ଏସ୍‌ସିବି ମେରୁଦଣ୍ଡ ଆଘାତ କେନ୍ଦ୍ର ଓଟିରେ ତାଲା

ଦୟନୀୟ ସ୍ଥିତିରେ ପୂର୍ବଭାରତର ପ୍ରଥମ ପ୍ରକଳ୍ପ

କଟକ: କଟକ ଏସ୍‌ସିବି ପରିସରରେ ରହିଛି ପୂର୍ବଭାରତର ପ୍ରଥମ ପ୍ରକଳ୍ପ ତଥା ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର। ମାତ୍ର, ମାସେ କି ଦୁଇ ମାସ ନୁହେଁ , ଦୀର୍ଘ ୨ବର୍ଷ ହେଲା ଉକ୍ତ କେନ୍ଦ୍ରର ଅପରେସନ୍‌ ଥିଏଟର୍‌ (ଓଟି)ରେ ତାଲା ଝୁଲୁଛି। ତାଲା ଖୋଲାଯାଉନି କି, ଯନ୍ତ୍ରାଂଶର ଅବସ୍ଥା କିପରି ଅଛି ତା’ ବି ଯାଞ୍ଚ ହେଉନି। କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ବ୍ୟବହାର ନହୋଇ ଖତ ଖାଇବାକୁ ବସିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଅଧୀନରେ ପୂର୍ବଭାରତର ପ୍ରଥମ ପ୍ରକଳ୍ପ ଭାବେ ଏସ୍‌ସିବିରେ ଖୋଲାଯାଇଥିଲା ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର। ଲୋକଙ୍କ ବଂଚିବାର ଅଧିକାର ଆଇନ ଅନୁସାରେ ୨୦୦୧ରେ ଭାରତର ୪ଟି ସ୍ଥାନରେ ଖୋଲାଯାଇଥିଲା ଏହି କେନ୍ଦ୍ର। କଟକ ବଡମେଡିକାଲ ପରିସରରେ ରହିଛି ଏହି ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର। ଯେଉଁଠି ମେରୁଦଣ୍ଡ ଆଘାତ ଜନିତ ଗୁରୁତର ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଏ। ହେଲେ ଦୀର୍ଘଦିନ ହେଲା ସ୍ଥାୟୀ ଅଧ୍ୟକ୍ଷ ନଥିବା ଓ ବିଭିନ୍ନ ପ୍ରଶାସନିକ ଅଚଳାବସ୍ଥାକୁ ନେଇ ଏହି କେନ୍ଦ୍ରଟି ଏକପ୍ରକାର କାମଚଳା ସ୍ଥିତିରେ ପଡିଛି। ଗୋଟିଏ ପଟେ ୧୦ ବର୍ଷ ହେଲା ଅନୁଷ୍ଠାନର କେହି ସ୍ଥାୟୀ ନିର୍ଦ୍ଦେଶକ ନାହାନ୍ତି। ଉଭୟ ବୁର୍ଲା ଓ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ବରେ ଥିବା ପ୍ରଫେସର ପ୍ରକାଶ ମହାପାତ୍ର ଅବସରଗ୍ରହଣ କରିବା ପରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଏହି କେନ୍ଦ୍ରର ଦାୟିତ୍ବରେ ରହିଛନ୍ତି। ଏହି କେନ୍ଦ୍ରକୁ ନୂଆ ରୂପ ଦେବା ପାଇଁ ପ୍ରଫେସର ସିବିକେ ମହାନ୍ତି ଅନେକ ନୂଆ ଯୋଜନା ହାତକୁ ନେଇଥିବାବେଳେ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗ ଓ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ଯୋଡିବା ପାଇଁ ଯୋଜନା କରିଛନ୍ତି। ହେଲେ ଏହାରି ଭିତରେ ଦୀର୍ଘଦିନର ପ୍ରଶାସନିକ ଅଚଳାବସ୍ଥା, କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ସମସ୍ୟା ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି। ଗଲା ୨ବର୍ଷ ହେବ କେନ୍ଦ୍ରର ଅସ୍ତ୍ରୋପଚାର ଗୃହରେ ତାଲା ଝୁଲୁଛି। ଏହି କେନ୍ଦ୍ର ପାଇଁ ଉନ୍ନତମାନର ଅପରେସନ୍‌ ଥିଏଟର(ଓଟି) ଥିବାବେଳେ ସେଥିରେ ତାଲା ଝୁଲିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ୪ବର୍ଷ ହେଲା ପରିଚାଳନା କମିଟି ବୈଠକ ବସୁନି। ପରିଚାଳନା କମିଟି ବୈଠକ ବର୍ଷକୁ ୨ଥର ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବର୍ଷକୁ ୪ଥର ହେବା କଥା। ଏହି କେନ୍ଦ୍ରରେ କର୍ମଚାରୀଙ୍କ ନିଯୁକ୍ତି ନେଇ ହୋଇଥିବା କେଲେଙ୍କାରୀ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ୨ବର୍ଷ ହେଲା ନିର୍ଦ୍ଦେଶ ଦିଆଯାଇଥିବାବେଳେ ତାହା ବି କେବଳ କାଗଜକମଲମରେ ସୀମିତ ରହିଛି।

ସମ୍ବନ୍ଧିତ ଖବର