ଏସ୍‌ସିବି ଚକ୍ଷୁ ବିଭାଗ ଓଟି ବନ୍ଦ: ୧୨ ରୋଗୀଙ୍କ ଆଖିରେ ସଂକ୍ରମଣ

କଟକ: କଟକ ବଡ଼ ମେଡିକାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରି ଏବେ ସଂକ୍ରମଣର ଶିକାର ହୋଇଛନ୍ତି ୧୨ ଜଣ ବ୍ୟକ୍ତି। ସେମାନେ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଏଭଳି ଆଖି ସଂକ୍ରମଣ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଚକ୍ଷୁ ନଷ୍ଟ ହେବ ନାହିଁ, ଖୁବବେଶୀରେ ଆଖିର ଶକ୍ତି ହ୍ରାସ ପାଇପାରେ ବୋଲି ଜଣେ ଡାକ୍ତର ସଫେଇ ଦେଇଛନ୍ତି। କିନ୍ତୁ ଆଖି ଭଳି ଏକ ସମ୍ବେଦନଶୀଳ ଅଙ୍ଗର ଅସ୍ତ୍ରୋପଚାରରେ କେଉଁଠି ତ୍ରୁଟି ରହିଲା, ତାହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପଟେ ଏସ୍‌ସିବି ମେଡିକାଲ୍‌ ଚକ୍ଷୁ ବିଭାଗର ଅସ୍ତ୍ରୋପଚାର ଗୃହ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଜରୁରିକାଳୀନ ଭିତ୍ତିରେ ଓଟିକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଫ୍ୟୁମିଗେସନ୍‌ ଶେଷ ହେବା ପରେ ଓଟି ଖୋଲାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗତ ୭ ତାରିଖରେ ଯେଉଁମାନଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିଲା, ସେମାନଙ୍କ ଆଖିରେ ସଂକ୍ରମଣ ହେବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୭ତାରିଖରେ ପ୍ରାୟ ୧୨ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିଲା। ସେମାନଙ୍କୁ ୮ ତାରିଖରେ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ଯିବାବେଳେ ତାଙ୍କର ଚକ୍ଷୁ ପରୀକ୍ଷା ମଧ୍ୟ କରାଯାଇଥିଲା। ସବୁ ରିପୋର୍ଟ ସ୍ୱଭାବିକ ଆସିବାରୁ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା। ତେବେ ୯ତାରିଖରେ ସଂପୃକ୍ତ ରୋଗୀମାନଙ୍କର ଆଖିରୁ ପାଣି ବାହାରିଥିବାବେଳେ କେତେଜଣଙ୍କର ଆଖି କୁଣ୍ଡେଇ ହୋଇଥିଲା। ରୋଗୀମାନେ ଏସମ୍ପର୍କରେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଦ୍ୱିତୀୟ ଶନିବାର ଛୁଟି ଥିବାରୁ ଡାକ୍ତରଙ୍କ ସହିତ ରୋଗୀଙ୍କର ଭେଟ ହୋଇପାରିନଥିଲା। ତେଣୁ ଚକ୍ଷୁ ବିଭାଗରୁ ସେମାନଙ୍କୁ ସିଡିଏ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କିମ୍ବା ଅନ୍ୟ କେଉଁ ଚକ୍ଷୁ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇଦେବାକୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ରୋଟାରୀକୁ ଯାଇଥିଲାବେଳେ ଅନ୍ୟମାନେ ଭିନ୍ନଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି। ରୋଟାରୀ ହସ୍‌ପିଟାଲ୍‌ରୁ ଆଜି ଦୁଇଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। କିନ୍ତୁ ଏଥିପାଇଁ କାହାର ଆଖି ନଷ୍ଟ ହେବ ନାହିଁ ବୋଲି ଜଣେ ଚକ୍ଷୁ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି। ଦୃଷ୍ଟିଶକ୍ତିରେ ହ୍ରାସ ହୋଇପାରେ କିନ୍ତୁ ଚକ୍ଷୁ ସୁରକ୍ଷିତ ରହିବ ବୋଲି କୁହାଯାଇଛି। ହେଲେ ସଂକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବାରୁ କାହାକୁ ଦୋଷ ଦେବା ଠିକ୍‌ ହେବ ନାହିଁ ବୋଲି ଉକ୍ତ ଡାକ୍ତର ଜଣକ କହିଛନ୍ତି। ତେବେ ଚକ୍ଷୁ ବିଭାଗ ବିଲ୍ଡିଂରେ ସାଧାରଣ ଆଉଟଡୋର, ଡେଙ୍ଗୁ ଓ୍ଵାର୍ଡ, ସ୍ୱାଇନ୍‌ ଫ୍ଲୁ ଓ୍ଵାର୍ଡ ଇତ୍ୟାଦି ଖୋଲାଯାଇଥିବାରୁ ଏଥିଯୋଗୁଁ ରୋଗୀମାନେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଚକ୍ଷୁ ବିଭାଗରେ ଅତ୍ୟଧିକ ଗହଳି ନକରାଯିବାକୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ଜଣାଯାଇଥିଲେ ବି ଏଠାରେ ଆଉଟଡୋର ଖୋଲାଯାଇଥିବାରୁ ବିଭିନ୍ନ ସଂକ୍ରମିତ ରୋଗୀ ଆସୁଛନ୍ତି। ତେଣୁ ଏହାଉପରେ ମେଡିକାଲ୍‌ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର