କଟକ: କଟକ ବଡ଼ ମେଡିକାଲ୍‌ରେ ସିଲିଣ୍ଡର ଲିକ୍‌ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି । କଟକ ଜିଲ୍ଲାରେ ଏକାଧିକ ପିଏଚ୍‌ଡି ପମ୍ପ ହାଉସ୍‌ରେ ମୋଟ୍‌ ୪୫ଟି କ୍ଲୋରିନ୍‌ ସିଲିଣ୍ଡର ଅବ୍ୟବହୃତ ଅବସ୍ଥାରେ ପଡ଼ିଥିଲା । ମେଡିକାଲ୍‌ରେ ସିଲିଣ୍ଡର ଲିକ୍‌ ହେବା ପରେ ତରବରିଆ ଭାବେ ପିଏଚ୍‌ଡି କର୍ତ୍ତୃପକ୍ଷ ଉକ୍ତ ସିଲିଣ୍ଡର ସଂଗ୍ରହ କରି ଏକାଠି କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉକ୍ତ ସିଲିଣ୍ଡରଗୁଡ଼ିକ ଡିସ୍‌ପୋଜାଲ କରାଯାଇନାହିଁ । ତାକୁ କିଭଳି ଡିସ୍‌ପୋଜାଲ କରାଯିବ, ସେ ନେଇ ବିଚାରବିମର୍ଶ ଚାଲିଛି । ଅନ୍ୟପଟେ ସିଲିଣ୍ଡର ଲିକ୍‌ ଘଟଣାର ତଦନ୍ତ ପାଇଁ ଏଡିଏମ୍‌ ରଘୁରାମ ଆୟାରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ଆଜି ବଡ଼ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପାଖାପାଖି ଦୁଇ ଘଣ୍ଟା କାଳ ସ୍ଥିତି ଅନୁଧ୍ୟାନ କରିବା ପରେ ଟିମ୍‌ ଫେରିଯାଇଥିଲା। ଆସନ୍ତା ସୋମବାର ଜିଲ୍ଲାପାଳଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବାର ସମ୍ଭାବନା ଥିବା ସୂଚନା ମିଳିଛି ।

Advertisment

କଟକ ବଡ଼ମେଡିକାଲ୍‌ର ୟୁଜି ବଏଜ୍‌ ଆଣ୍ଡ ହାଉସ୍‌ ସର୍ଜନ ହଷ୍ଟେଲ୍‌ ନିକଟରେ ଥିବା ପିଏଚ୍‌ଡି ପମ୍ପ ହାଉସ୍‌ରେ ୩ଟି ସିଲିଣ୍ଡର ମଧ୍ୟରୁ ଗୋଟିଏ କଳଙ୍କି ଲଗା ସିଲିଣ୍ଡର ୨୯ ତାରିଖରେ ଲିକ୍‌ ହୋଇଥିଲା । ଏଥିରେ ୪୯ ଜଣ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ଘଟଣା ପରେ ଉକ୍ତ ପମ୍ପ ହାଉସ୍‌ରେ ଥିବା ତିନିଟି ସିଲିଣ୍ଡର ଡିସ୍‌ପୋଜାଲ କରାଯାଇଥିବା ବେଳେ ସୁଇପର କଲୋନୀ ନିକଟରେ ଥିବା ଆହୁରି ଚାରିଟି ସିଲିଣ୍ଡରୁ ସେଠାରୁ ହଟାଇ ଦିଆଯାଇଥିଲା। ୨୦୦୯ ମସିହାରୁ ଏହି ସିଲିଣ୍ଡର ଗୁଡ଼ିକ ବ୍ୟବହାର ନହୋଇ ପଡ଼ିଥିବା ଜଣାପଡ଼ିଛି । ଗଲାକାଲି ଗଠିତ ହୋଇଥିବା ତଦନ୍ତ କମିଟି ଆଜି ଦିନ ପ୍ରାୟ ୧୧ଟା ବେଳେ ବଡ଼ ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଘଣ୍ଟା କାଳ ଆଲୋଚନା କରିଥିଲା। ଏଡିଏମ୍‌ଙ୍କ ସମେତ ଏସ୍‌ସିବିର ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ, ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ, ପିଏଚ୍‌ଡିର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘ଼ଡ଼େଇ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସିଲିଣ୍ଡର ଲିକ୍‌ ହୋଇଥିବା ପିଏଚ୍‌ଡି ପମ୍ପ ହାଉସ୍‌ ନିକଟରେ ଟିମ୍‌ ପହଞ୍ଚି ଅନୁଧ୍ୟାନ କରିଥିଲା । ଅନ୍ୟପଟେ କଟକ ଜିଲ୍ଲା ୪୫ଟି ସିଲିଣ୍ଡରକୁ ସଂଗ୍ରହ କରାଯାଇ ଏକାଠି କରାଯାଇଥିବା ବେଳେ ସେଗୁଡ଼ିକ ଡିସ୍‌ପୋଜାଲ୍‌ ପାଇଁ ଯୋଜନା କରାଯାଉଛି । କ୍ଲୋରିନ୍‌ ଗ୍ୟାସ୍‌ ଏତେ ମାରାତ୍ମକ ହୋଇନଥିବା ବେଳେ ବହୁଦିନ ହେବ ଉକ୍ତ ସିଲିଣ୍ଡରଗୁଡ଼ିକ ବ୍ୟବହାର କରାଯାଇନଥିବାରୁ ମେଡିକାଲ୍‌ରେ ଏଭଳି ସ୍ଥିତି ଉପୁଜିଥିବା ଶ୍ରୀ ଆୟର କହିଛନ୍ତି ।

ବଡ଼ ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ କହିଛନ୍ତି ଯେ ଆଜି ମାତ୍ର ୩ ଜଣ ବଡ଼ ମେଡିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି। ଦୁଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ସେଣ୍ଟ୍ରାଲ୍‌ ଆଇସିୟୁର ମହିଳା ଆଟେଣ୍ଡାଣ୍ଟ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କାନୁନଗୋ କହିଛନ୍ତି ।