କଟକ : କଟକ ବଡ଼ ଡାକ୍ତରଖାନା ପାଇଁ ବଡ଼ ଚିନ୍ତା କରିଛନ୍ତି ସରକାର। ଏମ୍‌ସ ପ୍ଲସ୍‌ ବ୍ୟବସ୍ଥା ହେବ। କିନ୍ତୁ ରାଜ୍ୟର ସର୍ବବୃହତ ଆଉ ସବୁଠୁ ଭରସାଯୋଗ୍ୟ ସରକାରୀ ଡାକ୍ତରଖାନା କୁହାଯାଉଥିବା କଟକ ବଡ ଡାକ୍ତରଖାନାର କାଜୁଆଲିଟିରେ ରହିଛି ମାତ୍ର ଗୋଟିଏ ଷ୍ଟ୍ରେଚର। କାଜୁଆଲିଟିକୁ ଆସି ପ୍ରାଣ ହରାଉଥିବା ବ୍ୟକ୍ତି ବି ମୃତ୍ୟୁ ପ୍ରମାଣପତ୍ର ନେବାକୁ ଘଣ୍ଟା ଘଣ୍ଟା ଲାଇନରେ ରହୁଛନ୍ତି। ଗୁରୁତର ଅବସ୍ଥାରେ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କ ପାଖରେ ଡାକ୍ତର ପହଞ୍ଚିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ରୋଗୀ ସଂପର୍କୀୟଙ୍କୁ ଲାଇନ ଦେବାକୁ ପଡେ। ରୋଗୀଙ୍କ ସହିତ ଯଦି ସାହାଯ୍ୟ କଲା ଭଳି ସଂପର୍କୀୟ ନଥିବେ ତା’ହେ‌େଲ ତଳେ ପଡିଥିବା ରୋଗୀଙ୍କୁ ଷ୍ଟ୍ରେଚରରେ ନେବାକୁ କେହି ନଥିବେ। ଡାକ୍ତର ଚିଠା ଲେଖିବା ପରେ ଗୁରୁତର ରୋଗୀର ସଂପର୍କୀୟ ପରୀକ୍ଷା କରିବାକୁ କୁଆଡେ ଯିବ ବାଟ ପାଏନି। ଅନ୍ କଲ୍‌ରେ ଡାକ୍ତର ଆସିବାର ବ୍ୟବସ୍ଥା ଥିବାବେଳେ ‌କଲ୍‌ ଗଲେ ମଧ୍ୟ ଡାକ୍ତର ଆସିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ।

Advertisment

publive-image indianadmissionsguru.com

କଟକ ବଡଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ ଦିନକୁ ହାରାହାରି ଭାବେ ଆସନ୍ତି ସାଢେ ୩ଶହରୁ ଅଧିକ ରୋଗୀ। ହେଲେ ରୋଗୀଙ୍କ ପାଇଁ କାଜୁଆଲିଟିରେ ରହିଛି ମାତ୍ର ୩୫ଟି ବେଡ୍‌। ପ୍ରତି ଘଣ୍ଟାରେ ୫୦ଜଣ ରୋଗୀ ଚିକିତ୍ସା ପାଇଁ ଆସନ୍ତି ଓ ଯାଆନ୍ତି। ହେଲେ ଶଯ୍ୟା ଅଭାବରୁ ଗୁରୁତର ରୋଗୀ ତଥା ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀ ମଧ୍ୟ ତଳେ ଶୋଇବାକୁ ବାଧ୍ୟ। ରୋଗୀର ରକ୍ତ ବୋହି ଯାଉଥାଉ କି ନିଶ୍ବାସ ନେଇ ପାରୁନଥାଉ.. ଲାଇନରେ ରହି ଡାକ୍ତରଙ୍କ ପାଖରେ ପହଞ୍ଚିଲା ବେଳକୁ ଅବସ୍ଥା ସଂଗିନ। ରୋଗୀ ଓ ସଂପର୍କୀୟଙ୍କ ପାଇଁ ରହିଛି ମାତ୍ର ତିନୋଟି ପାଇଖାନା। ଷ୍ଟ୍ରେଚର, ହ୍ବିଲ ଚେୟାର, ଟ୍ରଲି ଅଛି ବୋଲି କର୍ତ୍ତୃପକ୍ଷ କହୁଥିଲେ ବି ଠିକଣା ସମୟରେ କିଛି ମିଳେନି। ଅନ୍ୟପଟେ ତୁରନ୍ତ ଆବଶ୍ୟକ ପଡୁଥିବା ମାଇନର ଓଟିରେ ମାତ୍ର ୩ଟି ବେଡ୍‌। ଜଣେ ଆସିଲେ ଆଉ ଜଣେ ଯିବ। ୫ଟା ପରେ ଆଉଟ୍‌ଡୋର ବନ୍ଦ ରହୁଥିବାରୁ ତା’ ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ରୋଗୀଙ୍କ ଭରସା କାଜୁଆଲିଟି। ଯଦି ୩ଜଣ ପୋଡା ରୋଗୀ ଆଶୁଚିକିତ୍ସା କେନ୍ଦ୍ରକୁ ଆସନ୍ତି ତେବେ କଥା ସରିଲା। ମୁଣ୍ଡରୁ ରକ୍ତ ବୋହି ଅଚେତ୍‌ ହୋଇପଡୁଥିବା ରୋଗୀ ବି ମାଇନର ଓଟିକୁ ଯାଇପାରେନି। ଶେଷରେ ବାହାରେ ଦୋଷ ଛିଣ୍ଡାଇ ଦେବା‌ ଭଳି ସ୍ଥିତିରେ ରୋଗୀର ଚିକିତ୍ସା କରାଯାଏ। ଏସ୍‌ସିବି କା‌ଜୁଆଲିଟିରେ ସର୍ଜରି, ମେଡିସିନ୍‌, ଅର୍ଥୋପେଡିକ୍‌ ଭଳି ୪ଟି ବିଭାଗର ଡାକ୍ତରଙ୍କୁ ବାଦ ଦେଲେ ଅନ୍ୟ ସବୁ ବିଭାଗର ଡାକ୍ତର ଆସନ୍ତି ‘ଅନ୍‌ କଲ୍‌’ରେ। କିନ୍ତୁ ସେଠି ଡାକ୍ତର ବସିବାକୁ ସ୍ଥାନ ନଥାଏ। ରୋଗୀଙ୍କ ପାଇଁ ଦୁଇଟି, ଡାକ୍ତରଙ୍କ ପାଇଁ ଗୋଟିଏ ଘର ରହିଥିବା ବେଳେ ଓଟି, ପ୍ଲାଷ୍ଟର ରୁମ, ଜରୁରୀକାଳୀନ ପରୀକ୍ଷା କକ୍ଷ, ଇସିଜି ଓ ଏକ୍ସରେ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। କିନ୍ତୁ ସ୍ଥାନାଭାବ ସମସ୍ୟା, ଡାକ୍ତର ସମସ୍ୟା ଓ ଆବଶ୍ୟକ ଉପକରଣ ଅଭାବରୁ ଏସ୍‌ସିବି କାଜୁଆଲିଟି ରୋଗୀଙ୍କ ପାଇଁ ମୃତ୍ୟୁର ଘର ପାଲଟିଥିବା ରୋଗୀ ଅଭିଯୋଗ କରନ୍ତି।