କଟକ : ଆସନ୍ତା ଶହେ ଦିନ ଭିତରେ ଏସ୍‌ସିବିରେ ଖୋଲାଯିବ ଅଙ୍ଗପ୍ରତ୍ୟାରୋପଣ ନିୟନ୍ତ୍ରଣ କେନ୍ଦ୍ର। ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଏହି କେନ୍ଦ୍ର ଖୋଲାଯିବ। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କେନ୍ଦ୍ର ଏସ୍‌ସିବିରେ ସ୍ଥାପନ କରାଗଲେ ଅଙ୍ଗଦାନ କରିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି, ବର୍ଷ ବର୍ଷ ଧରି ବ୍ରେନ୍‌ ଡେଡ଼୍‌ରେ ପଡିଥିବା ବ୍ୟକ୍ତିଙ୍କ ସ୍ବୀକୃତି ଅନୁସାରେ ସେମାନଙ୍କ ଶରୀରର ବିଭିନ୍ନ ସଚଳ ଅଙ୍ଗପ୍ରତ୍ୟଙ୍ଗକୁ ଅଙ୍ଗହରାଇଥିବା ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯିବ। ଏହି କାଡାଭୋରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୦୧୩-୧୪ରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କାଡାଭୋରିକ୍‌ ଟ୍ରାନ୍ସପ୍ଲାଣ୍ଟର ରାଜ୍ୟ ନୋଡାଲ ଅଫିସର ତଥା ଏସ୍‌ସିବି ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ସୂଚନା ଦେଇଛନ୍ତି। ଏହି କେନ୍ଦ୍ର ସ୍ଥାପନ ପାଇଁ ଭିତ୍ତଭୂମି, କଂପ୍ୟୁଟରୀକରଣ ତଥା ବିଭିନ୍ନ ବ୍ୟବସ୍ଥାର କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି।