ଏସ୍‌ସିବି ମେଡିକାଲ କଲେଜକୁ ସ୍ୱୟଂଶାସିତ ମାନ୍ୟତା ଦାବି : ଛାତ୍ରଛାତ୍ରୀଙ୍କ ଧାରଣା, କଳାବ୍ୟାଜ୍ ପିନ୍ଧି କାମ କଲେ କନିଷ୍ଠ ଡାକ୍ତର

କଟକ : ଏସ୍‌ସିବି ମେଡିକାଲ କଲେଜକୁ ତୁରନ୍ତ ସ୍ବୟଂ ଶାସିତ ମାନ୍ୟତା ଦିଆଯାଉ। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଖୋଲାଯାଉ। ଏଭଳି ଦାବି ନେଇ ଆଜିଠାରୁ ଏସ୍‌ସିବି ମେଡିକାଲ ଛାତ୍ର ସଂସଦ ପକ୍ଷରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧା‌ରଣା ଦେଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର ସଂସଦ ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପଟେ ଛାତ୍ରସଂସଦ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ପିଜି(କନିଷ୍ଠ ଡାକ୍ତର) ସଂଘ। କନିଷ୍ଠ ଡାକ୍ତରମାନେ ଆଜିଠାରୁ କଳା ବ୍ୟାଜ୍ ପିନ୍ଧି କାମ କରୁଛନ୍ତି। ସରକାରଙ୍କୁ ୪୮ଘଣ୍ଟାର ମହଲତ ଦେବା ସହ ଏହି ସମୟ ଭିତରେ ସରକାର ନିଷ୍ପତ୍ତି ଗ୍ରହଣ ନକଲେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି ଡାକ୍ତର ଆଶିଷ କୁମାର ମିଶ୍ର ଚେତାବନୀ ଦେଇଛନ୍ତି। ଏପରିକି କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ମଧ୍ୟ କନିଷ୍ଠ ଡାକ୍ତର ସଂଘ ପରୋକ୍ଷରେ ଚେତାବନୀ ଦେଇଥିବା ସୂଚନା ମିଳିଛି।

ଏହି ଆନ୍ଦୋଳନକୁ ନେଇ ଆଜି ଏସ୍‌ସିବି ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଲେଜ କାଉନସିଲ କମିଟି ବୈଠକ ବସିଥିଲା। କିନ୍ତୁ ବୈଠକରେ ଛାତ୍ର ସଂସଦ ନିଜ ଜିଦ୍‌ରେ ଅଟଳ ରହିଥିଲା। ଏପରିକି ଆସନ୍ତାକାଲି ରାଜ୍ୟପାଳଙ୍କୁ ଛାତ୍ରସଂସଦର ଏକ ପ୍ରତିନିଧିମଣ୍ଡଳୀ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅଧ୍ୟକ୍ଷା ମଧ୍ୟ ଆନ୍ଦୋଳନ ସଂପର୍କରେ ଭିସି, ଡିଏମ୍‌ଇଟି, ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଏସସିବି ଭେଷଜ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ରଛାତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଉଛନ୍ତି। ଯାହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ନିୟମ ଅନୁସାରେ ୪୫ ଦିନ ମଧ୍ୟରେ ଫଳ ପ୍ରକାଶନ ସହ ସାର୍ଟିଫିକେଟ ପ୍ରଦାନ କରାଯିବା କଥା। କିନ୍ତୁ ସେଥିରେ ବିଳମ୍ବ ଘଟୁଛି। ସାର୍ଟିଫିକେଟ ନ ମିଳିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଛାତ୍ର ବୃତ୍ତି ପାଇଁ ଆବେଦନ କରି ପାରୁ ନାହାନ୍ତି କି ଶିକ୍ଷା ଋଣ ଆଣି ପାରୁନାହାନ୍ତି। ଏସବୁ ଅଭିଯୋଗ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏ ବିଷୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଫଳରେ ତୁରନ୍ତ ଏସ୍‌ସିବିକୁ ସ୍ବୟଂ ଶାସିତ ମାନ୍ୟତା ଦାବି କରି ଛାତ୍ର ସଂସଦ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଧାରଣା। ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏଭଳି ଧାରଣା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ। ଆଜି ସଂଧ୍ୟାରେ ଏସ୍‌ସିବି ପରିସରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଛାତ୍ରସଂସଦ ସଭାପତି ଡାକ୍ତର ଦୀପକ କୁମାର ସାମଲ, ସମ୍ପାଦକ ଡାକ୍ତର ପ୍ରତ୍ୟୁଷ ସେନାପତି, କୋଷାଧ୍ୟକ୍ଷ ଡାକ୍ତର ସାର୍ଥକ ମହାନ୍ତି, ଡାକ୍ତର ଗୌରବ ସିଟ୍, ଡାକ୍ତର ଅବ୍ୟର୍ଥ ଦାଶ, ଅନ୍ତର୍ଯ୍ୟାମୀ ରଣା, ସମ୍ବିତ ମହାନ୍ତି, ଡାକ୍ତର ବିଶ୍ବ ପ୍ରକାଶ ନାୟକ, ଡାକ୍ତର ଶ୍ବେତା ସୋନାଲି ଦାଶ, ଡାକ୍ତର ପ୍ରଜ୍ଞା ଦାସ, ଡାକ୍ତର ସୋନାଲି ପାଲ୍, ଡାକ୍ତର ଭଗ୍ୟଲକ୍ଷ୍ମୀ ସେଠୀ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର