ମନ୍ତ୍ରୀ ବଦଳିଲେ ବଦଳୁଛି ନିୟମ : ଛୁଟି ହେଲେ ଏସ୍‌ସିବିରେ ଓଟି ବନ୍ଦ, ଅପରେସନ ଅପେକ୍ଷାରେ ଶତାଧିକ ରୋଗୀ

କଟକ : ମନ୍ତ୍ରୀ ବଦଳିଲେ ବଦଳୁଛି ନିୟମ। ପୂର୍ବରୁ ଛୁଟିରେ ଓଟି ଚାଲୁଥିଲାବେଳେ ଏବେ ବନ୍ଦ ରହିଛି। ଫଳରେ, ରୋଗୀମାନଙ୍କୁ ହଇରାଣ ହରକତ ହେବାକୁ ପଡ଼ିବା ସହ ଅପରେସନ୍‌ ପାଇଁ ବହୁଦିନ ଅପେକ୍ଷା କରିବାକୁ ପଡ଼ୁଛି। ଅତନୁ ସବ୍ୟସାଚୀ ନାୟକ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ରବିବାର ସମେତ କିଛି ନିର୍ଦ୍ଦିଷ୍ଟ ଦିନକୁ ଛାଡିଦେଲେ ଅନ୍ୟ ସବୁଦିନ ଚାଲୁଥିଲା ଓଟି। ହେଲେ ବର୍ତ୍ତମାନ ଛୁଟି ହେଲେ ଓଟି ବନ୍ଦ। ଏମିତି ସ୍ଥିତି ହେଉଛି ଯେ, ସମୟ ସମୟେ ସପ୍ତାହକୁ ୩ଦିନ ଲେଖାଏ ଓଟି ବନ୍ଦ ରହୁଛି। ଫଳରେ ଅସ୍ତ୍ରୋପଚାର ପାଇଁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି ରୋଗୀ। ତାରିଖ ପରେ ତାରିଖ ଗଡୁଛି , ହେଲେ ରୋଗୀଙ୍କ ଅସ୍ତ୍ରୋପଚାର ହୋଇପାରୁନି। ଏଭଳି ସ୍ଥିତି ଉପୁଜିଛି ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ ଏସ୍‌ସିବିରେ। ସର୍ଜରି, ନ୍ୟୁରୋସର୍ଜରି, ଅସ୍ଥିଶଲ୍ୟ ବିଭାଗ, ଅସ୍ଥିମଜ୍ଜା ପ୍ରତିରୋପଣ, ହୃଦ୍‌ରୋଗ, ହୃଦ୍‌ବକ୍ଷଶଲ୍ୟ ବିଭାଗ ଠାରୁ ଆରମ୍ଭ କରି ସବୁ ବିଭାଗରେ ଏଭଳି ସ୍ଥିତି। ଥରେ କୌଣସି କାରଣରୁ ତାରିଖ ଗଡିଗଲେ ପୁଣି ତାରିଖ ପାଇଁ ନାକେଦମ୍ ହେଉଛି ରୋଗୀ। କେବଳ ସେତିକି ନୁହେଁ ଅସ୍ତ୍ରୋପଚାର ପାଇଁ ଯେଉଁ ବିଭିନ୍ନ ବିଭାଗରୁ କ୍ଲିଅରାନ୍ସ ଆଣିବା ପାଇଁ କୁହାଯାଉଛି ସେଥିରେ ଗୁରୁତର ରୋଗୀ ଲମ୍ବା ଲାଇନରେ ଅଣନିଶ୍ବାସୀ ହୋଇପଡୁଥିବା ଓ ଅନେକ ଅଚେତ୍‌ ମଧ୍ୟ ହୋଇପଡୁଥିବା ଦେଖିବାକୁ ମିଳୁଛି।

ମାଗଣା ବ୍ୟବସ୍ଥା ପରେ ଏସ୍‌ସିବିରେ ଆଶାତୀତଭାବେ ବୃଦ୍ଧି ପାଇଛି ରୋଗୀଙ୍କ ସଂଖ୍ୟା। ଏପରିକି ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ ସମେତ ଭୁବନେଶ୍ବର ଏମ୍‌ସରୁ ମଧ୍ୟ ରେଫର ହୋଇ ଏସ୍‌ସିବିକୁ ଆସୁଛନ୍ତି ରୋଗୀ। ଏସ୍‌ସିବିରେ ପୂର୍ବରୁ ଛୁଟିଦିନରେ ବି ଓଟି ହେଉଥିଲା। କିନ୍ତୁ ଏବେ ରୋଗୀ ବଢୁଛନ୍ତି , ହେଲେ ଛୁଟିରେ କିନ୍ତୁ ଓଟି ଚାଲୁନି। ଫଳରେ ସପ୍ତାହକୁ ଯଦି ସବୁ ବିଭାଗର ଓଟି କଥା ଧରାଯିବ ତାହେଲେ ଛୁଟି ନଥିଲେ ୬ଦିନ ଓଟି ଚାଲୁଛି। ସବୁ ବିଭାଗରେ ଅସ୍ତ୍ରୋପଚାର ପାଇଁ ଶହ ଶହ ରୋଗୀ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି। ଯଦି ଜଣେ ରୋଗୀକୁ ତାରିଖ ଦିଆଯାଉଛି ଓ ସେହି ନିର୍ଦ୍ଦିଷ୍ଟ ତାରିଖ ଦିନ ଛୁଟି ପଡିଲେ ରୋଗୀର ଅସ୍ତ୍ରୋପଚାର ବନ୍ଦ। ପ୍ରତି ବିଭାଗ ପକ୍ଷରୁ ରୋଗୀଙ୍କୁ ଆଡମିସନ୍‌ କରାଯାଉଥିବାବେଳେ ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ତାରିଖ ଦିଆଯାଉଛି। ଯଦି ରୋଗୀର କିଛି ଅସୁବିଧା ହେଲା ତା ପୁଣି ଘୁଞ୍ଚି ଯାଉଛି। ଥରେ ଘୁଞ୍ଚିଗଲେ ପୁଣି ଥରେ ତାରିଖ ପାଇଁ ନାକେଦମ୍‌ ହୋଇପଡୁଛି ରୋଗୀ। ସବୁ ବିଭାଗର ହିସାବ ଯଦି କରାଯାଏ ପାଖାପାଖି ମାସକୁ ୩ଶହ ରୋଗୀ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରୁଛନ୍ତି। ଅତନୁ ସବ୍ୟସାଚୀ ନାୟକ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ତତ୍କାଳୀନ ଏସସିବି ଅଧୀକ୍ଷକ। ଅଗଷ୍ଟ ୧୫, ଜାନୁଆରି ୨୬, ଉତ୍କଳ ଦିବସ ଓ ରବିବାରକୁ ଛାଡିଦେଲେ ବାକି ସବୁ‌ଦିନ ଓଟି ହେଉଥିଲା ଏସ୍‌ସିବିରେ। କିନ୍ତୁ ବର୍ତ୍ତମାନ ସରକାରୀ ଛୁଟି ଦିନରେ ଓଟି ବନ୍ଦ ରହୁଛି। କେବଳ ଜରୁରୀକାଳୀନ ଓଟି ଛୁଟି‌ ଦିନରେ କରାଯାଉଛି। ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ଅବଗତ ଅଛି, ତେବେ କଣ ପାଇଁ ସେହି ପୁରୁଣା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉନି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର