ବଡ଼ ମେଡିକାଲ୍‌ ଦରମା ଫିକ୍ସିଂ ଘଟଣା : ଏଜି ଅଡିଟ୍‌ ରିପୋର୍ଟ ମାଗିଲା ଭିଜିଲାନ୍ସ

କଟକ : ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଜିଙ୍କ ପକ୍ଷରୁ ହୋଇଥିବା ଅଡିଟ୍‌ ରିପୋର୍ଟକୁ ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ତଦନ୍ତ ପରିସରକୁ ଆଣିଛନ୍ତି। ଏଥିପାଇଁ ଏସ୍‌ସିବି ମେଡିକାଲ୍‌ ଅଧୀକ୍ଷକଙ୍କଠୁ ଉକ୍ତ ରିପୋର୍ଟର ନକଲ ଯୋଗାଇ ଦେବାକୁ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ଘଟଣା ଉପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ (ନଂ ୫୪୪/୨୦୧୭) କରାଯାଇଥିଲା। ଏଭଳି ଗୁରୁତର ହେର୍‌ଫେର୍‌ ବାବଦରେ ବିଭିନ୍ନ ମହଲରେ ଅଭିଯୋଗ ହେବାରୁ ସ୍ୱତନ୍ତ୍ର ଏଜି ଅଡିଟ୍‌ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ନଭେମ୍ବର ୨୨ ତାରିଖରୁ ଏଜି ଅଡିଟ୍‌ ଆରମ୍ଭ ହୋଇଥିଲା। ଶେଷରେ ୩୦ ପୃଷ୍ଠାର ରିପୋର୍ଟକୁ ଏଜିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ରିପୋର୍ଟର ଏକ ନକଲ ଏସ୍‌ସିବି ଅଧୀକ୍ଷକଙ୍କ ନିକଟକୁ ମଧ୍ୟ ଆସିଥିବା ଜଣାପଡ଼ିଛି। ତେଣୁ ଉକ୍ତ ରିପୋର୍ଟକୁ ଆଧାର କରି ଭିଜିଲାନ୍ସ ତାହାର ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବ ବୋଲି କୁହାଯାଉଛି।

ସୂଚନାରୁ ପ୍ରକାଶ ଯେ, ଅଧୀକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ନିଯୁକ୍ତି ନିୟମକୁ ଏଡାଇ ଦେଇ ଗ୍ରେଡେସନ୍‌ ଓ କ୍ୟାଡର ନିୟମର ଖୋଲାଖୋଲି ଉଲଙ୍ଘନ କରିଥିଲେ। ଏପରିକି କିଛି କର୍ମଚାରୀ ଗୋଟିଏ ଗ୍ରେଡ୍‌ରୁ ଏକାଧିକ ଗ୍ରେଡ୍‌କୁ ଅତିକ୍ରମ କରିଯାଇଛନ୍ତି। ପଦୋନ୍ନତି ନେଇଥିଲେ ବି ଆରଏସିପି ମଧ୍ୟ ନେଇଛନ୍ତି। ବେଆଇନ୍‌ ଭାବେ ଗୋଟଏ ପଦରେ ଦୁଇଜଣ ଦରମା ଉଠାଇଛନ୍ତି। ଏଭଳି ଅନେକ ଦରମା କେଳେଙ୍କାରୀ ବାବଦରେ ‘ସମ୍ବାଦ’ରେ ସିରିଜ ଖବର ପ୍ରକାଶ ପାଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଏଜି ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅଡିଟ୍‌ରେ ମଧ୍ୟ ଏକାଧିକ ଗଫଲତି ହୋଇଥିବା ସାମ୍ନାକୁ ଆସିଥିଲା। ମୁଖ୍ୟ ଅଭିଯୋଗକାରୀଙ୍କୁ ଅଡିଟ୍‌ ଦଳ ଡକାଇ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହିଁଥିଲେ। ଏପରିକି ସମ୍ବାଦରେ ପ୍ରକାଶିତ ହୋଇଥିବା ଖବର ମଧ୍ୟ ସଂପୂର୍ଣ୍ଣ ସତ୍ୟ ବୋଲି ଅଡିଟ୍‌ ଦଳ ଜାଣିବାକୁ ପାଇଥିଲେ। ତେଣୁ ଏହାକୁ ଆଧାର କରି ୧୨ଟି ପଏଣ୍ଟରେ ଅଧୀକ୍ଷକଙ୍କଠୁ ତଥ୍ୟ ମଗାଯାଇଥିଲା। ସମସ୍ତ ଜବାବକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏବେ ଭିଜିଲାନ୍ସ ଉକ୍ତ ରିପୋର୍ଟ ପାଇଗଲେ, ଅଭିଯୁକ୍ତ କର୍ମଚାରୀମାନେ ଫସିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର