୧୨ ମାସ କାମ କଲେ ମିଳୁଛି ୧୦ ମାସର ଦରମା

ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଦୟନୀୟ ସ୍ଥିତି

କଟକ : ଏସ୍‌ସିବି ମେଡିକାଲ୍‌ ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ଏବେ ଦୟନୀୟସ୍ଥିତି ଭିତରେ ଗତି କରୁଛି। ପ୍ରତ୍ୟେକ ବର୍ଷ ଦରମା ମିଳିବାରେ ସମସ୍ୟା ଦେଖାଦେଉଥିଲେ ବି ତାହାର ସମାଧାନର ବାଟ ବାହାର କରିବାକୁ କେହି ତତ୍ପରତା ଦେଖାଉ ନାହାନ୍ତି। ଫଳରେ ବର୍ଷସାରା କାମ କରୁଥିଲେ ବି ମାତ୍ର ୧୦ ମାସର ଦରମା ସେମାନଙ୍କୁ ମିଳୁଛି। ପୂର୍ବରୁ ଚଞ୍ଚକତା କରି କିଛି ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଇଥିବାରୁ ଏଭଳି ସମସ୍ୟା ହେଉଥିବା କୁହାଯାଉଛି। କେନ୍ଦ୍ର ପରିଚାଳନା ପାଇଁ ଯେତିକି ମାତ୍ରାରେ ବାର୍ଷିକ ବଜେଟ୍‌ ସରକାରଙ୍କୁ ଦିଆଯାଉଛି, ତାହାଠୁ ଢେର୍‌ କମ୍‌ ଟଙ୍କା ଆସୁଛି। ଏହି ଟଙ୍କା ଭିତରୁ କେବଳ ୧୦ ମାସ ପର୍ଯ୍ୟନ୍ତ ଦରମା ଆକାରରେ ଦିଆଯାଇପାରୁଛି। କିନ୍ତୁ ବର୍ଷର ଆଉ ଦୁଇ ମାସ ଦରମା ଆସୁନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

୨୦୦୧ ମସିହାରୁ ଆରମ୍ଭ ହୋଇଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ପ୍ରଥମରୁ ୩୩ ପଦବିରେ କାର୍ଯ୍ୟ କରାଯାଉଥିଲା। ସେତେବେଳେ ସମସ୍ତ କର୍ମଚାରୀ ୧ବର୍ଷିଆ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ଥର ଜେନେରାଲ ବଡ଼ି ବୈଠକରେ କର୍ମଚାରୀଙ୍କ ନିଯୁକ୍ତିକୁ ପୁଣି ବର୍ଷକ ପାଇଁ ବଢାଇ ଦିଆଯାଉଥିଲା। ଏହିପରି ଭାବେ ୨୦୦୭ ମସିହା ପର୍ଯ୍ୟନ୍ତ ଚାଲିବା ପରେ ୨୦୦୮ ମସିହାରେ କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ବଢାଯାଇଥିଲା। ୨୦୧୨ ମସିହାରେ ସରକାର ଏହି କେନ୍ଦ୍ର ପାଇଁ ପଦବି ସୃଷ୍ଟି କରିଥିଲେ। ୧ ନିର୍ଦ୍ଦେଶକ, ୩, ମେଡିକାଲ୍‌ ଅଫିସର, ୫ ଫିଜିଓଥେରାପିଷ୍ଟ, ୨ ଅକୁପେସନାଲ ଥେରାପିଷ୍ଟ, ୧ ଭୋକେସନାଲ କାଉନସେଲର, ୨ ପ୍ରୋସ୍ଥେଟିଷ୍ଟ, ୨ ଲିଥର ଟେକ୍ନିସିଆନ୍‌, ୧୫ ଷ୍ଟାଫ୍‌ ନର୍ସ, ୧ ଫାର୍ମାସିଷ୍ଟ, ୫ ଓ୍ଵାର୍ଡ ଆଟେଣ୍ଡାଣ୍ଟ, ୧ ଅଫିସ ପିଅନ୍‌, ୧ ବରିଷ୍ଠ କିରାଣୀ, ୧ କନିଷ୍ଠ କିରାଣୀ, ୧ ଡାଟା ଏଣ୍ଟି୍ର ଅପରେଟର ପଦବି ସୃଷ୍ଟି କରାଯାଇଥିଲା। ଏହି ୪୧ ପଦବି ମଧ୍ୟରୁ ୧୪ଟି ନିୟମିତ ପଦବି, ୧୯ ଚୁକ୍ତି ଭିତ୍ତିକ, ୭ ଆଉଟ ସୋର୍ସିଂରେ ଚୁକ୍ତିଭିତ୍ତିକ ଏବଂ ୧ ଡେପୁଟେସନ୍‌ ଭାବେ ରହିଥିଲା। କିନ୍ତୁ କେନ୍ଦ୍ରରେ ୬୪ ପଦବିର ଆବଶ୍ୟକତା ଥିବା ୨୦୧୩ ମସିହାରେ ସରକାରଙ୍କୁ ଜଣାଇଦିଆଯାଇଥିଲା।

ଉକ୍ତ ୪୧ ପଦବି ସହିତ ୧୦ ଓ୍ଵାର୍ଡ ଆଟେଣ୍ଡାଣ୍ଟ, ୫ ସିକ୍ୟୁରିଟି ଗାର୍ଡ, ୧ ନର୍ସିଂ କର୍ମଚାରୀ ଓ ୧ ଅଫିସ୍‌ ପିଅନ୍‌ ନିଯୁକ୍ତି ନିହାତି ଆବଶ୍ୟକ ଥିବା ଦର୍ଶାଯାଇଥିଲା। ପରେ ସରକାର ମଧ୍ୟ ଆଉଟ ସୋର୍ସିଂ କରି ୩ ସିିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ ଅନୁମତି ଦେଇଥିଲେ। ୨୦୧୪ ମସିହାରେ ପର୍ଯ୍ୟାୟକ୍ରମେ କିଛି କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିଦିଆଯାଇଥିଲା। କିନ୍ତୁ ସେହି ପଦବିଗୁଡିକୁ ଅର୍ଥ ବିଭାଗ ମଂଜୁରୀ ମିଳିନଥିବାରୁ ବାର୍ଷିକ ବଜେଟରେ ତାହା ବିରୋଧରେ ସରକାର କୌଣସି ଅନୁଦାନ ଦେଇନଥିଲେ। ଫଳରେ ସେବେଠାରୁ କର୍ମଚାରୀମାନେ ଦରମା ପାଇବାରେ ସମସ୍ୟା ଦେଖାଦେଉଥିଲା। ବାରମ୍ବାର ସରକାରଙ୍କୁ ଅନୁରୋଧ କରାଯିବା ପରେ ମୂଳ ନିଯୁକ୍ତି ଉପରେ ଦରମା ପ୍ରଦାନ କରାଗଲା। ଏପରିକି ଯେଉଁ କେତେକ ନିର୍ଦ୍ଧିଷ୍ଟ ଚୁକ୍ତିଭିତ୍ତିକ କର୍ମଚାରୀମାନେ ତାଙ୍କ ପଦବିକୁ ନିୟମିତ କରାଇଥିଲେ ସେମାନେ ଚୁକ୍ତିଭିତ୍ତିକ ଦରମା ପାଇଆସୁଛନ୍ତି। ଫଳରେ କର୍ମଚାରୀମାନଙ୍କୁ କେବଳ ୧୦ ମାସର ଦରମା ମିଳିପାରୁଥିବାବେଳେ ଯେଉଁମାନେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ଭିତରୁ କେତେକ ଚାକିରି ମଧ୍ୟ ଛାଡ଼ିଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି କେତେକ କର୍ମଚାରୀ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

ସରକାରଙ୍କ ନିକଟରେ ଏକାଧିକ ଥର ଅଭିଯୋଗ ହେବା ପରେ ସ୍ୱତନ୍ତ୍ର ଅଡିଟ୍‌ କରାଯାଇଥିଲା। ସେତେବେଳେ ଅର୍ଥ ବିଭାଗ ମଂଜୁରି ବିନା କେତେକଙ୍କୁ ସ୍ଥାୟୀ କରାଯାଇଥିବା ବିଷୟରେ ଜଣାପଡ଼ିବା ପରେ ସରକାରଙ୍କୁ ରିପୋର୍ଟ କରାଯାଇଥିଲା। ଏହା ଉପରେ ପ୍ରଶାସନିକ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ସେହି ନିର୍ଦ୍ଦେଶକୁ ମଧ୍ୟ ୫ମାସ ଧରି ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପରିଚାଳନା କମିଟି ବୈଠକ ଡକାଯାଉନଥିବାରୁ କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇପାରୁନାହିଁ। ଏଭଳିସ୍ଥିତିରେ କେନ୍ଦ୍ର ବର୍ତ୍ତମାନ ଦେବାଳିଆସ୍ଥିତିରେ ଗତି କରୁଥିବା କୁହାଯାଉଛି। ୭ ବର୍ଷ ପରେ ନୂଆ ନିର୍ଦ୍ଦେଶକ ଭାବେ ଡାକ୍ତର ପ୍ରକାଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ସରକାରଙ୍କୁ ଏବିଷୟରେ ଏକାଧିକଥର ଚିଠି ଲେଖିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଯଦି ଏଭଳି ଧାରା ଆଗକୁ ଜାରିରୁହେ ତାହେଲେ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଆଗକୁ ତାଲା ଝୁଲିବା ପରିସ୍ଥିତି ଦେଖାଦେବା ଅସମ୍ଭବ ନୁହେଁ ବୋଲି କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର