ଏସ୍‌ସିବି ପଲ୍‌ମୁନାରି ମେଡିସିନ୍‌ରେ ଖୋଲିଲା ୨ ଡିଏମ୍‌ ପାଠ୍ୟକ୍ରମ

ପୂର୍ବ ଭାରତରେ ପ୍ରଥମ, ଦେଶରେ ଦଶମ ମେଡିକାଲ୍‌ କଲେଜ
ଆଗକୁ ପାରାମେଡିକାଲ୍‌ ପାଠ୍ୟକ୍ରମ ପାଇଁ ଯୋଜନା
ଆଇସିଏମ୍‌ଆର‌୍‌ର ୨ ଗବେଷଣା ପ୍ରକଳ୍ପ ସହ ଟିବି ଟୀକାର ପରୀକ୍ଷଣ କରାଯାଉଛି

କଟକ : ଏସ୍‌ସିବି ମେଡିକାଲ୍‌ ପଲ୍‌ମୁନାରି ମେଡିସିନ୍‌ ବିଭାଗରେ ଡିଏମ୍‌ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି। ଏହି ବିଭାଗକୁ ଉକ୍ତୃଷ୍ଟ କେନ୍ଦ୍ର ଭାବେ ଘୋଷଣା କରାଯିବା ପରେ ବିଭାଗକୁ ଦୁଇଟି ଡିଏମ୍‌ ପାଠ୍ୟକ୍ରମ ସିଟ୍‌ ପାଇଁ ଅନୁମତି ମିଳିଛି। ପୂର୍ବ ଭାରତରେ ଥିବା ମେଡିକାଲ୍‌ କଲେଜମାନଙ୍କ ମଧ୍ୟରୁ ଏସ୍‌ସିବି ପଲ୍‌ମୁନାରି ବିଭାଗ ପ୍ରଥମଥର ପାଇଁ ଡିଏମ୍‌ ସିଟ୍‌ ପାଇଥିଲା ବେଳେ ଭାରତରେ ଏହା ଦଶମ ମେଡିକାଲ୍‌ କଲେଜ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋର˚ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ଦିଲ୍ଲୀର ୪ ମେଡିକାଲ୍‌ କଲେଜ, ହରିୟାଣାର ୨ ମେଡିକାଲ୍‌ କଲେଜ, କେରଳର ୨ ଓ ବାଙ୍ଗାଲୋରର ୧ ମେଡିକାଲ୍‌ କଲେଜର ପଲ୍‌ମୁନାରି ମେଡିସିନ୍‌ ବିଭାଗରେ ଡିଏମ୍‌ ସିଟ୍‌ ରହିଥିଲା। ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଥିବା ଆଗଧାଡ଼ିର ମେଡିକାଲ୍‌ କଲେଜମାନେ ବର୍ତ୍ତମାନସୁଦ୍ଧା ପଲ୍‌ମୁନାରି ମେଡିସିନ୍‌ ବିଭାଗରେ ଡିଏମ୍‌ ସିଟ୍‌ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଏପରିକି ପୂର୍ବ ଭାରତରେ ଥିବା ରାଜ୍ୟମାନେ ମଧ୍ୟ ଏସ୍‌ସିବିଠୁ ବହୁତ ପଛରେ ଥିବା କୁହାଯାଇଛି।

ଏସ୍‌ସିବିରେ ଡିଏମ୍‌ ସିଟ୍‌ ପାଇଁ ଆସନ୍ତା ଶିକ୍ଷାବର୍ଷଠୁ ସର୍ବଭାରତୀୟ ସ୍ତରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଡିଏମ୍‌ ସିଟ୍‌ ପାଇଁ ଆବେଦନ ହେବା ପୂର୍ବରୁ ବିଭାଗରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି। ବିଭାଗକୁ ଉକ୍ତୃଷ୍ଟ କେନ୍ଦ୍ର ଭାବେ ଘୋଷଣା କରାଯିବା ପରଠୁ ଏଠାକୁ ଏକାଧିକ ମେଡିକାଲ୍‌ ସରଞ୍ଜାମ ଅଣାଯାଉଛି। ଆଗକୁ ପାରାମେଡିକାଲ୍‌ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ଗବେଷଣା କାର୍ଯ୍ୟକୁ ଆଗେଇ ନିଆଯିବା ସହ ଷ୍ଟେଟ୍‌ ଅଫ୍‌ ଆର୍ଟ ସ୍ତରର ଚିକିତ୍ସା ମିଳିପାରିବ। ରୋଗ ନିରୂପଣ କ୍ଷେତ୍ରରେ ମଧ୍ୟ ବିଭାଗୀୟ ଡାକ୍ତରମାନେ ନୂଆ ପଦ୍ଧତି ଅବଲମ୍ବନ କରିପାରିବେ। ବର୍ତ୍ତମାନ ବିଭାଗରେ ଆଇସିଏମ୍‌ଆର‌୍‌ରର ଦୁଇଟି ଗବେଷଣା ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ଏଥିସହ ଏଠାରେ ଟିବି ଟୀକା ଉପରେ ପରୀକ୍ଷଣ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ବିଭାଗରେ ମୋଟ ୧୦୩ ସାଧାରଣ ବେଡ୍‌ ରହିଥିଲା ବେଳେ ୧୫ ଆଇସିୟୁ ବେଡ୍‌ ରହିଛି। ଆଗକୁ ଆଉ ୧୫ଟି ଆଇସିୟୁ ବେଡ୍‌ ଯୋଡ଼ାଯିବା ପାଇଁ ପ୍ରସ୍ତୁତି ଚାଲିଛି। ଆଗକୁ ଆଉ ୧୫ଟି ଆଇସୋଲେସନ୍‌ ବେଡ୍‌ ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏମ୍‌ସିଆଇ ନିୟମ ଅନୁସାରେ ଗୋଟିଏ ଡିଏମ୍‌ ଡାକ୍ତରଙ୍କ ପାଇଁ ଜଣେ ଲେଖାଏ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ୟୁନିଟ୍‌ କରାଯିବ। ବର୍ତ୍ତମାନ ବିଭାଗରେ ଡାକ୍ତର ପଟ୍ଟନାୟକଙ୍କ ସହ ଡାକ୍ତର ହେମନ୍ତ କୁମାର ସେଠୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ବ୍ୟତୀତ ଡାକ୍ତର ଥିଟା ମହାନ୍ତି, ଡାକ୍ତର ଗୀତାଞ୍ଜଳି ପଣ୍ତା ଓ ଡାକ୍ତର ସୁଦର୍ଶନ ପୋଥାଲ ଆସୋସିଏଟ୍‌ ପ୍ରଫେସର, ଡାକ୍ତର ଜିତେନ୍ଦ୍ର କୁମାର ପାତ୍ର, ଡାକ୍ତର ନୃସି˚ହ ଚରଣ ଦାଶ, ଡାକ୍ତର ତ୍ରିଲୋଚନ ବିଶ୍ବାଳ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହ ୫ଜଣ ସିନିୟର ରେସିଡେଣ୍ଟ ଡାକ୍ତର ମଧ୍ୟ ରୋଗୀ ଚିକିତ୍ସାରେ ସହାୟତା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର