କଟକ ବଡ଼ ଡାକ୍ତରଖାନା ହେବ ବିଶ୍ୱସ୍ତରୀୟ : କ୍ୱାର୍ଟର୍ସ ଛାଡ଼, ନ ହେଲେ ବିଜୁଳି-ପାଣି ବନ୍ଦ

ସଂପ୍ରସାରଣ ଓ ବିକାଶ ସମୀକ୍ଷା, କ୍ୟାମ୍ପସରୁ ଅନଧିକୃତ ଲୋକଙ୍କୁ ହଟାଯିବ

କଟକ : କଟକ ବଡ଼ ଡାକ୍ତରଖାନା ହେବ ବିଶ୍ବସ୍ତରୀୟ। ସେଥିପାଇଁ ସାଢେ ୩ମାସ ହେଲା ଚାଲିଛି ଉଚ୍ଛେଦ ଓ ସମୀକ୍ଷା କାର୍ଯ୍ୟକ୍ରମ। ସଂପ୍ରସାରଣ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ମେଡିକାଲ କ୍ୟାମ୍ପସ ପରିସରରେ ଥିବା ସରକାରୀ କ୍ବାର୍ଟର୍ସଗୁଡିକୁ ଜୁନ୍ ଶେଷସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁମାନେ କ୍ବାର୍ଟର୍ସ ନଛାଡ଼ିବେ ଜୁଲାଇ ୭ତାରିଖରୁ ସେମାନଙ୍କର ବିଦ୍ୟୁତ୍‌ ଓ ପାଣି ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି ବୈଠକ‌ରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମେଡିକାଲ ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଜୁଲାଇ ୧୫ସୁଦ୍ଧା ଆଇଏମ୍‌ଆଇଟିକୁ ଜଗତ୍‌ପୁର ଓ ମଧୁସୂଦନ ଆଇଟିଆଇକୁ ଚୌଦ୍ବାର ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଏସ୍‌ସିବି ମେଡିକାଲ ପବ୍ଲିକ୍‌ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବର୍ତ୍ତମାନ ପରିପେକ୍ଷୀରେ ସ୍ଥଗିତ ରଖାଯାଇଛି।

କେନ୍ଦ୍ରା˚ଚଳ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାମଲ ବଡ଼ ଡାକ୍ତରଖାନା ସ˚ପ୍ରସାରଣ ଅଗ୍ରଗତି କାର୍ଯ୍ୟରେ ସମୀକ୍ଷା କରିଥିଲେ। ସୁଇପର କଲୋନି ଓ ବେହେରା କଲୋନି ବାସିନ୍ଦାଙ୍କ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ସେମାନଙ୍କୁ ପୁନର୍ବାସ ଓ ଥଇଥାନ କରାଯିବ ବୋଲି କହିଥିଲେ। କ‌ଲୋନିର ଯେଉଁମାନେ କ୍ବାର୍ଟର୍ସ ଛାଡି ଅନ୍ୟତ୍ର ରହିବେ ସେମାନଙ୍କୁ ସ୍ବତନ୍ତ୍ର ଘରଭଡ଼ା ଦେୟ ଅଧିକ ଦିଆଯିବ। ଅନ୍ୟପଟେ ଯେଉଁ ୨ଶହ ପାଖାପାଖି ଅନଧିକାର ଭାବେ ଏସ୍‌ସିବି ପରିସରରେ ରହିଛନ୍ତି ସେମାନଙ୍କୁ ଉଚ୍ଛେଦ କରାଯିବ ଓ ନିମପୁର ବସ୍ତିରେ ଅସ୍ଥାୟୀ ଭାବେ ଥଇଥାନ କରାଯିବ। ତା ସହିତ ସେମାନଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ତରଫରୁ ୫୦ହଜାର ଟଙ୍କା ଲେଖାଏର ଆର୍ଥିକ୍‌ ପ୍ୟାକେଜ୍‌ ମଧ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସମୀକ୍ଷା ବୈଠକରେ ପ୍ରକାଶ କରିଥିଲେ। ବଡ଼ ଡାକ୍ତରଖାନା ସ˚ପ୍ରସାରଣ ନିମନ୍ତେ ମେଡିକାଲ ସନ୍ନିକଟ ତାଳଦଣ୍ତା କେନାଲର ଉଭୟପାର୍ଶ୍ବ ରାସ୍ତା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପୂର୍ତ୍ତ ଡିଭିଜନ-୧କୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ଏହି ସମୀକ୍ଷା ବୈଠକରେ ସିଏମ୍‌ସି କମିସନର ଅନନ୍ୟା ଦାସ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ରାଜସ୍ବ ଆୟୁକ୍ତଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଏମ୍‌.ଆର ଖାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅ˚ଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର