କଟକ: ରାଜ୍ୟର ସର୍ବବୃହତ୍‌ ସରକାରୀ ହସ୍ପିଟାଲ ଏସ୍‌ସିବି ମେଡିକାଲରେ ‌ଏବେ ନର୍ସିଂ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ନିକଟରେ ରାଜ୍ୟରେ ନର୍ସିଂ କର୍ମଚାରୀ ଅଭାବ ପୂରଣ ପାଇଁ ନିଯୁକ୍ତି ଦିଆଯାଇଥିଲେ ବି ସ୍ଥିତି ସୁଧୁରି ନାହିଁ। ତଥ୍ୟ ଅନୁଯାୟୀ ଏସ୍‌ସିବିରେ ୪ଶହରୁ ଅଧିକ ନର୍ସିଂ ପଦ ଖାଲିପଡିଥିବା ବେଳେ କାର୍ଯ୍ୟରେ ଯୋଗଦେଇଛନ୍ତି ମାତ୍ର ୪୧ଜଣ। ରାଜ୍ୟ ସରକାର ଏସ୍‌ସିବି ପାଇଁ ୬୭ଜଣଙ୍କୁ ନିଯୁକ୍ତିପତ୍ର ଦେଇଥିବା ବେଳେ ସେଥିରୁ ୨ଜଣ ଏମ୍‌ସକୁ ଗଲେ। ବାକି ୬୫ରୁ ୧୯ଜଣ କାର୍ଯ୍ୟରେ ଯୋଗ ଦେଲେନି। ଏବଂ ନିଯୁକ୍ତି ପାଇଥିବା ୫ ଜଣ ପଢିବା ପାଇଁ ଚାଲିଗଲେ। ଫଳରେ ଏବେ ଏସ୍‌ସିବିରେ ମାତ୍ର ୪୧ଜଣ ନର୍ସିଂ କର୍ମଚାରୀ ଯୋଗ ଦେଇଛନ୍ତି। ନବନିଯୁକ୍ତ ନର୍ସିଂ କର୍ମଚାରୀଙ୍କୁ ମେଡିସିନ୍‌, ନ୍ୟୁରୋସର୍ଜରି, ଟ୍ରମା ତଥା ବିଭିନ୍ନ ଆଇସିୟୁରେ ନିୟୋଜିତ କରାଯାଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ ଏସ୍‌ସିବିରେ ୨୨ଶହ ମଂଜୁରିପ୍ରାପ୍ତ ବେଡ୍‌ ରହିଥିବାବେଳେ ବାସ୍ତବରେ ବେଡ୍‌ ସଂଖ୍ୟା କିନ୍ତୁ ୨୬ ଶହରୁ ଅଧିକ। ଏପଟେ ମେଡିସିନ୍‌, ନ୍ୟୁରୋସର୍ଜରି, ନ୍ୟୁରୋଲୋଜି, ଅସ୍ଥିଶଲ୍ୟ, ନେଫ୍ରୋଲୋଜି ଭଳି ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ ସହ ସବୁ ବିଭାଗରେ ବେଡ୍‌ ନପାଇ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ। ଏପଟେ ରୋଗୀଙ୍କ ଚିକିତ୍ସା ପାଇଁ ୧୨୮୧ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ପଦ ରହିଥିଲେ ବି ବାସ୍ତବ ଆବଶ୍ୟକତା କିନ୍ତୁ ଦୁଇଗୁଣାରୁ ଅଧିକ। କିନ୍ତୁ ମଂଜୁରୀପ୍ରାପ୍ତ ୧୨୮୧ ପଦବିରୁ ୪ଶହ ନର୍ସିଂ ପଦ ଖାଲି ପଡିଛି। ଏପଟେ ପ୍ରତି ମାସରେ ୨/୩ଜଣ ନର୍ସିଂ କର୍ମଚାରୀ ବି ଅବସର ନେଉଛନ୍ତି। ନିୟମିତ ଭାବେ କିଛି କର୍ମଚାରୀ ମାତୃତ୍ବ ଛୁଟିରେ ରହୁଛନ୍ତି ତ ବିଭିନ୍ନ କାରଣରୁ କର୍ମଚାରୀ ଛୁଟିରେ ବି ରହୁଛନ୍ତି। ଏଭଳି ସ୍ଥିତିରେ ଏସ୍‌ସିବିରେ ନର୍ସିଂ କର୍ମଚାରୀଙ୍କ ଗୁରୁତର ସଙ୍କଟ ଯୋଗୁଁ ଚିକିତ୍ସା ବ୍ୟବସ୍ଥା ସଙ୍ଗିନ ହୋଇପଡୁଛି। ଡାକ୍ତର ଔଷଧ, ଇଞ୍ଜେକସନ୍‌ ଲେଖିଲେ ତାକୁ ଠିକ୍‌ ସମୟରେ ରୋଗୀଙ୍କୁ ଦେବାକୁ ବି ଏବେ ନର୍ସିଂ କର୍ମଚାରୀ ଅଭାବ ଥିବା କୁହାଯାଉଛି। ଏଭଳି ସ୍ଥିତି ତୁରନ୍ତ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।