କଟକ: ରାଜ୍ୟର ଏକମାତ୍ର ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ଅତ୍ୟାବଶ୍ୟକ ପରୀକ୍ଷା ପାଇଁ ହନ୍ତସନ୍ତ ହେଉଛନ୍ତି ‌ଶିଶୁ ରୋଗୀ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପାଇଁ ଶିଶୁ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ବାରମ୍ବାର କଟକ ବଡ ମେଡିକାଲକୁ ଧାଇଁବାକୁ ପଡୁଛି। ଏକ୍ସରେ, ଅଲଟ୍ରାସାଉଣ୍ଡ ପରୀକ୍ଷା ବ୍ୟବସ୍ଥା ଥିଲେ ବି ଦିନ ୩ଟା ପରେ ତାହା ବି ହୋଇପାରୁନି। ହଠାତ୍‌ ଯଦି କେହି ଗୁରୁତର ରୋଗୀ ଚିକିତ୍ସା ପାଇଁ ଅପରାହ୍ନରେ ଶିଶୁଭବନ ଆସୁଛନ୍ତି, ତାଙ୍କୁ ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଛୁଟି ଦିନରେ ସେସବୁ ପରୀକ୍ଷା ବନ୍ଦ। ଏପଟେ ଯଦି କୌଣସି ଶିଶୁ ରୋଗୀ ହାତଗୋଡ ଭଙ୍ଗା ଅବସ୍ଥାରେ ଚିକିତ୍ସା ପାଇଁ ଆସନ୍ତି ତେବେ ଶିଶୁ ଭବନରେ ପ୍ଲାଷ୍ଟର ମଧ୍ୟ ହୋଇପାରୁନି। ସେଥିପାଇଁ କଟକ ବଡଡାକ୍ତରଖାନାକୁ ଯିବାକୁ ପଡୁଛି। ଏମ୍‌ଆରଆଇ, ସିଟି ସ୍କାନ୍‌, ଇଇଜି, ଇକୋ ଭଳି ପରୀକ୍ଷା ବ୍ୟବସ୍ଥା ଏଯାଏ ଶିଶୁଭବନରେ ସମ୍ଭବ ହୋଇପାରୁନି।

Advertisment

ଶିଶୁରୋଗୀଙ୍କ ପାଇଁ ଥିବା ରାଜ୍ୟର ଏହି ଏକମାତ୍ର ଚିକିତ୍ସାଳୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନ (ଶିଶୁ ଭବନ)ର ଏଭଳି ସ୍ଥିତି ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ଏହାର ତିଆରି ହୋଇଥିବା ନୂଆ କୋଠା ଲୋକାର୍ପଣ ହୋଇପାରୁନି। କୁହାଯାଉଛି ନୂଆ କୋଠା ଲୋକାର୍ପଣ ହେବାପରେ ଶିଶୁଭବନ ସ୍ବୟଂ ସଂପୂର୍ଣ୍ଣ ହୋଇପାରିବ ଓ ସବୁ ଚିକିତ୍ସା, ପରୀକ୍ଷା ବ୍ୟବସ୍ଥା ଉପଲବ୍ଧ ହୋଇପାରିବ। କିନ୍ତୁ ନୂଆ କୋଠା ନିର୍ମାଣ ହୋଇ ଏଥିପାଇଁ ଆବଶ୍ୟକ ମାନବସମ୍ବଳ ଓ ଉପକରଣ ସଂପର୍କରେ ୬ମାସ ହେଲା ରାଜ୍ୟ ସରକାରଙ୍କୁ ଲେଖା ସରିଥିଲେ ବି ଏଯାଏ ସରକାର ତାହା ଯୋଗାଇ ନାହାନ୍ତି। ଯାହାଫଳରେ ଏହି ନୂଆ କୋଠା ଲୋକାର୍ପଣ ଯୋଜନା ବି ଶୀତଳଭଣ୍ଡାରରେ ପଡିଛି। ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପାଇଁ ଏସ୍‌ସିବି ଦୌଡିବାକୁ ପଡୁଥିବାରୁ ପରୀକ୍ଷା ଓ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି। ଯାହାଫଳରେ ଚିକିତ୍ସା ବ୍ୟବସ୍ଥା ବି ବିଳମ୍ବିତ ହେଉଛି। ଅର୍ଥୋପେଡିକ୍‌, ଦନ୍ତ ଚିକିତ୍ସା, ବର୍ଣ୍ଣ, ନ୍ୟୁରୋଲୋଜି ସଂପର୍କିତ ରୋଗର ଚିକିତ୍ସା ପାଇଁ ଏସ୍‌ସିବି ଉପରେ ଶିଶୁରୋଗୀ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି।

ଶିଶୁଭବନରେ କେବଳ ପେଡିଆଟ୍ରିକ୍‌ ସର୍ଜରି ବିଭାଗ ରହିଛି। ଏପଟେ ଏସ୍‌ସିବିରେ ବି ବିଚିତ୍ର ନିୟମ। ଜେନେରାଲ ସର୍ଜରି ବିଭାଗରେ ୧୨ବର୍ଷ ନହେଲେ ପିଲାଙ୍କର ଅସ୍ତ୍ରୋପଚାର କରାଯାଉନି। ଯଦି ଏସ୍‌ସିବିକୁ କୌଣସି ୧୨ ବର୍ଷରୁ କମ ବୟସର ଶିଶୁରୋଗୀ ହାର୍ନିଆ ବା ଅନ୍ୟ କିଛି ଅସ୍ତ୍ରୋପଚାର ପାଇଁ ଆସୁଛନ୍ତି ତେବେ ସେମାନଙ୍କୁ ଶିଶୁଭବନକୁ ପଠାଇ ଦିଆଯାଉଛି। କିନ୍ତୁ ଏପଟେ ଅବ୍ୟବସ୍ଥା କାରଣରୁ ସେମାନଙ୍କର ବି ଠିକରେ ଚିକିତ୍ସା ହୋଇପାରୁନି। ରାଜ୍ୟର ସର୍ବପୁରାତନ ଶିଶୁ ଚିକିତ୍ସା ପ୍ରତିଷ୍ଠାନର ଏଭଳି ସ୍ଥିତି କେବେ ସୁଧୁରିବ, ତାହାକୁ ନେଇ ଉଦବେଗ ପ୍ରକାଶ ପାଇଛି।