କଟକ : କଟକ ବଡ଼ ଡାକ୍ତରଖାନାରେ ପୁଣି ହୋଇଛି ଏକ ବିରଳ ଅସ୍ତ୍ରୋପଚାର। କେବଳ ଏସ୍‌ସିବି ନୁହେଁ, ସରକାରୀ ବ୍ୟବସ୍ଥାରେ ସମଗ୍ର ରାଜ୍ୟରେ ପ୍ରଥମଥର ପାଇଁ ଏକପାର୍ଶ୍ବ ଆଣ୍ଠୁ ପ୍ରତିରୋପଣ ସଫଳ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା କଇରାଶି ଗ୍ରାମର ଊର୍ମିଳା ନାହକ(୪୫)ଙ୍କ ଆଣ୍ଠୁରେ ଏଭଳି ପ୍ରତିରୋପଣ କରି ଏସ୍‌ସିବି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।

Advertisment

ମିଳିଥିବା ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲା କଇରାଶି ଗ୍ରାମର କୃଷ୍ଣ ନାହକଙ୍କ ସ୍ତ୍ରୀ ଊର୍ମିଳା ଜ‌ଣେ ଶ୍ରମଜୀବୀ ମହିଳା। ୧୫ବର୍ଷ ତଳେ ତାଙ୍କ ବାମଆଣ୍ଠୁ ଖଞ୍ଜା କୌଣସି କଠିନ ଓ ତୀକ୍ଷ୍ମ ବସ୍ତୁଦ୍ବାରା ଆଘାତପ୍ରାପ୍ତ ହୋଇଥିଲା। ସେବେଠାରୁ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିବାରୁ କିଛିଦିନ ପରେ ଯନ୍ତ୍ରଣାରୁ ଉପଶମ ମିଳିଥିଲା। ହେଲେ, ସେ ଚଳପ୍ରଚଳ କରିବାରେ କଷ୍ଟ ଅନୁଭବ କରିଥିଲେ। ଦୀର୍ଘ ୬ବର୍ଷ ହେଲା ତାଙ୍କ ବାମଆଣ୍ଠୁ ପାର୍ଶ୍ବ ଖଞ୍ଜାରେ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ଠିକ୍‌ ଭାବରେ ଚାଲି ମଧ୍ୟ ପାରୁ ନଥିଲେ। ସବୁଠାରୁ ନିରାଶ ହୋଇ ଶେଷରେ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ।

ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅତନୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ବିଭିନ୍ନ ପରୀକ୍ଷଣ ପରେ ଡାଗ୍ନୋଷ୍ଟିକ୍‌ ଆର୍ଥୋସ୍କୋପି ପଦ୍ଧତି ମାଧ୍ୟମରେ ବାମଆଣ୍ଠୁ ଖଞ୍ଜାର ଅସ୍ତ୍ରୋପଚାର କରାଯାଇଥିଲା। ଏହି ପଦ୍ଧତି ମାଧ୍ୟମରେ ଊର୍ମିଳାଙ୍କ ଆଣ୍ଠୁର ଜଂଘ ଅସ୍ଥି ତଳପାର୍ଶ୍ବ ଏବଂ ଗୋଡ଼ ଅସ୍ଥି ଉପରପାର୍ଶ୍ବର ବାହାର ଅଂଶ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଶେଷରେ ଆଣ୍ଠୁ ପ୍ରତିରୋପଣ କରିବାର ଆବଶ୍ୟକତା ପଡ଼ିଥିଲା। ଡାକ୍ତର ମହାନ୍ତିଙ୍କ ନେତୃତ୍ବରେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ସୁଜିତ୍‌ ଲାକ୍ରା, ଡାକ୍ତର ସତୀଶ ନନ୍ଦ, ଡାକ୍ତର ସଚ୍ଚୀନ୍ଦ୍ର ଦାଶ, ନିଶ୍ଚେତକ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ସି.ଆର ପାଣିଗ୍ରାହୀ, ଡାକ୍ତର ଇଶାନ୍‌ ଚନ୍ଦ୍ର ଦଳାଇଙ୍କୁ ନେଇ ଗଠିତ ଟିମ୍‌ ଏହି ଅସ୍ତ୍ରୋପଚାର କରିଥିଲେ।

ମହିଳାଜଣକ ଅସ୍ତ୍ରୋପଚାରର ଦୁଇଦିନ ପରେ ଚଲାବୁଲା କରିଥିବା ବେଳେ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସଂପୂର୍ଣ୍ଣ ମାଗଣାରେ ଓ ସରକାରୀ ବ୍ୟବସ୍ଥାରେ ଏସ୍‌ସିବି ହେଉଛି ରାଜ୍ୟର ପ୍ରଥମ ମେଡିକାଲ କଲେଜ ଯେଉଁଠାରେ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ‌ଆଗକୁ ଏସ୍‌ସିବିରେ ଏଭଳି ଏକପାର୍ଶ୍ବ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥାରେ ରୋଗୀ ଉପକୃତ ହୋଇପାରିବେ ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତର ଅତନୁ ମହାନ୍ତି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏସ୍‌ସିବିକୁ ଏମ୍‌ସ୍‌ ପ୍ଲସ୍ ଘୋଷଣା କରିଥିବା ବେଳେ ଏସ୍‌ସିବିରେ ଏଭଳି ବିରଳ ଅସ୍ତ୍ରୋପଚାର ପୁଣି ଏକ ନୂଆ ଅଧ୍ୟାୟ ଯୋଡିଛି।