ଏସ୍ସିବି: ବିକାଶରେ କିଏ ବାଧକ?
ଗ୍ରିନ୍ ଲାଇଟ୍ ଲେଜର କିଣାରେ କେଁ , ୫ ବର୍ଷ ପୂର୍ବରୁ ହୋଇଥିଲା ନିଷ୍ପତ୍ତି
କଟକ : କଟକ ବଡ ଡାକ୍ତରଖାନା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର। କିନ୍ତୁ ବଡ ଡାକ୍ତରଖାନାର ୟୁରୋଲୋଜି ବିଭାଗ ପାଇଁ ଦେଢ କୋଟି ଟଙ୍କା ବ୍ୟୟରେ କିଣାଯିବାକୁ ଥିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଗ୍ରିନ ଲାଇଟ୍ ଲେଜର ମେସିନ୍ ବିଭାଗକୁ ଆସି ପାରୁ ନାହିଁ। ବୁର୍ଲାର ଭୀମସାରରେ ୨୦୧୯ରୁ ଏହି ମେସିନ୍ ଲାଗି ସାରିଥିବା ବେଳେ କଟକ ବଡ ଡାକ୍ତରଖାନାରେ କେଉଁ କାରଣରୁ ଏହା ୫ ବର୍ଷ ହେଲା ଅଟକି ରହିଛି ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।
ବର୍ଷେ କି ଦୁଇ ବର୍ଷ ନୁହେଁ, ୫ ବର୍ଷ ହେଲା ଯୋଜନାରେ ଅଟକିଛି ଏହି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା। ସ୍ବାସ୍ଥ୍ୟ ବିଭାଗ ୨୦୧୫-୧୬ରେ ଏସ୍ସିବି ୟୁରୋଲୋଜି ବିଭାଗରେ ପୋଷ୍ଟ୍ରେଟ୍ ରୋଗୀଙ୍କ ପାଇଁ ଗ୍ରିନ୍ ଲାଇଟ୍ ଲେଜର(୧୮୦ୱାଟ୍) ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ସ୍ବୀକୃତି ଦେଇଥିଲା। ଓଡିଶା ଷ୍ଟେଟ୍ ମେଡିକାଲ କର୍ ପୋରେସନ୍ (ଓଏସ୍ଏମ୍ସି) ମଧ୍ୟ ଏହି ଦେଢ କୋଟିର ଉପକରଣ ପାଇଁ ଟେଣ୍ଡର କଲା। କିନ୍ତୁ ତାହା ଚୂଡାନ୍ତ ହୋଇପାରୁନି। ଏପଟେ ଭୀମସାରରେ ୨୦୧୯ ମାର୍ଚ୍ଚରୁ ଏହି ଉପକରଣ ଲାଗି ସାରିଥିବାବେଳେ ରାଜ୍ୟର ସବୁଠାରୁ ବଡ ରେଫ୍ରାଲ ଓ ଉତ୍କର୍ଷ କେନ୍ଦ୍ରର ମାନ୍ୟତା ପାଇବାକୁ ହକ୍ଦାର ଥିବା ଏସ୍ସିବି ୟୁରୋଲୋଜି ବିଭାଗରେ କଣ ପାଇଁ ତାହା କାର୍ଯ୍ୟକ୍ଷମ ହୋଇପାରୁନି ତାହା ବିଭିନ୍ନ ମହଲରେ ଆଲୋଚନାର ପ୍ରସଙ୍ଗ ହୋଇଛି।
ଦିନକୁ ଦିନ ରାଜ୍ୟରେ ପୋଷ୍ଟ୍ରେଟ୍ ରୋଗୀଙ୍କ ସଂଖ୍ୟା ବଢୁଛି। କଟକ ବଡ ଡାକ୍ତରଖାନା ୟୁରୋଲୋଜି ବିଭାଗରେ ଦିନକୁ ଚିକିତ୍ସା ପାଇଁ ହାରାହାରି ଭାବେ ୧୦ରୁ ୧୫ଜଣ ରୋଗୀ ଆସୁଥିବାବେଳେ ପ୍ରତ୍ୟହ ୩ରୁ ୫ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଛି। ଅର୍ଥାତ୍ ହାରାହାରି ମାସକୁ ୮୦ରୁ ୯୦ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଛି କଟକ ବଡ ଡାକ୍ତରଖାନାରେ। ତେବେ କିପରି ଅତ୍ୟାଧୁନିକ ବ୍ୟବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ ସେଥିପାଇଁ ୨୦୧୪ରେ ଚୌଦ୍ବାର-କଟକର ତତ୍କାଳୀନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। ଏସ୍ସିବି ୟୁରୋଲୋଜି ବିଭାଗ ପାଇଁ ଗ୍ରିନ୍ ଲାଇଟ୍ ଲେଜର ଉପକରଣ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ବିଧାୟକଙ୍କ ସୁପାରିସକୁ ଭିତ୍ତିକରି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଯୁଗ୍ମ ନିର୍ଦ୍ଦେଶକ ଏସ୍ଡିଏମ୍ୟୁଙ୍କୁ (ଚିଠି ନମ୍ବର ୫/୧୦/୨୦୧୫) ଏସ୍ସିବି ମେଡିକାଲ କଲେଜ ପାଇଁ ଏକ ଗ୍ରିନ୍ ଲାଇଟ୍ ଲେଜର ଯୋଗାଣ ପାଇଁ ଚିଠି କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ ଏସ୍ସିବି କର୍ତ୍ତୃପକ୍ଷ ଓ ୟୁରୋଲୋଜି ବିଭାଗର ମୁଖ୍ୟଙ୍କୁ ଏହି ଉପକରଣର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରି ଚିଠି କରିଥିଲେ। ଓଡିଶା ଷ୍ଟେଟ୍ ମେଡିକାଲ କର୍ ପୋରେସନ୍ (ଓଏସ୍ଏମ୍ସି ) ଏହି ଉପକରଣ ପାଇଁ ୨୦୧୯ରୁ ଟେଣ୍ଡର ଆହ୍ବାନ କରିସାରିଛନ୍ତି। କିନ୍ତୁ ପ୍ରକ୍ରିୟା ଚୂଡାନ୍ତ ହୋଇପାରୁନି। କେବଳ ଚିଠି ଦିଆନିଆରେ ଅଟକିଛି ଯୋଜନା। ଗ୍ରିନ୍ ଲାଇଟ୍ ଲେଜର ଭଳି ଏସ୍ସିବିରେ ଅନେକ ଉପକରଣ କ୍ରୟରେ ଓଏସ୍ଏମ୍ସି ବାଧକ ସାଜିଥିବା ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ଘରୋଇ ନର୍ସିଂହୋମକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ବଡ ଯୋଜନା ଅଟକି ଯାଉଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ବଡ ଡାକ୍ତରଖାନା ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା କହିଛନ୍ତି ଯେ ଖୁବ୍ଶୀଘ୍ର ଏହା ଏସ୍ସିବିକୁ ଆସିବ ବୋଲି ଆଶା କରାଯାଉଛି। ଏହା ଆସିଲେ ନିଶ୍ଚିତ ଭାବେ ରୋଗୀ ଉପକୃତ ହୋଇପାରିବେ।