ମନ୍ତ୍ରୀଙ୍କ ମର୍ଜିରେ ଏସ୍‌ସିବି ରକ୍ତଭଣ୍ଡାର! ବିନା ସୂଚନାରେ ବାତିଲ୍‌ କରିଦିଆଯାଉଛି ଶିବିର

ମନ୍ତ୍ରୀଙ୍କ ଫୋନ୍‌ ଆସିଲେ ୫ ବର୍ଷ ତଳୁ ବୁକ୍ ହୋଇଥିବା ଶିବିର ବି ବାତିଲ ହେଇଯିବ: ବ୍ଲଡ୍ ବ୍ୟାଙ୍କ୍‌ ଅଧିକାରୀ

କଟକ : ରକ୍ତଦାନରେ ବି ରାଜନୀତି? ଯଦି ମନ୍ତ୍ରୀଙ୍କ ଫୋନ୍‌ ଆସିବ, ତେବେ ତାଙ୍କୁ ଆଗ ସୁଯୋଗ ମିଳିବ! ରକ୍ତଦାନ ଶିବିର ଆୟୋଜନ ପାଇଁ ଆଗୁଆ ଆବେଦନ କରି ତାରିଖ ନେଇଥିଲେ ବି ତାହା ବାତିଲ ହୋଇଯିବ? କଟକ ବଡ଼ ମେଡିକାଲ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ଏଭଳି ନୀତି ଏବେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡିକ ପାଇଁ ଚିନ୍ତାର କାରଣ ହୋଇଛି। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନରେ ବି ମନ୍ତ୍ରୀଙ୍କର ଏଭଳି ‌କିଛି କୋଟା ବା ସ୍ବତନ୍ତ୍ର ଅଧିକାର ପାଇଁ ସରକାର ନିୟମ କରିଛନ୍ତି କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଖରାଦିନେ ରକ୍ତ ଅଭାବଜନିତ ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଥିବା ଅନେକ ସଂଗଠନଙ୍କର ଶିବିର ଶେଷ ମୁହୂର୍ତ୍ତରେ ମନ୍ତ୍ରୀଙ୍କ ଆଳ ଦେଖାଇ ବାତିଲ୍ କରି ଦିଆଯିବା ଘଟଣା ଏବେ ପ୍ରତିକ୍ରିୟାର କାରଣ ହୋଇଛି। ଏଭଳି ଘଟଣା ସଂପର୍କରେ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ପ୍ରତିକ୍ରିୟା ବି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରଫେସର ଦାସ କହିଛନ୍ତି ଯେ ରକ୍ତଦାନ ଶିବିର ସଂପର୍କର ରକ୍ତଭଣ୍ଡାର ଅଧିକାରୀ ନିଷ୍ପତ୍ତି ନିଅନ୍ତି। ସେ କ’ଣ ପାଇଁ ଏଭଳି ବାତିଲ କରୁଛନ୍ତି, ତାହା ଆମେ ବି ଜାଣି ପାରୁନୁ।

ରକ୍ତଦାନ ଶିବିର ଆୟୋଜନର ନିୟମକୁ ସଂପୂର୍ଣ୍ଣ ଏଡ଼ାଇ ଯାଇ କେତେବେଳେ ପୂର୍ବରୁ ସୂଚନା ନଦେଇ ତ କେତେବେଳେ କର୍ମଚାରୀ ଅଭାବ ଦେଖାଇ ଶିବିରକୁ ବାତିଲ କରି ଦିଆଯାଇଛି। ଅନ୍ୟପଟେ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ମନମାନି ଯୋଗୁଁ ରକ୍ତ ପ୍ରଦାନରେ ବି ବ୍ୟାପକ ଅବ୍ୟବସ୍ଥା ସହିତ ସେଠାରେ ଦଲାଲଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି। ଅବସର ପରେ ନିର୍ଦ୍ଦିଷ୍ଟ କିଛି ନେତାଙ୍କ ଆଶୀର୍ବାଦରେ ପୁନଃ ନିଯୁକ୍ତି ପାଇଥିବା କର୍ମଚାରୀ ଏଭଳି ସ୍ଥିତି ସୃଷ୍ଟି କରୁଥିବା ବେଳେ କର୍ତ୍ତୃପକ୍ଷ ବି ଏହାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ତଥ୍ୟ ଆଉ ରେକର୍ଡ ଅନୁସାରେ, ଖରାଦିନେ ରକ୍ତର ଅଭାବକୁ ଦେଖି ଶିବିର ଆୟୋଜନ ପାଇଁ ମାର୍ଚ୍ଚ ୧୫ ତାରିଖ ଦିନ ନିର୍ଦ୍ଦିଷ୍ଟ ସଂସ୍ଥା ପକ୍ଷରୁ ଆବେଦନ କରାଯାଇଥିଲା। ସଂସ୍ଥା ପକ୍ଷରୁ ପରକୁ ପର ୧୮ଟି ଶିବିର ଆୟୋଜନ ହେଉଥିବାରୁ ପୁଣି ୨୩ ତାରିଖ ଦିନ ସଂପୂର୍ଣ୍ଣ ତଥ୍ୟ ଆଉ ବିବରଣୀ ସହ ଏସସିବି ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ଆଉ ଏକ ଚିଠି କରାଯାଇଥିଲା। ଏପ୍ରିଲ ୪ ତାରିଖରେ ଚାଉଳିଆଗଂଜରେ ଏକ ଶିବିର ଆୟୋଜନ ପାଇଁ ସଂସ୍ଥା ପକ୍ଷରୁ ଆବେଦନ କରାଯାଇଥିଲା। ସେହି ଏପ୍ରିଲ ୪ ତାରିଖ ଦିନ ଅନ୍ୟ ଏକ ସ୍ଥାନରେ ଶିବିର ଆୟୋଜନ ପାଇଁ ମଧ୍ୟ ଅନ୍ୟ ଏକ କ୍ଲବ୍ ପକ୍ଷରୁ ମାର୍ଚ୍ଚ ୧୯ ତାରିଖରେ ଆବେଦନ କରାଯାଇଥିଲା। କିନ୍ତୁ ଏପ୍ରିଲ ୪ ତାରିଖରେ ଆଠଗଡ଼ରେ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ମାର୍ଚ୍ଚ ୨୭ ତାରିଖରେ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆବେଦନ କଲେ। ଏଭଳି ସ୍ଥିତିରେ ଚାଉଳିଆଗଂଜରେ ଶିବିର ଆୟୋଜନ ପାଇଁ ଆବେଦନ କରିଥିବା ସଂସ୍ଥାର ଆବେଦନକୁ ଖାରଜ କରି ଦିଆଗଲା ଆଉ ଏଥିପାଇଁ କୌଣସି ସୂଚନା ବି ଦିଆଗଲା ନାହିଁ। ଏପ୍ରିଲ ୭ ତାରିଖରେ ସିଡିଏରେ ଆୟୋଜନ ହେବାକୁ ଥିବା ରକ୍ତଦାନ ଶିବିର ପାଇଁ ହୋଇଥିବା ଆଗୁଆ ଆବେଦନକୁ ମଧ୍ୟ ସମାନ ଢଙ୍ଗରେ ବାତିଲ କରି ଦିଆଯାଇଛି। ଚଣ୍ଡିଖୋଲରେ ଶିବିର ଥିବା ଦର୍ଶାଇ ଏଭଳି ବାତିଲ କରି ଦିଆଯାଇଛି। ଏଭଳି ଏକାଧିକ ଉଦାହରଣ ରହିଥିବା ବେଳେ ଏ ସଂପର୍କରେ ରକ୍ତ ଭଣ୍ଡାର ଦାୟିତ୍ବରେ ଥିବା ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ାଙ୍କୁ ସାକ୍ଷାତ କରି ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ କାହାରିକୁ ଦେଖାକରି ପାରିବେ ନାହିଁ ବୋଲି ଫୋନ୍‌ରେ କହିବା ସହ ଯଦି କେହି ୫ ବର୍ଷ ତଳୁ ବି ଆବେଦନ କରନ୍ତି, ମନ୍ତ୍ରୀଙ୍କ ଫୋନ ଆସିଲେ ପୂର୍ବ ଶିବିରକୁ ବାତିଲ କରି ତାଙ୍କ ଶିବିର ଆଗ କରାଯିବ ବୋଲି ରୋକ‌ଠୋକ୍ ଶୁଣାଇ ଦେଇଥିଲେ। ରକ୍ତଭଣ୍ଡାର ଦାୟିତ୍ବରେ ଥିବା ଅଧିକାରୀ ଏଭଳି ନିୟମ କରି କେଉଁ ସ୍ବଚ୍ଛତା ବା ନିୟମର ଉଦାହରଣ ରଖୁଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର