ଏସ୍‌ସିବିରେ ପୁଣି ଆରମ୍ଭ ହେଲାଣି ଅସ୍ଥିମଜ୍ଜା ପ୍ରତିରୋପଣ, ଅସ୍ତ୍ରୋପଚାର ଅପେକ୍ଷାରେ ୪୦ ରୋଗୀ

କଟକ : ଏସ୍‌ସିବି ମେଡିକାଲରେ ବର୍ଷାଧିକ ସମୟରୁ ବନ୍ଦ ଥିବ‌ା ଅସ୍ଥିମଜ୍ଜା ପ୍ରତିରୋପଣ ପୁଣି ଆରମ୍ଭ ହୋଇଛି। ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ମାଧ୍ୟମରେ ଗତ ତିନିମାସ ଭିତରେ ୭ଜଣ ରୋଗୀଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ‌ପୂର୍ବରୁ ୫୫ଜଣ ରୋଗୀଙ୍କ ପ୍ରତିରୋପଣ ଅସ୍ତ୍ରୋପଚାର କରା ଯାଇଥିବାରୁ ବର୍ତ୍ତମାନର ୭ଜଣଙ୍କୁ ମିଶାଇ ବିଭାଗ ଖୋଲିବା ଠାରୁ ଏଯାବତ୍‌ ସମୁଦାୟ ୬୨ଜଣ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି। ଏମାନଙ୍କ ବ୍ୟତୀତ ଅତିରିକ୍ତ ବର୍ତ୍ତମାନ ଆଉ ୪୦ଜଣ ରୋଗୀ ଅସ୍ତ୍ରୋପଚାର ଅପେକ୍ଷାରେ ରହିଥିବା ଜଣାପଡିଛି। ସୂଚନା ଅନୁସାରେ, ଏସ୍‌ସିବି ମେଡିକାଲର ହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ନିଲମ୍ବିତ ହେବା ପରଠାରୁ ପାଖାପାଖି ଏକ ବର୍ଷ ଧରି ଅସ୍ଥିମଜ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ସେ ଗତ ଡିସେମ୍ବର ମାସରେ ଡ୍ୟୁଟିରେ ଯୋଗ ଦେଇଥିଲେ ବି ଦୀର୍ଘଦିନ ଧରି ଅସ୍ତ୍ରୋପଚାର ବନ୍ଦ ରହିବା କାରଣରୁ ଯନ୍ତ୍ରାଂଶରେ କେତେକ ସମସ୍ୟା ଦେଖା ଦେଇଥିଲା। ସେଗୁଡ଼ିକ ଠିକ୍‌ କରାଯିବା ପରେ ପୁଣି ଗତ ଏପ୍ରିଲ ମାସରୁ ପ୍ରତିରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଥିବା ପ୍ରଫେସର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର