ପ୍ରଫେସର ସିବିକେ ମହାନ୍ତି ହେଲେ ଡିଏମ୍‌ଇଟି, ପ୍ରଫେସର ସରୋଜ ସାହୁ ଏସ୍‌ସିବି ଅଧୀକ୍ଷକ

କଟକ : ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ (ଡିଏମ୍‌ଇଟି) ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର ଡାକ୍ତର ସରୋଜ କୁମାର ସାହୁଙ୍କୁ ଏସ୍‌ସିବି ମେଡ଼ିକାଲ ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଫେସର ମହାନ୍ତି ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ପାଠପଢା ସହ ଏହିଠାରୁ ଆରମ୍ଭ କରିଥିଲେ ଚାକିରି ଜୀବନ। ୧୯୮୩ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରି ଡାକ୍ତର ମହାନ୍ତି ଏସ୍‌ସିବି ସମେତ ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଚଳିତବର୍ଷ ଫେବ୍ରୁଆରି ୧ ତାରିଖରେ ସେ ଏସ୍‌ସିବି ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ନୂଆ ଦାୟିତ୍ବ ମିଳିବା ଅବସରରେ ସେ କହିଛନ୍ତି ଯେ, ରାଜ୍ୟରେ ମେଡିକାଲ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚସ୍ତରକୁ ନେବା ପାଇଁ ‌ସେ ଉଦ୍ୟମ କରିବେ। ଚିକିତ୍ସା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ନିୟମିତ ପ୍ରୟାସ ସହିତ ସବୁ ମେଡିକାଲ କଲେଜକୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସେମାନଙ୍କ ସାମଗ୍ରୀକ ବିକାଶ ଦିଗରେ ସେ କାର୍ଯ୍ୟ କରିବେ।

ସେହିପରି ବାରିପଦା ପଣ୍ଡିତ ରଘୁନାଥ ମର୍ମୁ ମେଡିକାଲ କଲେଜର ପ୍ରଫେସର ଡାକ୍ତର ସରୋଜ କୁମାର ସାହୁ ଏସ୍‌ସିବିରୁ ପାଠପଢା ଶେଷ କରି ବୁର୍ଲା ମେଡିକାଲ କଲେଜରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୮୭-୨୦୧୫ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ସେ ଏସ୍‌ସିବି ଶଲ୍ୟ ଚିକିତ୍ସା ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ବାରିପଦା ମେଡିକାଲ କଲେଜର ଡିନ୍‌ କମ୍‌ ପ୍ରନ୍‌ସିପାଲ ମଧ୍ୟ ଥିଲେ। ୨୦୦୦ମସିହାରେ ଏସ୍‌ସିବିରେ ଲାପ୍ରୋସ୍କୋପିକ୍‌ ଚିକିତ୍ସା ବ୍ୟବସ୍ଥାକୁ ଆରମ୍ଭ କରିବାରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ। ୨୦୨୦ ଫେବ୍ରୁ୍ଆରି ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

ସମ୍ବନ୍ଧିତ ଖବର