କଟକ, (ସୀମନ୍ତିକା ନନ୍ଦ): କଟକର ଏସ୍ସିବି ମେଡିକାଲ କଲେଜ ହେବ ଏକ୍ମୋ ହବ୍। ୯ଟି ଏକ୍ମୋ ମେସିନ୍ ବସିବା ସହିତ ଅଗଷ୍ଟ ୧୫ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏଥିପାଇଁ ଅଧିକ ଗୁରୁତ୍ବବହନ କରୁଥିବା କାର୍ଡିଓଥୋରାସିସ୍ ବିଭାଗରେ ଏବେ ବିଶେଷଜ୍ଞ ଅଭାବ। ଏହି ବିଭାଗ କେବଳ ଏସ୍ସିବି ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଥିବାବେଳେ ବ୍ରହ୍ମପୁରରେ କୌଣସି ବିଶେଷଜ୍ଞ ନାହାନ୍ତି। ଏସ୍ସିବିରେ ସ୍ବୀକୃତିପ୍ରାପ୍ତ ପଦବି ସଂଖ୍ୟାର ଅଧାରୁ କମ୍ ବିଶେଷଜ୍ଞ ଅଛନ୍ତି। ବୁର୍ଲା ମେଡ଼ିକାଲ କଲେଜ ବା ଭିମ୍ସାରରେ ତ ଆଜି ପର୍ଯ୍ୟନ୍ତ କାର୍ଡିଓଥୋରାସିସ୍ ବିଭାଗ ଖୋଲି ପାରିନି। କଟକ ବଡ଼ମେଡିକାଲରେ ୭ଜଣ ସ୍ଥାନରେ ମାତ୍ର ୩ ଜଣ କାର୍ଡିଓଥୋରାସିସ୍ ବିଶେଷଜ୍ଞ ଅଛନ୍ତି। ତିନି ବର୍ଷ ହେଲା ଏସ୍ସିବିରେ କାର୍ଡିଓଥୋରାସିସ୍ ପିଜି ନାମଲେଖା ବନ୍ଦ ଥିବାରୁ ବିଶେଷଜ୍ଞ ବାହାରିବା ବାଟ ବି ବନ୍ଦ ହୋଇଯାଇଛି।
ରାଜ୍ୟରେ ପ୍ରଥମ ମେଡ଼ିକାଲ କଲେଜ ଭାବେ ଜୁନ୍ ୨୧, ୧୯୪୪ରେ କଟକଠାରେ ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା। ଏହାପରେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲ ଭିମସାର ୧୯୫୯ରେ ଓ ବ୍ରହ୍ମପୁରଠାରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ ୧୯୬୨ରେ ସ୍ଥାପନ କରାଯାଇଥିଲା। ୧୯୬୬ରୁ ହସ୍ପିଟାଲ ଆରମ୍ଭ ହୋଇଥିଲା। କଟକ ପରେ ଭିମ୍ସାର ହେଉଛି ରାଜ୍ୟର ୨ୟ ମେଡ଼ିକାଲ କଲେଜ। ଏହାପରେ ବ୍ରହ୍ମପୁର ମେଡିକାଲ କଲେଜ ସ୍ଥାପନ ହୋଇଥିଲେ ବି ସେଠାରେ କାର୍ଡିଓଥୋରାସିସ୍ ବିଭାଗ ଖୋଲାଯାଇଛି। କିନ୍ତୁ ବୁର୍ଲାରେ କାର୍ଡିଓଥୋରାସିସ୍ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲିପାରିନି। ଏବେ କରୋନା ସମୟରେ ଏକ୍ମୋ ଚିକିତ୍ସା ନେଇ ଯେଉଁ ହଟଚମଟ ସୃଷ୍ଟି ହୋଇଛି, ସେଥିରେ ଏବେ କାର୍ଡିଓଥୋରାସିସ୍ ବିଶେଷଜ୍ଞଙ୍କ ଆବଶ୍ୟକତା ବଢିଯାଇଛି।
କଟକ ବଡ଼ଡାକ୍ତରଖାନାରେ ଏହି ବିଭାଗ ୧୯୬୬ ମସିହାରୁ ଆରମ୍ଭ ହୋଇଛି। ଏହି ବିଭାଗରେ ଓପନ୍ହାର୍ଟ ସର୍ଜରିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରାଯାଏ। ବିଭାଗରେ ୨୦୧୩ରୁ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଗୋଟିଏ ପିଜି ସିଟ୍ ପାଇଁ ନ୍ୟାସନାଲ ମେଡିକାଲ କାଉନସିଲ ମଧ୍ୟ ଅନୁମତି ଦେଇଛନ୍ତି। ଫଳରେ ୨୦୧୩ରୁ ଆରମ୍ଭ ହୋଇଥିବା ପିଜି ପାଠ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୩ଜଣ କାର୍ଡିଓଥୋରୋସିସ୍ ବିଶେଷଜ୍ଞ ବାହାରିଥିବାବେଳେ ତା’ ପରଠାରୁ ଅର୍ଥାତ୍ ୨୦୧୯ରୁ ପିଜି ନାମଲେଖା ବନ୍ଦ ରହିଛି। ଗଲା ୬ ବର୍ଷ ଭିତରେ ରାଜ୍ୟରେ ୬ ଜଣ ବିଶେଷଜ୍ଞ ବାହାରିବାକୁ ଥିବାବେଳେ ବାହାରିଛନ୍ତି ମାତ୍ର ୩ ଜଣ। ଏଭଳି କାରଣରୁ ବିଶେଷଜ୍ଞ ଡାକ୍ତର ଅଭାବ ସମସ୍ୟା ସୁଧୁରିବା ବଦଳରେ ଜଟିଳ ହେବାରେ ଲାଗିଛି। ଏହି କାରଣରୁ ବ୍ରହ୍ମପୁର ମେଡିକାଲ କଲେଜରେ କାର୍ଡିଓଥୋରାସିସ୍ ବିଭାଗ ରହିଥିଲେ ବି ବିଶେଷଜ୍ଞ ନଥିବାରୁ ବିଭାଗରେ ଅନ୍ୟ ବିଭାଗ ଡାକ୍ତରଙ୍କୁ ନେଇ କାମଚଳା ଢଙ୍ଗରେ ଚାଲିଛି।
ଅନ୍ୟପକ୍ଷରେ, ଏସ୍ସିବିରେ ଅଧ୍ୟାପକ ଅଭାବ ଦର୍ଶାଇ ପିଜି ସିଟ୍କୁ କାଟି ଦିଆଯାଇଛି। ବିଭାଗରେ ୨ଜଣ ପ୍ରଫେସର, ୨ ଜଣ ଆସୋସିଏଟ୍ ପ୍ରଫେସର ଓ ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିନିୟର ରେସିଡେଣ୍ଟ ରହିବା କଥା। ହେଲେ ଏବେ ଜଣେ ପ୍ରଫେସର ଓ ଦୁଇ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ବିଶେଷଜ୍ଞ ଅଭାବ ଯୋଗୁଁ ପିଜି ନାମଲେଖା ବନ୍ଦ ସହିତ ଅସ୍ତ୍ରୋପଚାର ପାଇଁ ପ୍ରତି ମାସରେ ଶହେରୁ ଅଧିକ ରୋଗୀ ଅପେକ୍ଷାରେ ରହୁଛନ୍ତି। ଏପଟେ ଏସ୍ସିବି ଏକ୍ମୋ ହବ୍ ହେବାକୁ ଯାଉଥିବାବେଳେ କାର୍ଡିଓଥୋରାସିସ୍ ବିଭାଗର ଦାୟିତ୍ବ ବଢି ଯାଇଛି। କିନ୍ତୁ ସ୍ବୀକୃତ ପଦବିରୁ ଅଧାରୁ କମ୍ ଅଧ୍ୟାପକ ଅଛନ୍ତି। କାର୍ଡିଓଥୋରାସିସ୍ ବିଭାଗରେ ବିଶେଷଜ୍ଞ ଅଭାବ ସଂପର୍କରେ ସରକାର ଅବଗତ ଅଛନ୍ତି ବୋଲି ଏସସିବି କର୍ତ୍ତୃପକ୍ଷ କହୁଥିବାବେଳେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡ଼ିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।