ଏସ୍‌ସିବି ହେମାଟୋଲୋଜି ବିଭାଗରେ ଅଜବ ସ୍ଥିତି : ଅସ୍ଥିମଜ୍ଜା ପ୍ରତିରୋପଣ କେନ୍ଦ୍ର ପାଲଟିଛି ଔଷଧ ଗୋଦାମ, ଖତ ଖାଉଛି ମୂଲ୍ୟବାନ ମେସିନ୍‌ ଓ ଉପକରଣ

କଟକ : କଟକ ବଡ ମେଡିକାଲରେ ଥିବା ପୂର୍ବ ଭାରତର ଏକମାତ୍ର ସରକାରୀ ଅସ୍ଥିମଜ୍ଜା ପ୍ରତିରୋପଣ କେନ୍ଦ୍ର (ବିଏମ୍‌ଟି) ଏବେ ଔଷଧ ଗୋଦାମ ଘର ପାଲଟିଛି। କୋଟି କୋଟି ଟଙ୍କାର ମେସିନ୍‌ ଓ ପ୍ରତିରୋପଣ ଉପରକରଣ ଅବ୍ୟବହୃତ ଅବସ୍ଥାରେ ପଡ଼ିଛି। ଏସ୍‌ସିବି ମେଡିକାଲ୍‌ ହେମାଟୋଲୋଜି ବିଭାଗରେ ରହିଥିବା ବିଏମ୍‌ଟି ଏଭଳି ସ୍ଥିତିରେ ରହିଥିବାରୁ ଏହା ଭିତରେ ଔଷଧ ପେଟି ରଖାଯିବା ସହ ନିୟମିତ ଅନ୍ତରାଳରେ ସଫେଇ କରାଯାଉନଥିବାରୁ ବିଭିନ୍ନ ସ୍ଥାନରେ ମଇଳା ଜମିବାରେ ଲାଗିଛି।

ବିଏମ୍‌ଟି ଭିତରୁ ଆସୁଥିବା ପବନକୁ ଜୀବାଣୁମୁକ୍ତ ରଖିବା ପାଇଁ ଦୁଇଟି ରୁମ୍‌ରେ ହେପାଫିଲ୍ଟର ଲଗାଯାଇଛି। ୨୦୧୪ ଫେବ୍ରୁଆରି ମାସରେ ଲଗାାଇଥିବା ଉକ୍ତ ଦୁଇ ହେପାଫିଲ୍ଟରର ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ। କେନ୍ଦ୍ରକୁ ଜୀବାଣୁମୁକ୍ତ ରଖିବା ପାଇଁ ବାହାର ଜିନିଷକୁ ଭିତରକୁ ଅଣାଯିବା ଉପରେ ଅନେକ ପ୍ରତିବନ୍ଧକ ରହିଛି। ମେଡିକାଲ୍‌ କର୍ମଚାରୀ ଓ ଡାକ୍ତରମାନେ ଷ୍ଟେରିଲାଇଜ୍‌ ଗାଉନ୍‌ ଓ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ। କେନ୍ଦ୍ରର କାନ୍ଥ ବାଡ ଓ ଚଟାଣକୁ ପ୍ରତି ସପ୍ତାହରେ ଜୀବାଣୁମୁକ୍ତ ରଖିବା ପାଇଁ ସଫା କରାଯାଏ। ହେଲେ ଏବେ କେନ୍ଦ୍ର ବନ୍ଦ ହୋଇ ପଡ଼ିଥିବାରୁ ଏହା ଭିତରକୁ ଜୀବାଣୁମୁକ୍ତ ରଖାଯିବା ବଦଳରେ ଜୀବାଣୁ ଭର୍ତ୍ତି ହେବା ଭଳି ପରିସ୍ଥିତି ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି।

କେବଳ ହେପାଫିଲ୍ଟର ନୁହେଁ, ଷ୍ଟେମ୍‌ ସେଲ୍‌ ସଂଗ୍ରହ ପାଇଁ କୋବ୍‌ସ୍ପେକ୍ଟ୍ରା, ଷ୍ଟେମ୍‌ ସେଲ୍‌ ଗଣିବା ପାଇଁ ଫ୍ଲୋ ସାଇଟୋମିଟର, ଷ୍ଟେମ୍‌ ସେଲ୍‌ ସଂରକ୍ଷିତ ରଖିବା ପାଇଁ ଲିକ୍ୱିଡ୍‌ ନାଇଟ୍ରୋଜେନ୍‌ ସିଷ୍ଟମ୍‌, ଷ୍ଟେମ୍‌ ସେଲ୍‌କୁ ସ୍ୱଭାବିକ ତାପମାତ୍ରାକୁ ଆଣିବାକୁ ଇନ୍‌କ୍ୟୁବେଟର, ସେଲ୍‌ ଭାଇବ୍ରେଟ୍‌ କରିବାକୁ ଏଜିଟେଟର ଇତ୍ୟାଦି ମେସିନ୍‌ ପରି ଏକାଧିକ ଛୋଟ ବଡ଼ ଉପଯୋଗୀ ଉପକରଣ କେନ୍ଦ୍ର ପରିସରରେ ପଡ଼ିରହିଛି। ଉକ୍ତ ସମସ୍ତ ଉପକରଣର ଆନୁମାନିକ ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ଏସବୁ ବ୍ୟତୀତ ରକ୍ତ ସେଲ୍‌ ଗଣିବା ପାଇଁ ୪୦ ଲକ୍ଷ ଟଙ୍କାର ସିବିସି କାଉଣ୍ଟର ମେସିନ୍‌ ଲ୍ୟାବ ଭିତରେ ଆସିବା ଦିନଠୁ ପଡିରହିଛି। ହେଲେ ଆଜି ପର୍ଯ୍ୟନ୍ତ ତାହାର ବ୍ୟବହାର ହୋଇପାରୁ ନାହିଁ। ୨୦୧୪ ମସିହାରେ ବିଏମ୍‌ଟି ଆରମ୍ଭ ହେବା ଦିନଠୁ ସୃଷ୍ଟି ହୋଇଥିବା ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର, ୬ ଷ୍ଟାଫ୍‌ ନର୍ସ, ୧ ଲ୍ୟାବ୍‌ ଟେକ୍ନିସିଆନ୍‌, ୨ ଆଟେଣ୍ଡାଣ୍ଟ ପଦ ଏଯାଏଁ ପୂରଣ ହୋଇପାରିଲାନି। ଏ ଦିଗରେ କେହି ବି ତତ୍ପରତା ଦେଖାଉ ନାହାନ୍ତି। ଏ ସଂକ୍ରାନ୍ତରେ ବିଭାଗର ଭାରପ୍ରାପ୍ତ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ପାତ୍ର କହିଛନ୍ତି ଯେ, ବିଏମ୍‌ଟି କେନ୍ଦ୍ର ମେଡିକାଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି। ତେବେ ବିଏମ୍‌ଟି ଭିତରେ ଔଷଧ ରଖାଯିବା ବିଷୟରେ ସେ ଜାଣିନଥିବାବେଳେ ଏ ଦିଗରେ ନିଶ୍ଚିତ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର