ଏମ୍‌ସ ପ୍ଲସ୍ ଲକ୍ଷ୍ୟ ରଖୁଥିବା ଏସ୍‌ସିବିରେ ଟଙ୍କା ନାହିଁ

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଟଙ୍କାରେ ଦରମା, ଖାଦ୍ୟ, ସିକ୍ୟୁରିଟି ଖର୍ଚ୍ଚ

କଟକ : କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି) ହେବ ଏମ୍‌ସ ପ୍ଲସ୍‌। ଖର୍ଚ୍ଚ ହେବ ପାଖାପାଖି ୩୫୦୦ କୋଟି ଟଙ୍କା। ଏଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମାତ୍ର ଏସ୍‌ସିବିର ପରିଚାଳନା ପାଇଁ ଏବେ ଟଙ୍କା ଅଭାବ ଘଟଣା ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ସାମନାକୁ ଆଣିଛି। ରୋଗୀଙ୍କ ସହାୟତା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (ସିଏମ୍‌ଆରଏଫ୍)କୁ ରୋଗୀଙ୍କ ପାଇଁ ଖର୍ଚ୍ଚ ନକରି ତାହାକୁ ଅନ୍ୟବାଟରେ ଖର୍ଚ୍ଚ କରାଯାଇଛି। ରୋଗୀଙ୍କ ଟଙ୍କାରେ ଠିକା ସଂସ୍ଥାର କର୍ମଚାରୀଙ୍କୁ ଦରମା, ଇନସେଣ୍ଟିଭ ଦିଆଯାଇଛି। ରୋଗୀ ଖାଦ୍ୟ (ଡାଏଟ), ସୁରକ୍ଷା (ସିକ୍ୟୁରିଟ୍) ପାଇଁ ଏହି ଟଙ୍କା ଦିଆଯାଇଛି। ଏହି ଟଙ୍କାରେ ଅକ୍ସିଜେନ କିଣା ହୋଇଛି। ଲଣ୍ଡ୍ରି, ପରିବହନ, ଗ୍ୟାସ ପାଇପଲାଇନ ବାବଦରେ ବି ଏହି ଟଙ୍କାରୁ ଖର୍ଚ୍ଚ କରାଯାଉଛି। ତଥ୍ୟ ମୁତାବକ, ୨୦୨୦ ମାର୍ଚ୍ଚ ୨୧ରୁ ୨୦୨୧ ଅଗ‌ଷ୍ଟ ୩୧ ମଧ୍ୟରେ ବିଭିନ୍ନ ତାରିଖରେ କଟକ ବଡ଼ ଡାକ୍ତରଖାନା କର୍ତୃପକ୍ଷ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବାବଦରେ ମୋଟ ୬ କୋଟି ୬୫ଲକ୍ଷ ୮୦ ହଜାର ୭୧୭ ଟଙ୍କା ପାଇଛନ୍ତି। ତେବେ ସେହି ଟଙ୍କାକୁ ରୋଗୀଙ୍କ ପାଇଁ ଖର୍ଚ୍ଚ ନକରି ଅନ୍ୟବାଟରେ ମୋଟ ୬ କୋଟି ୫୦ ଲକ୍ଷ ୫୮୭ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୧୫ ଲକ୍ଷ ୨ ହଜାର ୧୩୦ ଟଙ୍କା ଜମା ରହିଛି।

ଏସସିବି କର୍ତ୍ତୃପକ୍ଷ ଏହି ଅର୍ଥରୁ ଅକ୍ସିଜେନ ବାବଦରେ ୨ କୋଟି ୨୭ ଲକ୍ଷ ୪୧ ହଜାର ୬୮୭ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଖାଦ୍ୟ ବାବଦରେ ୧ କୋଟି ୬୨ଲକ୍ଷ ୭୮ ହଜାର ୭୪୧, ସିକ୍ୟୁରିଟି ବାବଦରେ ୬୧ ଲକ୍ଷ ୮୦ ହଜାର ୮୩୧, ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୪୨ ଲକ୍ଷ ୯୨ ହଜାର ୯୬୨ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଟଙ୍କାରେ କର୍ମଚାରୀଙ୍କୁ ଇନସେନଣ୍ଟିଭ ବାବଦରେ ୧ କୋଟି ୨୦ ଲକ୍ଷ ୩୬ ହଜାର ଟଙ୍କା ଦିଆଯାଇଛି। ଦରମା ବାବଦରେ ୧ ଲକ୍ଷ ୭୬ ହଜାର ୫୬୫, ଲଣ୍ଡ୍ରି ବାବଦରେ ୮ଲକ୍ଷ ୮୦ ହଜାର ୪୮୦ ଟଙ୍କା, ପରିବହନ ବାବଦରେ ୪ ଲକ୍ଷ ୩୦ ହଜାର ୫୦୭ ଟଙ୍କା ଓ ଗ୍ୟାସ ପାଇପଲାଇନ ବାବଦରେ ୧୯ ଲକ୍ଷ ୬୦ ହଜାର ୫୯୪ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ସଂପର୍କରେ କଟକ ବଡଡାକ୍ତରଖାନାର ଆକାଉଣ୍ଟସ ଅଫିସର ପଞ୍ଚାନନ ବେହେରା କହିଛନ୍ତି ଯେ ସିଏମ୍‌ଆରଏଫ୍ ଟଙ୍କା ରୋଗୀଙ୍କ ଚିକିତ୍ସା ପାଇଁ ଆସିଥାଏ। ମାତ୍ର କୋଭିଡ ବେଳେ ଟଙ୍କାର ଅଭାବ ଥିଲା। ଅନ୍ୟ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିହେଲା ନାହିଁ। ତେଣୁ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଥିଲା। ଜିଲ୍ଲାପାଳଙ୍କ ଅନୁମତି ପରେ ଏ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର