ଏସ୍‌ସିବିରେ ‘୭୫ରେ ୭୫’ କାର୍ଯ୍ୟକ୍ରମ: ‘ଡାକ୍ତରୀ ଓ ଆଇନ ପେସା ପରସ୍ପରର ପରିପୂରକ’

କଟକ : ଡାକ୍ତରୀ ଓ ଆଇନ ପେସା ପରସ୍ପରର ପରିପୂରକ। ଡାକ୍ତର କେବଳ ଚିକିତ୍ସା କରନ୍ତିନି, ଅପରାଧିକ ମାମଲାଠାରୁ ଆରମ୍ଭ କରି ବିଭିନ୍ନ ମାମଲା ସମାଧାନର ବାଟ ମଧ୍ୟ ଦେଖାଇଥା’ନ୍ତି। ଡାକ୍ତରଙ୍କ ସହଯୋଗ ମଧ୍ୟ ଆଇନ ବ୍ୟବସ୍ଥାରେ ଆବଶ୍ୟକ ହୋଇଥାଏ। ଡାକ୍ତର ଓ ଓକିଲଙ୍କ ଭିତରେ କିଛି ସାମଞ୍ଜସ୍ୟ ରହିଛି। ଉଭୟ ନିଜ ନିଜ ପେସାରେ ଅଭ୍ୟାସ କରୁଥିବାବେଳେ ସେମାନଙ୍କୁ ପ୍ରାକ୍ଟିସନର୍‌ କୁହାଯାଏ ବୋଲି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ ଆୟୋଜିତ ‘୭୫ରେ ୭୫’ ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମର ରବିବାର ସନ୍ଧ୍ୟାରେ ଆଇନ ତଥା ନ୍ୟାୟିକ ବ୍ୟବସ୍ଥାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।

ଏସ୍‌ସିବି ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ. ଜଷ୍ଟିସ ଅରଜିତ୍‌ ପଶାୟତ ଭର୍ଚୁଆଲ ମୋଡ୍‌ରେ ସାମିଲ୍‌ ହୋଇଥିଲେ। ଜଷ୍ଟିସ୍‌ ପଶାୟତ କହିଥିଲେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଶାରୀରିକ, ମାନସିକ ଓ ସାମାଜିକ ଭାବେ ସୁସ୍ଥ ରହିବା ହେଉଛି ପ୍ରକୃତ ସୁସ୍ଥତାର ପରିଚୟ । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସମ୍ବିଧାନରେ ଥିବା ବିଭିନ୍ନ ଧାରା ସଂକ୍ରାନ୍ତରେ ସେ ଆଲୋକପାତ କରିଥିଲେ। ଆଇନର ସଫଳ କାର୍ଯ୍ୟାନ୍ବୟନରେ କିଭଳି ଡାକ୍ତରମାନଙ୍କ ସହଯୋଗ ଅନିବାର୍ଯ୍ୟ, ସେ ବିଷୟରେ କହିଥିଲେ। ଏଥିସହିତ, ଡାକ୍ତରୀ ପେସା ଓ ଆଇନ ପେସା ପରସ୍ପରର ପରିପୂରକ ବୋଲି ସେ କହିଥିଲେ।

ମଣିପୁର ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର ମହାପାତ୍ର କହିଥିଲେ, ଯେପରି ଆଇନର ବିଭିନ୍ନ ପ୍ରକାର ଭେଦ ରହିଛି ଠିକ୍‌ ସେପରି ବିଭିନ୍ନ ପ୍ରକାର ରୋଗ ମଧ୍ୟ ରହିଛି। ଆଇନର ଅନୁଧ୍ୟାନ କରାଯାଇ ଲୋକଙ୍କୁ ନ୍ୟାୟ ଦିଆଯାଏ। ଡାକ୍ତରମାନେ ରୋଗର ନିରୂପଣ କରି ରୋଗୀକୁ ପୁନର୍ଜୀବନ ଦିଅନ୍ତି। ଦିବଂଗତ ପ୍ରଫେସର ଶରତ ଚନ୍ଦ୍ର ମିଶ୍ର ଓ ଭଗବତୀ ଆଚାର୍ଯ୍ୟ କିଭଳି ଗରିବ ରୋଗୀଙ୍କ ସେବା କରି କିମ୍ବଦନ୍ତୀ ପାଲଟି ଯାଇଛନ୍ତି, ତାହା କହିବା ସହ ପ୍ରତ୍ୟେକ ଡାକ୍ତର ୧୦ବର୍ଷ ସରକାରୀ ମେଡିକାଲରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ ଡାକ୍ତରମାନଙ୍କ ଜୀବନ ଅସାଧାରଣ ବୋଲି କହିଥିଲେ। ଏହାଛଡ଼ା ଡାକ୍ତର ଓ ଓକିଲଙ୍କ ଭିତରେ କିଛି ସାମଞ୍ଜସ୍ୟ ରହିଛି। ଅଭ୍ୟାସ ସମୟରେ ଉଭୟଙ୍କୁ ପ୍ରାକ୍ଟିସନର୍‌ କୁହାଯାଏ। ରାଜ୍ୟ ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ଏସ୍‌ସିବି ମେଡିକାଲ୍‌କୁ ‘ଡେଷ୍ଟିନେସନ ପଏଣ୍ଟ୍‌’ ବୋଲି କୁହାଯାଏ। ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବାରେ କଟକ ବଡ ଡାକ୍ତରଖାନାର ଅବଦାନ ଅତୁଳନୀୟ। ସବୁ ତ୍ରୁଟି ସତ୍ତ୍ବେ ପ୍ରତି ମୁହୂର୍ତ୍ତରେ ନିଜ ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରିବା ପ୍ରତ୍ୟେକ ଡାକ୍ତରୀ ଛାତ୍ରଙ୍କ ପାଥେୟ ହେଉ ବୋଲି ସେ କାମନା କରିଥିଲେ।

ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ଏହି ମହାନ୍ ଅନୁଷ୍ଠାନର ଗୌରବମୟ ଇତିହାସରେ ପ୍ଲାଟିନମ୍‌ ଜୁବୁଲି ସ୍ମରଣୀୟ ହୋଇ ରହିବ ବୋଲି କହିବା ସହିତ ଭଲ ମଣିଷ ହେବା ଓ ପ୍ରତ୍ୟେକ ରୋଗୀ ପ୍ରତି ସମବେଦନା ରଖିବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୪ ସୁଦ୍ଧା ଏହି ହସ୍ପିଟାଲ ଅତ୍ୟାଧୁନିକ ରୂପ ନେଇଥିବ ବୋଲି ସେ କହିଥିଲେ।

ପ୍ରଫେସର ଡାକ୍ତର ସତ୍ୟନାରାୟଣ ରାଉତରାୟ ଓ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶେଷରେ ଡାକ୍ତର ପ୍ରଣତୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଡାକ୍ତର ଅପରାଜିତା ମିଶ୍ର, ଡାକ୍ତର ଦୀପକ ରଞ୍ଜନ ଦାସ, ଡାକ୍ତର ସୁଚିସ୍ମିତା ଭୂୟାଁ, ଡାକ୍ତର ମନୋଜ କୁମାର ନାୟକ ଓ ଡାକ୍ତର ପ୍ରଦୀପ୍ତା ବିଶ୍ବାଳ ପ୍ରମୁଖ ମଂଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର