ଏସ୍‌ସିବି ସ୍ତ୍ରୀ-ରୋଗ ବିଭାଗ ଓ କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌: ଶଯ୍ୟା ସଂଖ୍ୟା ୫ଶହକୁ ବଢ଼ିବ

କଟକ : ଏସ୍‌ସିବି ମେଡିକାଲ୍‌ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ରୂପରେଖ ବଦଳିବ। ଶଯ୍ୟା ଅଭାବରୁ ପ୍ରସୂତି ତଳେ ଚିକିତ୍ସିତ ହେଉଥିବା ବେଳେ ଦିନକୁ ଦିନ ଏସ୍‌ସିବିରେ ପ୍ରସୂତିଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ୫୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଯତ୍ନ ବ୍ୟବସ୍ଥା ତଥା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ୫୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓବିସିସିକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିବାବେଳେ ଯୋଜନାର ସଫଳ ରୂପାୟନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ୨୧୦ ଶଯ୍ୟା ରହିଥିବା ନେଇ ଏସ୍‌ସିବି ପକ୍ଷରୁ ଏମ୍‌ସିଆଇ (ମେଡିକାଲ୍‌ କାଉନସିଲ୍‌ ଅଫ ଇଣ୍ଡିଆ)କୁ ଦର୍ଶାଯାଉଛି। ହେଲେ ପ୍ରକୃତରେ ଏଠାରେ ଶଯ୍ୟା ସଂଖ୍ୟା ୨୦୦ରୁ କମ୍। ସ୍ଥାନାଭାବରୁ ଶଯ୍ୟା ବ୍ୟବସ୍ଥା କରି ହେଉ ନାହିଁ। ଫଳରେ ମହିଳା ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛିମାସ ପୂର୍ବେ ଏସ୍‌ସିବି ପକ୍ଷରୁ ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହି ଆଧାରରେ ଏହାର ଶଯ୍ୟା ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ କର୍କଟ କେନ୍ଦ୍ରର ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଯେଉଁ ସଂପ୍ରସାରଣ କରାଯିବ ସେଥିରେ ରେଡକ୍ରସ୍‌ ଓ ପୁଲିସ କ୍ବାର୍ଟର୍ସ ସବୁ ଭଙ୍ଗାଯିବା ସହ କିପରି ନିର୍ଦ୍ଧାରିତ ସମୟରେ ଏହାର କାର୍ଯ୍ୟ ଶେଷ ହେବ, ସେ ସଂପର୍କରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ‌୍ ପ୍ରଫେସର ଡାକ୍ତର ପ୍ରସେନଜିତ୍‌ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଓ ଓବିସିସିର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର