ସ୍ବୟଂଶାସିତ ହେବ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ

ରାଜ୍ୟ ସରକାରଙ୍କ ସ୍ବୀକୃତିକୁ ଅପେକ୍ଷା, ବଢିବ ୨ ପିଜି ସିଟ୍

କଟକ: ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ମିଳିବ ସ୍ବୟଂ ଶାସିତ ମାନ୍ୟତା। ଏ ସଂପର୍କରେ ଦେଢ ମାସ ହେଲାଣି ପ୍ରସ୍ତାବ ଯାଇଥିବା ବେଳେ ଏହା ଏବେ ରାଜ୍ୟ ସରକାରଙ୍କ ମଂଜୁରୀ ଅପେକ୍ଷାରେ ରହିଛି। ସ୍ବୟଂଶାସିତ ମାନ୍ୟତା ପାଇବା ପରେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି କର୍ମଚାରୀ ନିଯୁକ୍ତି ଓ ଭିତ୍ତଭୂମିର ବିକାଶ ସବୁ ମାନସିକ କେନ୍ଦ୍ର ନିର୍ଦ୍ଦେଶକଙ୍କ ହାତରେ ରହିବ। ଅନ୍ୟପଟେ ବର୍ତ୍ତମାନ ୫ଟି ପିଜି ସିଟ୍‌ ଥିବାବେଳେ ଏହାକୁ ୭କୁ ବୃଦ୍ଧି କରିବା ମଧ୍ୟ ‌ମାନସିକ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୂଚନା ଅନୁସାରେ, ୭ ମହଲା କୋଠା ବିଶିଷ୍ଟ ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାନସିକ ରୋଗୀଙ୍କ ଚିକିତ୍ସା ସହ ସେଠାରେ ଡି-ଆଡିକ୍‌ସନ୍‌ ସେଣ୍ଟର ମାଧ୍ୟମରେ ଚାଲିଛି ଚିକିତ୍ସା। ମାନସିକ କେନ୍ଦ୍ରକୁ ଦିନକୁ ହାରାହାରି ଭାବେ ଶହେରୁ ଅଧିକ ରୋଗୀ ଆସୁଥିବାବେଳେ ସେହି ଅନୁପାତରେ ବେଡ଼୍‌ ସଂଖ୍ୟା କିନ୍ତୁ ବୃଦ୍ଧି ପାଉନି। ଯାହା ଫଳରେ ରୋଗୀ ବାଧ୍ୟ ହେ‌ାଇ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ବେଡ୍‌ ସଂଖ୍ୟା ୧୨୦ ଥିବା ବେଳେ ଡି-ଆଡିକ୍‌ସନ୍‌ ସେଣ୍ଟରର ବେଡ଼୍‌ ସଂଖ୍ୟା ରହିଛି ୩୦। ମାନସିକ ରୋଗ ପ୍ରତିଷ୍ଠାନରେ ୪ଟି ବିଭାଗ ରହିଛି। ଏହି ପ୍ରତି‌ଷ୍ଠାନକୁ ସ୍ବୟଂ ଶାସିତ ମାନ୍ୟତା ମିଳିଲେ ଅଧିକ ଅନୁଦାନ ଆସିବା ସହ ଏହାର ଭିତ୍ତିଭୂମିର ବିକାଶ ସମ୍ଭବ ହୋଇପାରିବ। ଗତ କିଛି ମାସ ତଳେ ଏହି ପ୍ରତିଷ୍ଠାନ ନିମାନ୍ସ ସହ ଚୁକ୍ତି କରିଛି। ଏହା ଦ୍ବାରା ସ୍ମାର୍ଟ ଫୋନରେ ରାଜ୍ୟର ୩୦ଟି ଜିଲ୍ଲାର ରୋଗୀଙ୍କୁ ମାନସିକ ଚିକିତ୍ସା ଯୋଗାଇବା ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାରେ ଏକ ସମୟରେ ୨୦ ଜଣ ମାନସିକ ରୋଗୀ ଯୋଡି ହୋଇ ଚିକିତ୍ସା ସଂପର୍କିତ ପରାମର୍ଶ ପାଇପାରିବେ। ସ୍ବୟଂ ଶାସିତ ମାନ୍ୟତା ସଂପର୍କରେ ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି ଯେ ଗତ ଅକ୍ଟୋବର ୫ରେ ଏ ସଂପର୍କୀତ ଏକ ପ୍ରସ୍ତାବ ଗୃହୀତ ହୋଇଛି। ସରକାରଙ୍କ ମଂଜୁରୀ ସହ ପ୍ରତିଷ୍ଠାନକୁ ଖୁବ୍‌ ଶୀଘ୍ର ସ୍ବୟଂ ଶାସିତ ମାନ୍ୟତା ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର