କଟକ: କଟକ ବଡ଼ ଡାକ୍ତରଖାନା ନାଁ ବ୍ୟବହାର କରି ଏକ ଘରୋଇ ସଂସ୍ଥା ଚାକିରି ବିକ୍ରି କରିଛି। ଏହି ସଂସ୍ଥାର ମାଲିକ ଅରଜିତ ମହାନ୍ତି ଓ ଅର୍ପିତ ମହାନ୍ତିଙ୍କ ସମ୍ପୃକ୍ତି ସାମନାକୁ ଆସିବା ସହ ଠକେଇର ଶିକାର ହୋଇଥିବା ପ୍ରାୟ ୨ଶହ ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବିଶେଷକରି କଟକ ଓ କେନ୍ଦ୍ରାପଡ଼ା ଅଞ୍ଚଳର ବେକାର ଯୁବକଯୁବତୀ ଏଭଳି ଠକେଇର ଶିକାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମଙ୍ଗଳାବାଗ ଥାନାରେ ଚାରିଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ୨୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସଂଯୁକ୍ତା ମ୍ୟାନ୍ପାଵାର ସର୍ଭିସ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟାଳୟ ନୂଆବଜାରରେ ଥିବା ବେଳେ ଗହ୍ମାଡ଼ିଆରେ ତାର ଶାଖା କାର୍ଯ୍ୟାଳୟ ରହିଛି। ଏହି ସଂସ୍ଥାର ନିର୍ଦ୍ଦେଶକ ଅର୍ପିତ୍ ମହାନ୍ତି ଓ ମ୍ୟାନେଜିଂ ଡାଇରେକ୍ଟର ଅର୍ଜିତ ମହାନ୍ତି କଟକ ବଡ଼ ଡାକ୍ତରଖାନାରେ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ବେକାର ଯୁବକ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏମାନେ ବଡ଼ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ପଦବି ପାଇଁ ୨୦ ହଜାର ଟଙ୍କା, ସିକ୍ୟୁରିଟି ସୁପରଭାଇଜର ପାଇଁ ୨୫ ହଜାର, ଡାଟା ଏଣ୍ଟ୍ରି ଅପରେଟର୍ ପାଇଁ ୨୫ ହଜାର, ଡାଟାଏଣ୍ଟ୍ରି ସୁପରଭାଇଜର୍ ପାଇଁ ୩୫ ହଜାର, ଆଟେଣ୍ଡାଣ୍ଟ ପାଇଁ ୨୫ ହଜାର, ଆଟେଣ୍ଡାଣ୍ଟ ସୁପରଭାଇଜର୍ ପାଇଁ ୩୫ ହଜାର, ଜିଏନ୍ଏମ୍ ନର୍ସିଂ ପାଇଁ ୪୦ ହଜାର ଟଙ୍କାରେ, ଏଏନ୍ଏମ ନର୍ସିଂ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ବେକାର ଯୁବକଯୁବତୀଙ୍କ ଠାରୁ ଆଦାୟ କରିଥିବା ଅଭିଯୋଗ ହୋଇଛି।
୪ ମାମଲାରେ ୨୭ ଲକ୍ଷ ଟଙ୍କା ଠକେଇ
ଥାନାକୁ ଆସିଲେଣି ଠକେଇର ଶିକାର ୨୦୦ ଯୁବକ
ଏହି ମାମଲାରେ ପୂର୍ବରୁ ଅର୍ଜିତ ଓ ଅର୍ପିତ ଗିରଫ ହୋଇଥିବା ବେଳେ ଗତ ୧୧ ତାରିଖରେ ଦୁଇ ସହଯୋଗୀ ମଙ୍ଗଳାବାଗ ଥାନା ମହ୍ଲାସାହିର ଦେବାଶିଷ ଦାସ ଏବଂ ସଦର ଗୋପାଳପୁରର ଅକ୍ଷୟ କୁମାର ପ୍ରଧାନ ଗିରଫ ହୋଇଛନ୍ତି। ଆଜି ଆହୁରି ୧୨ ଜଣ ଯୁବକ ଅଭିଯୋଗ ନେଇ ମଙ୍ଗଳାବାଗ ଥାନାରେ ଫେରାଦ ହୋଇଛନ୍ତି। ପ୍ରିୟବ୍ରତ ଦାସ, ହୃଷୀକେଶ ସାହୁ, ସୁନୀତା ନାୟକ, ଅପର୍ଣ୍ଣା ଶୁଭଲକ୍ଷ୍ମୀ ଭଟ୍ଟ, ଶୁଭମ କୁଣ୍ଡୁ, ବିଶ୍ବରଞ୍ଜନ ସାହୁ, ସୌମ୍ୟରଞ୍ଜନ ସାହୁ, ପ୍ରଫୁଲ୍ଲ କୁମାର ସେଠୀ ପ୍ରମୁଖ ସେମାନଙ୍କ ଠାରୁ ଦୁଇ ଭାଇ ଚାକିରି ଦେବା ଆଳରେ ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅକ୍ଟୋବର ଶେଷ ଆଡ଼କୁ ଅର୍ପିତ ମହାନ୍ତି ନିଜ ଫେସ୍ବୁକରେ ନିଯୁକ୍ତି ବିଜ୍ଞାପନ ପୋଷ୍ଟ କରିଥିଲା। ଏହି ପୋଷ୍ଟ ଦେଖି ଉପରୋକ୍ତ ଯୁବକ ଯୁବତୀମାନେ ତାଙ୍କୁ ଫୋନ୍ କରିଥିଲେ। ସେମାନଙ୍କୁ ସେ ଗହ୍ମାଡ଼ିଆରେ ଥିବା ଶାଖା କାର୍ଯ୍ୟାଳୟକୁ ଡାକିଥିଲା। ସେଠାରେ ସେ ସେମାନଙ୍କୁ ବଡ଼ ଡାକ୍ତରଖାନାରେ ନିଯୁକ୍ତି ପ୍ରଦାନ ପାଇଁ ଟେଣ୍ଡର ଆବେଦନ କରାଯାଇଥିବା ସଂକ୍ରାନ୍ତରେ କାଗଜପତ୍ର ଦେଖାଇଥିଲେ। ପୂର୍ବରୁ ଯେଉଁମାନଙ୍କୁ ବଡ଼ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି, ସେମାନଙ୍କ ପରିଚୟପତ୍ର ଓ ନିଯୁକ୍ତି ପତ୍ରର ନକଲ ବି ଦୁଇ ଭାଇ ଦେଖାଇଥିଲେ। ଫଳରେ ଏହି ଯୁବକଯୁବତୀମାନେ ଡାଟା ଏଣ୍ଟ୍ରି ସୁପରଭାଇଜର ଓ ଆଟେଣ୍ଡାଣ୍ଟ ସୁପରଭାଇଜର୍ ପଦବି ପାଇଁ ନଭେମ୍ବର ୧୪ରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଜମା କରିଥିଲେ। ଅନ୍ଲାଇନ୍ରେ ଦେଢ଼ ଲକ୍ଷ ଟଙ୍କା ଓ ନଗଦ ଆକାରରେ ୧ ଲକ୍ଷ ଟଙ୍କା ସେମାନେ ଦେଇଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ନିଯୁକ୍ତି ମିଳିନଥିଲା। ଏହି ଯୁବକଯୁବତୀ କଟକର ମାହାଙ୍ଗା, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ଝାଞ୍ଜିରୀମଙ୍ଗଳା, ରାଣୀହାଟ ସମେତ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/05/SCB-Medical.jpg)