ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର : ଛାତିରେ ଲାଗିଥିବା ମୁହଁ ଅଲଗା ହେଲା

କଟକ : ସାରାଦେଶ ବର୍ତ୍ତମାନ କରୋନାକୁ ନେଇ ଆତଙ୍କରେ। ଏଭଳି ସମୟରେ କଟକ ବଡ଼ଡାକ୍ତରଖାନା ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ହୋଇଛି ଏକ ଅତି ବିରଳ ଅସ୍ତ୍ରୋପଚାର। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏକ ୧୪ବର୍ଷର ନାବାଳିକା ଦୀପ ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଥିଲେ। ତାଙ୍କର ଚିକିତ୍ସା ଠିକ୍‌ଭାବରେ ହୋଇ ନ ପାରିବା ଫଳ‌ରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସହ ଛାତିଡିରେ ମୁହଁ ଲାଗିଯାଇଥିଲା। ଏହି ନାବାଳିକା ପୂଜା ସେଠୀଙ୍କ ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ହେବା ସହ ନୂଆ ଜୀବନ ପାଇଛନ୍ତି।

ସୂଚନା‌ ଅନୁସାରେ, ଗଞ୍ଜାମ ଜିଲ୍ଲା ଆସ୍କା ବଡଖୋଲି ଗ୍ରାମର ପୂଜା ଗତବର୍ଷ ମାର୍ଚ୍ଚ ମାସରେ ଦୀପ ଜାଳୁଥିବାବେଳେ ପୋଡ଼ି ଯାଇଥିଲେ। ପ୍ରଥମେ ପରିବାରବର୍ଗ ତାଙ୍କୁ ଆସ୍କା ଓ ପରେ ଏମ୍‌କେସିଜି ବ୍ରହ୍ମପୁରକୁ ନେଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏସ୍‌ସିବି ସର୍ଜରି ବିଭାଗରେ ଥିବା ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ମାସ ଧରି ତାଙ୍କ ଚିକିତ୍ସା ପରେ ମଧ୍ୟ ଅବସ୍ଥାରେ ସୁଧାର ଆସିନଥିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେଇଯାଇଥିଲେ। ଶେଷରେ ଚିକିତ୍ସା ନପାଇ ପୂଜାଙ୍କ ବେକ ଓ ମୁହଁର ତଳ ଅଂଶ ଛାତିରେ ଲାଗିଯାଇଥିଲା। ଯା’ଫଳରେ ପୂଜା ଖାଇପାରୁନଥିଲେ। ଶରୀର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲା। ‌ଶେଷରେ ପୁଣି ଗତ ଫେବ୍ରୁଆରି ୧୮ତାରିଖରେ ପୂଜାଙ୍କୁ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏସ୍‌ସିବିରେ କୃତ୍ରିମ ନଳୀ ମାଧ୍ୟମରେ ତାଙ୍କୁ ଖାଦ୍ୟ ଦିଆଯାଇଥିଲା।

ଧୀରେ ଧୀରେ ପୂଜାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ପ୍ରଫେସର ଡାକ୍ତର ବିଭୂତି ଭୁଷଣ ନାୟକଙ୍କ ନେତୃତ୍ବରେ ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ରଶ୍ମିରଂଜନ ମହାନ୍ତି, ଡାକ୍ତର ଦୀପକ ସାହୁ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ରୋଜାଲିନ୍‌ ମିଶ୍ର, ନିଶ୍ଚେତକ ବିଭାଗ ଡାକ୍ତର ସଞ୍ଜିବ୍‌ ପ୍ରମୁଖ ଅସ୍ତ୍ରୋପଚାର କରି ମୁହଁକୁ ଛାତିରୁ ଅଲଗା କରିଥିଲେ। ଅସ୍ତ୍ରୋପଚାର ପରେ ପୂଜା ସୁସ୍ଥ ଥିବା ଓ ସାଧାରଣ ଭାବେ ଖାଦ୍ୟ ଖାଉଥିବା ଡାକ୍ତର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର