ଆନ୍ଦୋଳନରୁ ଓହରିଲେ ହାଉସ ସର୍ଜନ

କଟକ : ଏସ୍‌ସିବି ହାଉସ ସର୍ଜନ ଛାତ୍ରଛାତ୍ରୀ ସାମୟିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଦାବି ପୂରଣ ପାଇଁ ଡିଏମ୍‌ଇଟି ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ବଡ଼ ମେଡିକାଲରେ ସୁରକ୍ଷା ବ୍ୟବସ୍ଥା ମଜବୁତ୍‌ କରିବା ପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଘରୋଇ ସିକ୍ୟୁରିଟି ସଂସ୍ଥାକୁ ଆଉ ମାସେ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ମାସକ ମଧ୍ୟରେ ସଂସ୍ଥାର କାର୍ଯ୍ୟପ୍ରଣାଳୀକୁ ତଦାରଖ କରାଯିବ। ଯଦି କର୍ତ୍ତୃପକ୍ଷ ସେଥିରେ ସନ୍ତୁଷ୍ଟ ନ ହୁଅନ୍ତି ତାହେଲେ ଅନ୍ୟ କୌଣସି ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି। ସେହିପରି ଷ୍ଟାଇପେଣ୍ଡ ବୃଦ୍ଧି ଉପରେ ମଧ୍ୟ କର୍ତ୍ତୃପକ୍ଷ ସହମତି ଦେଇଥିବା ସୂଚନା ମିଳିଛି।

ଦୁଇ ଦିନତଳେ ହାଉସ ସର୍ଜନଙ୍କ ସହିତ ଘଟିଥିବା ଘଟଣା ପାଇଁ ପରୋକ୍ଷ ଭାବେ କନିଷ୍ଠ ଡାକ୍ତରମାନଙ୍କୁ ଦାୟୀ କରାଯାଉଛି। ପିଜି ଓ ଏସ୍‌ଆର୍‌ ଡାକ୍ତରଙ୍କ ସହିତ ଆସିଷ୍ଟାଣ୍ଟ ପ୍ରଫେସରମାନେ ଓ୍ଵାର୍ଡରେ ରୋଟେସନ୍‌ ଭିତ୍ତିରେ ୨୪ଘଣ୍ଟା ଡ୍ୟୁଟି କରିବେ। କିନ୍ତୁ ରାତିରେ ଅଧିକାଂଶ ସ୍ଥାନରେ କନିଷ୍ଠ ଡାକ୍ତରମାନେ ଡ୍ୟୁଟି କରୁନଥିଲାବେଳେ ହାଉସ ସର୍ଜନଙ୍କ ଉପରେ ସବୁକିଛି ଭାର ଲଦି ଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ଅଭିଜ୍ଞତା ନଥିବାରୁ ରୋଗୀମାନଙ୍କୁ ଠିକ୍‌ ଚିକିତ୍ସା ଦିଆଯାଇପାରୁନଥିବା ଅଭିଯୋଗ ହୋଇଥିଲା। କେତେକ କ୍ଷେତ୍ରରେ ରୋଗୀର ମୃତ୍ୟୁ ମଧ୍ୟ ହୋଇଯାଉଥିଲା। ତେଣୁ ଏହାକୁ ହାଲ୍‌କା ଭାବେ ନନେବାକୁ କର୍ତ୍ତୃପକ୍ଷ ବିଚାର କରିଛନ୍ତି। ଏଥିପାଇଁ କନିଷ୍ଠ ଡାକ୍ତରଙ୍କ ପାଇଁ କେତେକ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କୁ ନିୟମିତ ଭାବେ ଓ୍ଵାର୍ଡ ଡ୍ୟୁଟି ରେଜିଷ୍ଟର୍‌ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଜିଷ୍ଟର୍‌ରେ ଯେଉଁ ସମୟରେ ଯେଉଁ ଡାକ୍ତର ଡ୍ୟୁଟିରେ ରହିବେ ସେମାନଙ୍କ ନାମ ଓ ଦସ୍ତଖତ ନିୟମିତ ରହିବ। ଏଥିସହିତ ଡ୍ୟୁଟି ସରିବା ପରେ ସଂପୃକ୍ତ ଡାକ୍ତର କେତେଜଣ ରୋଗୀଙ୍କୁ ଦେଖିଲେ, କେତୋଟି କଲ୍‌ ଆଟେନ୍‌ କଲେ, କ’ଣ ଅପରେସନ୍‌ କରିଛନ୍ତି ଇତ୍ୟାଦି ସମସ୍ତ ପ୍ରକାରର ବିବରଣୀ ଦୈନିକ ରେଜିଷ୍ଟର୍‌ରେ ରେକର୍ଡ ହେବ। ଯଦି କେହି ଏଥିରେ ଖିଲାପ କରନ୍ତି, ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସଂଧ୍ୟାବେଳେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୧୫ ହଜାରରୁ ୨୮ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଉଠାଯାଇଥିବା ଦାବିକୁ ବଢାଯିବା ପାଇଁ ସରକାର ନିଷ୍ପତ୍ତି ନେବେ। ତଥାପି ସେମାନଙ୍କୁ ଆସିଷ୍ଟାଣ୍ଟ ସର୍ଜନଙ୍କ ଭଳି ୫୦ ପ୍ରତିଶତ ଷ୍ଟାଇପେଣ୍ଡ ଅଧିକ ଦେବାକୁ ସ୍ଥିର କରାଯାଇଥିବା କୁହାଯାଇଛି। ସୁରକ୍ଷା ଜନିତ ଦିଗକୁ ମଜବୁତ୍‌ କରିବା ପାଇଁ ହାଉସ ସର୍ଜନ ସଂଘ ପକ୍ଷରୁ ୧୫ଟି ପ୍ରସଙ୍ଗରେ ଦାବି କରାଯାଇଥିଲା। ସିକ୍ୟୁରିଟି ହବ୍‌, ଜରୁରିକାଳୀନ ସେଲ୍‌, ଟ୍ରାଫିକ୍‌ ନିୟନ୍ତ୍ରଣ, ସିସିଟିଭି ବ୍ୟବସ୍ଥା, ସିକ୍ୟୁରିଟି ଗାର୍ଡଙ୍କୁ ସ୍ୱତନ୍ତ୍ର ତାଲିମ୍‌, ଜରୁରିକାଳୀନ ସେଲ୍‌ରେ ମେଡିକାଲ୍‌ ଶିକ୍ଷକ ରହିବା, ବନ୍ଧୁକଧାରୀ ପୁଲିସ୍‌ ନିୟୋଜନ, ସିକ୍ୟୁରିଟି କଲ୍‌ ସେଣ୍ଟର, ଆଟେଣ୍ଡାଣ୍ଟ ପାସ୍‌ ବ୍ୟବସ୍ଥା ଇତ୍ୟାଦି ଦାବି କରାଯାଇଥିଲା। ଏସବୁ ପାଇଁ କର୍ତ୍ତୃପକ୍ଷ ମାସେ ପର୍ଯ୍ୟନ୍ତ ସମୟ ନେଇଛନ୍ତି। ୧୫ ଦିନରେ ନିଷ୍ପତ୍ତି ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ। ସମୀକ୍ଷା ବୈଠକରେ ଡିଏମ୍‌ଇଟି, ହାଉସ ସର୍ଜନ ପ୍ରତିନିଧି, ମେଡିକାଲ୍‌ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। ଯଦି ହାଉସ ସର୍ଜନ ଛାତ୍ରଛାତ୍ରୀମାନେ ସେଥିରେ ସନ୍ତୁଷ୍ଟ ନହୁଅନ୍ତି ତାହେଲେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ପ୍ରସନ୍ନଜିତ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର