ବେଡ୍‌ ନମିଳିବାରୁ ଦେଖୁନାହାନ୍ତି ଡାକ୍ତର : ୧୦ ଦିନ ହେଲା ଗଛତଳେ ଗଡ଼ୁଛନ୍ତି, ପୁଅକୁ ଧରି ଫେରିଯିବେ ବୃଦ୍ଧା ମା’

କଟକ : ପୁଅର ଅଣ୍ଟାରୁ ପାଦ ପର୍ଯ୍ୟନ୍ତ କାମକରୁନି। ଦଶ ଦିନ ହେଲା ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ଆସି ତଳେ ପଡ଼ିଛି। ଡାକ୍ତର ବି ଦେଖୁନାହାନ୍ତି। ଅନେକ ଆଶା ନେଇ ପୁଅକୁ ଧରି ଆସିଥିଲି ବଡମେଡିକାଲକୁ। ଘରକୁ ନେଇଯିବି, ଯାହା ଭାଗ୍ୟରେ ଥିବ ହେବ….। ରୋଗ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଇଚ୍ଛାମୃତ୍ୟୁ ମାଗୁଥିବା ଜଣେ ପୁଅର ୭୦ ବର୍ଷୀୟା ମା’ଙ୍କର ଇଏ ହେଉଛି କୋହଭରା ଅଭିବ୍ୟକ୍ତି।

ବରଗଡ଼ ଜିଲ୍ଲା ବରଡ଼ୋଲ ଗ୍ରାମର ପ୍ରଭାତୀ ବାରିକ ୧୦ ଦିନ ତଳେ ପୁଅ ମୁନା ବାରିକ (୩୫)ଙ୍କୁ ନେଇ କଟକ ବଡ଼ ମେଡିକାଲକୁ ଆସିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଅସ୍ଥିଶଲ୍ୟ ବିଭାଗ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏଯାଏ ତାଙ୍କୁ ବେଡ୍‌ ମିଳି ନଥିବା ବେଳେ ଠିକରେ ଚିକିତ୍ସା ବି ଆରମ୍ଭ ହୋଇନାହିଁ। ପ୍ରଭାତୀଙ୍କ ପାଖରେ ପୁଅର ଚିକିତ୍ସା ପାଇଁ ଟଙ୍କା ନଥିବା ବେଳେ ସହଯୋଗ ଦେବାକୁ ବି କେହି ନାହିଁ। ଏଭଳି ସ୍ଥିତିରେ କଟକ ବଡମେଡିକାଲରେ ଏକମାତ୍ର ପୁଅକୁ ଧରି ଲୁହ ଗଡ଼ାଉ ଛନ୍ତି ବୃଦ୍ଧା ପ୍ରଭାତୀ।

ପ୍ରଭାତୀଙ୍କ ସ୍ୱାମୀ ସୌରୀ ବାରିକଙ୍କ ୬ବର୍ଷ ତଳେ ମୃତ୍ୟୁ ଘଟିଥିଲା। ପରିବାର କହିଲେ ସ୍ତ୍ରୀ ପ୍ରଭାତୀ, ଏକମାତ୍ର ପୁଅ ମୁନା ଓ ୩ଝିଅ। ସୌରୀଙ୍କର ମୃତ୍ୟୁପରେ ଘରର ସବୁ ଦାୟିତ୍ୱ ପୁଅ ମୁନା ଉପରେ ପଡ଼ିଥିଲା। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ମୁନା। ହେଲେ ଗତବର୍ଷ ଜୁନ ମାସରେ ଗଛରୁ ଆମ୍ବ ତୋଳୁ ଥିବାବେଳେ ମୁନା ଖସି ପଡିଥିଲେ। ତା’ ପରଠାରୁ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପୁଅର ଚିକିତ୍ସା ପାଇଁ ଅସମର୍ଥ ହୋଇଥିଲେ ପୂରା ପରିବାର। ଅର୍ଥାଭାବରୁ ଚିକିତ୍ସା କରିପାରୁନଥିବା ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମୁନାଙ୍କ ସହ ପୁରା ପରିବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁନାଙ୍କ ଘରେ ପହଞ୍ଚି ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଗତ ୮ତାରିଖରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ୍ସ ଯୋଗେ ମୁନାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ୧୦ଦିନ ହେଲା ଅସ୍ଥିଶଲ୍ୟ ବିଭାଗ ପୁରୁଣା କୋଠା ଓ୍ଵାର୍ଡରେ ମୁନା ଚିକିତ୍ସା ପାଇଁ ପଡିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ଡାକ୍ତର ଦେଖୁ ନାହାନ୍ତି। ଏପରିକି ପ୍ରେସ୍‌କ୍ରିପସନ(ଚିଠା)ମଧ୍ୟ ଲେଖିନାହାନ୍ତି। ଆଜି କିଛି ସ୍ୱେଚ୍ଛାସେବୀ ଏଭଳି ଘଟଣାର ପ୍ରତିବାଦ କରିବା ଫଳରେ ପାଦରେ ଘା’ ହୋଇଥିବା ସ୍ଥାନକୁ କେବଳ ଡ୍ରେସିଂ କରାଯାଇଥିବା ସ୍ୱେଚ୍ଛାସେବୀ ବିକାଶ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି। ତେବେ ପୁଅର ଚିକିତ୍ସା ହୋଇପାରୁନଥିବାରୁ ଆଜି ବୃଦ୍ଧା ମା’ ପୁଅକୁ ଘରକୁ ଫେରାଇନେବାକୁ ବାହାରିଛନ୍ତି। ଏ ସଂପର୍କରେ ବଡମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର