କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରୁ କଟକ ବଡ଼ ଡାକ୍ତରଖାନାକୁ ୨ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କ ଭିତରୁ ଗୁରୁତର ଥିବା ୭ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ୫୨ରୁ ଅଧିକ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ଓ ୨ଜଣ ‘ଲାମା(ଲେଫ୍ଟ ଏଗେନ୍ଷ୍ଟ ମେଡିକାଲ୍ ଆଡ୍ଭାଇସ୍)ରେ ଅନ୍ୟ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଯାଇଛନ୍ତି। ବର୍ତ୍ତମାନ ୧୪୦ ଜଣ ସର୍ଜରି, ଅର୍ଥୋପେଡିକ୍, ନ୍ୟୁରୋ ସର୍ଜରି, ଟ୍ରମା ଓ ଚକ୍ଷୁ ବିଭାଗ କୋଠାର ୩ୟ ମହଲାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଗୋଡ଼ ଅତ୍ୟଧିକ ଖରାପ ଅବସ୍ଥାରେ ଥିବାରୁ ତାହା କଟାଯିବା ସହ ଆଜି ଅସ୍ତ୍ରୋପଚାର କରାଯାଇ ଆଉ ଜଣେ ମହିଳାଙ୍କ ହାତ କଟାଯାଇଛି।
ଅସ୍ଥିଶଲ୍ୟ ବିଭାଗରେ ୨୯, ଶଲ୍ୟରେ ୫ ଅସ୍ତ୍ରୋପଚାର; ଲାଗିଲାଣି ୨ଶହ ୟୁନିଟ୍ ରକ୍ତ
ସେହିପରି ଅର୍ଥୋପେଡିକ୍, ଟ୍ରମାର ୬ଟି ଟେବୁଲ୍ରେ ଗତକାଲି ୯ଟି ଓ ଆଜି ରାତିସୁଦ୍ଧା ଆଉ ୨୦ଟି ଅସ୍ତ୍ରୋପଚାର କରାଯାଇଛି। ଆସନ୍ତାକାଲି ସୁଦ୍ଧା ୬୦ଜଣଙ୍କର ଅସ୍ତ୍ରୋପଚାର ସରିବ ବୋଲି ସୂଚନା ମିଳିଛି। ଆହତଙ୍କ ହାତ, ଗୋଡ ଓ ଅନ୍ୟାନ୍ୟ ଅଙ୍ଗ ଭାଙ୍ଗିଥିବା ଜଣାପଡିଛି। ସେହିପରି ସର୍ଜରି ବିଭାଗରେ ଲିଭର୍, ଅନ୍ତଃନଳୀରେ କ୍ଷତ ହେବା ଫଳରେ ୫ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି ଓ ୩ଜଣଙ୍କ ଛାତିରୁ ଜମାଟ ବାନ୍ଧିଥିବା ରକ୍ତ କଢ଼ାଯାଇ ପାଇପ୍ ଲଗାଯାଇଛି। ନ୍ୟୁରୋସର୍ଜରି ଓ ସର୍ଜରିରେ କେତେ ଆସ୍ତ୍ରୋପଚାର କରାଯିବ ତାର ନିରୀକ୍ଷଣ କରାଯାଉଥିବା ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି। ପାଖାପାଖି ୨ଶହ ୟୁନିଟ୍ ରକ୍ତ ଆହତଙ୍କ ଚିକିତ୍ସାରେ ବ୍ୟବହାର ହୋଇସାରିଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ୬ଟି ରାଜ୍ୟ; ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଆସାମର ରୋଗୀ ଚିକିତ୍ସିତ ହେଉଛନ୍ତି। ପଶ୍ଚିମବଙ୍ଗର ସର୍ବାଧିକ ୫୨ଜଣ, ବିହାରର ୩୦ଜଣ ଓ ଓଡ଼ିଶାର ୨୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଅନେକ ରୋଗୀଙ୍କ ‘ମଲ୍ଟିପଲ୍ ଫ୍ରାକ୍ଚର୍ ରହିଛି। ଏସ୍ସିବିରେ ସମସ୍ତ ରୋଗୀଙ୍କର ନିୟମିତ ଭିତ୍ତିରେ ଚିକିତ୍ସା କରାଯିବା ସହ ରୋଗୀଙ୍କ ବିଭିନ୍ନ ପରୀକ୍ଷା ଓ ଡାକ୍ତରଙ୍କ ମଧ୍ୟରେ ସମନ୍ବୟ ରଖି ରିକିତ୍ସା କରାଯାଉଛି। ସ୍ବତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ସଂସ୍ଥା ପକ୍ଷରୁ ନିୟନ୍ତ୍ରଣ କକ୍ଷ, ସୂଚନାକେନ୍ଦ୍ର ବି ଖୋଲାଯାଇଛି। ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଡକ୍ଟର୍ ଅବିନାଶ ରାଉତଙ୍କ ତତ୍ତ୍ବାବଧାନରେ ବ୍ୟବସ୍ଥା ତଦାରଖ କରାଯିବା ସହ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀମାନେ ରୋଗୀଙ୍କୁ ସେବା ଯୋଗାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/scbm.jpg)