ସଫଳତାରୁ ଏସ୍‌ସିବି ବଞ୍ଚିତ: ହୋଇପାରିଲାନି ପଞ୍ଚମ କାଡାଭରିକ୍‌ ପ୍ରତିରୋପଣ

ମେଳ ଖାଇଲାନି କିଡ୍‌ନି; ଆପୋଲୋକୁ ଫେରାଇ ଦେଲେ କର୍ତ୍ତୃପକ୍ଷ
ଆପୋଲୋରେ ନୂଆ ଜୀବନ ପାଇଲେ ଯୁବକ, ମହିଳା

କଟକ/ଭୁବନେଶ୍ବର : ରାଜ୍ୟ ଚିକିତ୍ସା ବିଜ୍ଞାନରେ ପୁଣି ଏକ ସଫଳତାର ଫର୍ଦ୍ଦ ଯୋଡ଼ିଥା’ନ୍ତା କଟକ ବଡ଼ଡାକ୍ତରଖାନା। ଏସ୍‌ସିବିରେ ଆଜି ହୋଇଥା’ନ୍ତା ରାଜ୍ୟର ପଞ୍ଚମ କାଡାଭରିକ୍‌ ପ୍ରତିରୋପଣ। କିନ୍ତୁ ସବୁ ଯୋଜନା, ପ୍ରସ୍ତୁତି ଶେଷରେ ନିଷ୍ଫଳ ହୋଇଗଲା। କାଡାଭରିକ୍‌ ପ୍ରତିରୋପଣ ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଗ୍ରିନ୍‌ କରିଡରରେ ଆସିଥିବା ଦୁଇଟି କିଡ୍‌ନି ରୋଗୀର ଶରୀର ସହ ମେଳ ନ ଖାଇବା ଫଳରେ ଏସ୍‌ସିବିରେ ଏହାର ପ୍ରତିରୋପଣ ସମ୍ଭବ ହୋଇ ପାରିନଥିଲା। ତେଣୁ କର୍ତ୍ତୃପକ୍ଷ ପ୍ରତିରୋପଣ ପାଇଁ ଆଣିଥିବା ଦୁଇଟି କିଡ୍‌ନିକୁ ପୁଣି ଆପୋଲୋ ହସ୍ପିଟାଲକୁ ପଠାଇବାକୁ ବାଧ୍ୟ ହୋଇଛନ୍ତି। ଗୋଟିଏ ପଟେ କିଡ୍‌ନି ପାଇବା ପାଇଁ ଶହ ଶହ ରୋଗୀ ଅପେକ୍ଷା କରି ରହିଥିବା ବେଳେ ଏଭଳି କିଡ୍‌ନି ଆସିବା ଏବଂ ବ୍ୟବହାର ନ ହୋଇ ପୁଣି ଅନ୍ୟ ବେସରକାରୀ ସଂସ୍ଥାକୁ ଫେରି ଯିବା ଘଟଣା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦାର ୬ବର୍ଷ ବାଳକକୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯିବା ପରେ ତାଙ୍କର ଅଙ୍ଗଦାନ ପାଇଁ ପରିବାରବର୍ଗ ସ୍ବୀକୃତି ଦେଇଥିଲେ। ଫଳରେ, ବିଶେଷଜ୍ଞଙ୍କ ଦ୍ବାରା ଉକ୍ତ ପିଲାର ଦୁଇଟି କିଡ୍‌ନିକୁ କଢାଯାଇଥିଲା। ଏହି ଦୁଇଟି କିଡ୍‌ନି ଏସ୍‌ସିବି ମେଡିକାଲକୁ ଗ୍ରିନ୍‌ କରିଡରରେ ଅଣାଯାଇ ଦୁଇଜଣ ରୋଗୀଙ୍କଠାରେ କାଡାଭରିକ୍‌ ପ୍ରତିରୋପଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୋଟୋ ବା ଷ୍ଟେଟ୍‌ ଅର୍ଗାନ୍ ଏଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ ମଧ୍ୟ ଏହାକୁ ଅନୁମୋଦନ କରିଥିଲା। ଫଳରେ ଅଧ ରାତିରୁ ପ୍ରସ୍ତୁତ ହୋଇ ରହିଥିଲା ଏସ୍‌ସିବି ୟୁରୋଲୋଜି ବିଭାଗ ଓଟି। ତା ସାଙ୍ଗକୁ ଉଭୟ ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗ ଟିମ୍‌ ବି ପ୍ରସ୍ତୁତ ହୋଇ ରହିଥିଲେ। ଯେଉଁମାନଙ୍କ ଶରୀରରେ କିଡ୍‌ନି ପ୍ରତିରୋପଣ କରାଯିବ ସେମାନେ ବି ଏସ୍‌ସିବିରେ ପହଞ୍ଚି ସାରିଥିଲେ। ଅର୍ଥାତ୍‌ କିଡ୍‌ନି ପ୍ରତିରୋପଣ ଅପେକ୍ଷାରେ ଥିବା ଗଞ୍ଜାମ ଓ ଖୋର୍ଦ୍ଧାର ଦୁଇ ଜଣ ରୋଗୀଙ୍କ ଶରୀରରେ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ କରାଯାଇଥାନ୍ତା। ଏସ୍‌ସିବି ବି‌ଶେଷଜ୍ଞ ଟିମ୍‌ ଦୁଇଟି କିଡ୍‌ନିକୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଗ୍ରିନ୍‌ କରିଡରରେ ସକାଳେ ୭ଟା ୧୫ ସୁଦ୍ଧା ଆଣି ଏସ୍‌ସିବିରେ ପହଞ୍ଚି ଥିଲେ। ଯେହେତୁ ଉକ୍ତ କିଡ୍‌ନି ଦୁଇଟି ‘ଓ’ ପଜିଟିଭ୍‌ ବ୍ଲଡ୍ ଗ୍ରୁପ୍‌ର, ଏସ୍‌ସିବିରେ କିଡ୍‌ନି ଅପେକ୍ଷାରେ ଥିବା ଦୁଇଜଣ ରୋଗୀ ବି ସମାନ ବ୍ଲଡ୍ ଗ୍ରୁପ୍‌ର ଥିଲେ। କିନ୍ତୁ ସେମାନଙ୍କ ଶରୀରରେ ଏହା ମେଳ ଖାଇ ନଥିଲା। ଫଳରେ ତୁରନ୍ତ ଏସ୍‌ସିବି କର୍ତ୍ତୃପକ୍ଷ ଉକ୍ତ ଦୁଇଟି କିଡ୍‌ନିକୁ ପୁଣି ଯେଉଁଭଳି ପ୍ରକ୍ରିୟାରେ ଆଣିଥିଲେ ସେହି ପ୍ରକ୍ରିୟାରେ ଆପୋଲୋ ହସ୍ପିଟାଲକୁ ସକାଳ ୯ଟା ସୁଦ୍ଧା ପଠାଇ ଦେଇଥିଲେ।

ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସମୀର ସ୍ବାଇଁ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ସବ୍ୟସାଚୀ ପଣ୍ଡା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ଶରତ ପରିଡାଙ୍କ ‌ସମେତ ଟିମ୍‌ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁ କହିବା ଅନୁଯାୟୀ ରୋଗୀଙ୍କ ଶରୀର ସହ ପ୍ରତିରୋପଣ ପାଇଁ ଆସିଥିବା କିଡନି ମେଳ ଖାଇ ନଥିଲା। କିଡ୍‌ନି ମ୍ୟାଚ୍‌ ନ କଲେ ରୋଗୀଙ୍କ ପାଇଁ ବିପଦ। ତେଣୁ ଆମେ ଯେଉଁ ପ୍ରକ୍ରିୟାରେ ଆଣିଥିଲୁ ସେହି ପ୍ରକ୍ରିୟାରେ ଆପୋଲୋ ହସ୍ପିଟାଲକୁ ଦୁଇଟି କିଡ୍‌ନିକୁ ପଠାଇ ଦେଇଥିଲୁ। ଏଠାରେ ସୂଚନା ଯୋଗ୍ୟ ଯେ, ଶେଷଥର ପାଇଁ ଗତ ମେ ୧୭ରେ ଏସ୍‌ସିବିରେ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ କାଡା‌ଭରିକ୍ ପ୍ରତିରୋପଣ କରାଯାଇଥିଲା।

୨ ନୂଆ ଜୀବନ ପାଇଲେ
ବାଲିକୁଦା ଅଞ୍ଚଳର ୬ବର୍ଷ ବାଳକର ବ୍ରେନ୍ ଡେଡ୍ ଯୋଗୁଁ ଉପଲବ୍ଧ ହୋଇଥିବା ୨ଟି କିଡ୍‌ନି ପାଇଁ ଜଣେ ଯୁବକ ଓ ମହିଳା ନୂଆ ଜୀବନ ପାଇଛନ୍ତି। ୨୯ବର୍ଷର ଜଣେ ଯୁବକଙ୍କ ଶରୀରରେ ଏହି କିଡ୍‌ନି ଲାଗିଥିବା ବେଳେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କୁ ଏବେ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜଣେ ୫୩ବର୍ଷିୟା ମହିଳାଙ୍କଠାରେ ଆଉ ଏକ କିଡ୍‌ନି ଲଗାଯାଇଛି। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଜାରି ରହିଥିବା ଆପୋଲୋ ସୂତ୍ରରୁ ସୂଚନା ମିଳିଛି। କିଡ୍‌ନି ପାଇଥିବା ଜଣେ ବ୍ୟକ୍ତି କଟକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର