ଏସ୍‌ସିବିରେ ଅଭାବନୀୟ ଘଟଣା : ସିଲେଇ ଖୋଲିଲା ବେଳେ ପେଟ ଆଁ, ୬ଘଣ୍ଟା ଧରି ଛଟପଟ ହେଲେ ମହିଳା, ଡାକ୍ତର ପହଞ୍ଚିଲେନି, ଡ୍ରେସିଂ କଲେ ନର୍ସ

କଟକ : ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ଘଟିଛି ଅଭାବନୀୟ ଘଟଣା। ୪ଦିନ ତଳେ ଅସ୍ତ୍ରୋପଚାର ଜରିଆରେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣେ ମହିଳାଙ୍କର ଆଜି ସିଲେଇ ଖୋଲାଯିବା ସମୟରେ ପେଟ ଆଁ ହୋଇଯ‌ାଇଥିଲା। ଏଭଳି ଘଟଣା ପରେ ରୋଗୀ ଡରି ଯାଇଥିବା ବେଳେ ସମ୍ପର୍କୀୟମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ତୁରନ୍ତ ଡାକ୍ତରଙ୍କୁ ଡାକିବା ପାଇଁ ସେମାନେ କହିଥିଲେ ବି କେହି ଡାକ୍ତର ଆସି ନଥିଲେ। ଫୋନ୍‌ରେ ଜଣାଇବା ପରେ ଅପରପକ୍ଷରୁ ଉତ୍ତର ପାଇ ଚିକିତ୍ସା କର୍ମଚାରୀ ସମ୍ପର୍କୀୟଙ୍କୁ କହିଥିଲେ, ରକ୍ତ ପରୀକ୍ଷା କର, ରିପୋର୍ଟ ଆସିବା ପରେ ଡାକ୍ତର ଦେଖିବେ। ଏହାକୁ ନେଇ ଅସନ୍ତୋଷ ବଢିଥିଲା। ୬ଘଣ୍ଟା ଧରି ମହିଳା ଜଣକ ଛଟପଟ ହୋଇଥିଲେ। ଶେଷରେ ଜଣେ ଷ୍ଟାଫ୍‌ ନର୍ସ ଆସି ସିଲେଇ ଖୋଲି ଯାଇଥିବା ସ୍ଥାନର ଡ୍ରେିସଂ କରିବା ସହ ଗଜ କପଡ଼ା ଦେଇ ବନ୍ଦ କରିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ସମୟରେ ଡାକ୍ତରୀ ଟିମ୍‌ ୱାର୍ଡରେ ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା‌ ସହ ଔଷଧ ଦେଇଥିଲେ।

ରୋଗୀଙ୍କ ପରିବାରଠାରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସତ୍ୟବାଦୀ ଶୁକଳ ଗ୍ରାମର ମୀନକେତନ ନାୟକଙ୍କ ସ୍ତ୍ରୀ ପୂଜା ଗତ ୨୪ ତାରିଖରେ ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୨୬ତାରିଖରେ ଅସ୍ତ୍ରୋପଚାର ଜରିଆର ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ନେଇଥିଲା। ଉଭୟ ମା’ ଓ ନବଜାତକ ସୁସ୍ଥ ଥିଲେ। ଆଜି ପୂଜାଙ୍କ ସିଲେଇ ଖୋଲାଯିବା ସମୟରେ ପେଟର ସିଲେଇ ସ୍ଥାନ ଖୋଲି ଆଁ ହୋଇ ଯାଇଥିଲା। ତୁରନ୍ତ ଡାକ୍ତର ଡକାଇବାକୁ ସେମାନେ ନେହୁରା ହୋଇଥିଲେ ବି କେହି ଡାକ୍ତର ପୂଜାଙ୍କୁ ଦେଖିବାକୁ ଆସି ନଥିଲେ।

ଏହି ସମସ୍ୟା ଓ ତା’ ପରେ ଦେଖା ଦେଇଥିବା ଅସନ୍ତୋଷ ସମ୍ପର୍କରେ ଖବର ପାଇ ଏସ୍‌ସିବିର ଜଣେ ବରିଷ୍ଠ ଅଧିକାରୀ ୱାର୍ଡରେ ପହଞ୍ଚି ଔଷଧ ଦେବା ସହ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ପରିବାରବର୍ଗ ଏ ସଂପର୍କରେ ଅଧୀକ୍ଷକଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏ ସମ୍ପର୍କରେ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ମହିଳାଙ୍କର ମଧୁମେହ ରୋଗ ରହିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ଖବର ପାଇବା ପରେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି ଓ ଡାକ୍ତର ମଧ୍ୟ ଦେଖିଛନ୍ତି। ରୋଗୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଜାଣିଶୁଣି ଘଟଣାକୁ ଅଧିକ ବଢ଼ା ଯାଉଛି ବୋଲି ଏସ୍‌ସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର