କଟକ/ରାଉରକେଲା : ରାଜ୍ୟର ସବୁଠୁ ବଡ଼ ରେଫରାଲ ହସ୍ପିଟାଲ ଭାବେ ପରିଗଣିତ କଟକ ବଡ଼ ମେଡିକାଲ ବା ଏସ୍‌ସିବି ଏବେ କରୋନା ସଂକ୍ରମଣର ହଟ୍‌ସ୍ପଟ୍ ପାଲଟିଛି। ଗଲା ୩ ଦିନ ଭିତରେ ବିଭିନ୍ନ ବିଭାଗର ୪ ଜଣ ବରିଷ୍ଠ ପ୍ରଫେସର କରୋନାରେ ସଂକ୍ରମିତ ହୋଇସାରିଲେଣି। ଶନିବାର ଦିନ ସଂଧ୍ୟା ସୁଦ୍ଧା ୬ ଜଣ ଡାକ୍ତରଙ୍କ ସଂକ୍ରମଣ ସଂପର୍କରେ ରିପୋର୍ଟ ମିଳିଥିବା ବେଳେ ଏଯାଏ ମୋଟ ୫୨ ଜଣ ଡାକ୍ତର ସଂକ୍ରମିତ ହୋଇସାରିଲେଣି। ପୂର୍ବରୁ ନେଫ୍ରୋଲୋଜି ବିଭାଗର ଦୁଇ ଜଣ ପ୍ରଫେସର ଓ ଅନ୍ୟ ବିଭାଗର ଜଣେ ବରିଷ୍ଠ ପ୍ରଫେସର ସଂକ୍ରମିତ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ଦନ୍ତ ମହାବିଦ୍ୟାଳୟର ବରିଷ୍ଠ ପ୍ରଫେସର ତଥା ପଦାଧିକାରୀଙ୍କ ସମେତ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ରାଉରକେଲାର ଜଣେ ଜଣାଶୁଣା ଡାକ୍ତର ଅରୁଣ କୁମାର ଦାସ(୬୮)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ଅବସର ନେବା ପରେ ବି ଶଲ୍ୟ ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିସିନ ବିଭାଗର ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ୩ଜଣ ହାଉସ ସର୍ଜନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଦନ୍ତ ମହାବିଦ୍ୟାଳୟର ୫ ଜଣଙ୍କ ମଧ୍ୟରେ ଜଣେ ସିନିୟର ରେସିଡେଣ୍ଟ ଓ  ୩ ଜଣ କର୍ମଚାରୀ  ରହିଛନ୍ତି। ଏଭଳି ସ୍ଥିତି ଏବେ କଟକ ବଡ ଡାକ୍ତରଖାନାରେ ସଂଗିନ ସ୍ଥିତି ସୃଷ୍ଟି କରିଥିବା ବେଳେ ଓପିଡି ବନ୍ଦ ହେବା ଭଳି ସ୍ଥିତି ଆଶଙ୍କା କରାଗଲାଣି।

ଏସସିବିରେ କେବଳ ଡାକ୍ତର ନୁହଁନ୍ତି ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଅଧ୍ୟକ୍ଷଙ୍କ କାର୍ଯ୍ୟଳୟ, ମାଇକ୍ରୋବୟୋଲୋଜି ଲାବରେ କାୟା ମେଲାଇ ସାରିଛି କରୋନା। ୫୨ଜଣ ଡାକ୍ତରଙ୍କ ସମେତ ଶହେରୁ ଅଧିକ ସ୍ବାସ୍ଥ୍ୟ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି। ଏସସିବି କରୋନା ଆଇସୋଲେସନ ୱାର୍ଡରୁ ୭ଜଣ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇଥିବାବେଳେ ମାଇକ୍ରୋବାୟୋଲୋଜି ଲାବର ୨ଜଣ ଡାକ୍ତର, ୩ଜଣ ଟେକ୍ନସିଆନ, ୨ଜଣ ଆଟେଣ୍ଡେଣ୍ଟ କରୋନା ଆକ୍ରାନ୍ତ ହେଲେଣି। ଅଧ୍ୟକ୍ଷଙ୍କ କାର୍ଯ୍ୟଳୟରୁ ୧୫ଜଣ, ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ୩ ଜଣ, କରୋନା ନୋଡାଲ ଅଫିସରଙ୍କ କାର୍ଯ୍ୟାଳୟର ସୁରକ୍ଷାକର୍ମୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏସସିବି ହ‌ଷ୍ଟେଲରୁ ପାଖାପାଖି ୮ଜଣ ହାଉସସର୍ଜନ ଓ ୨ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏସସିବିର ଟ୍ରାନ୍ସଫ୍ୟୁଜନ ମେ‌ଡିସିନ, ନ୍ୟୁରୋସର୍ଜରି, ପଲମ୍ୟୁନା‌ରୀ ମେଡିସିନ, ହୃଦରୋଗ ବିଭାଗ, ସର୍ଜରି, ଚର୍ମରୋଗ ବିଭାଗ, ହାଉସ ସର୍ଜନ ଡାକ୍ତରଙ୍କୁ ମିଶାଇ ୫୨ରୁ ଅଧିକ ଡାକ୍ତର ସଂକ୍ରମିତ ହେଲେଣି। ଅନ୍ୟପଟେ ଆଜି ଏସସିବିର ବିଭିନ୍ନ ବିଭାଗରୁ ୨୦ରୁ ଅଧିକ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟ ହରିହରରୁ ୨ଜଣ କର୍କଟ ରୋଗୀ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।