୟିତ୍ବ‌ ନିର୍ବାହ କରିଥିଲେ। ୧୯୯୧ ଜାନୁଆରି ୩୧ରେ ଚାକିରିରୁ ଅବସର ନେବା ପରେ ସେ ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହିଥିଲେ। ଶେଷ ସମୟରେ ତାଙ୍କ ପତ୍ନୀ ନଳିନୀ, ଝିଅ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀକତା ନନ୍ଦ, କବିତା ନନ୍ଦ, ସ୍ମିତା ନନ୍ଦ, ଡାକ୍ତର ରଚିତା ନନ୍ଦ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବିଶିଷ୍ଟ ସ୍ତ୍ରୀ-ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଏସ୍‌ସିବିର ପୂର୍ବତନ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ, ପ୍ରଫେସର ଡାକ୍ତର ସିନ୍ଧୁନନ୍ଦିନୀ ତ୍ରିପାଠୀ, ପ୍ରଫେସର ଡାକ୍ତର ଇଲାବତୀ ଗୁରୁ, ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ପ୍ରଫେସର ଡାକ୍ତର ଶିଶିର ମିଶ୍ର, ପ୍ରଫେସର ଡାକ୍ତର ବିଜୟ ନନ୍ଦ, ପ୍ରଫେସର ଡାକ୍ତର ପ୍ରକାଶ ମହାପାତ୍ର, ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି, ପ୍ରଫେସର ଡାକ୍ତର କୌଶିକ୍‌ ମିଶ୍ର, ପ୍ରଫେସର ଡାକ୍ତର ବିଜୟିନୀ ମହାପାତ୍ର, ପ୍ରଫେସର ଡାକ୍ତର ସୁଶିଲ କୁମାର ଗୁରୁ, ପ୍ରଫେସର ଡାକ୍ତର ହର ପଟ୍ଟନାୟକ, ଡାକ୍ତର ଲିସା ମିଶ୍ର ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନପୁଅ ସୁଶାନ୍ତ କୁମାର ନନ୍ଦ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର