ଏସ୍‌ସିବି ଡିନ୍‌ଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁରୀ

କଟକ : ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ସରକାର ଗ୍ରହଣ କରି ନେଇଛନ୍ତି। ଆଜି ଡାକ୍ତର ଦାସଙ୍କ ଆବେଦନକୁ ସରକାର ମଂଜୁରୀ ଦେବା ପରେ ପରବର୍ତ୍ତୀ ଡିନ୍‌ କିଏ ହେବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନୂତନ ଡିନ୍‌ ତାଲିକାରେ ମେଡିସିନ୍‌ ବିଭାଗର ବିଶିଷ୍ଟ ବିଶେଷଜ୍ଞ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ନାମ ଆଗରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ ବିଶିଷ୍ଟ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଭିଆରଏସ୍‌ ଆବେଦନକୁ ମଧ୍ୟ ସରକାର ମଞ୍ଜୁରୀ ଦେଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ସୂଚନା ଅନୁସାରେ, କଟକ ବଡମେଡିକାଲରେ ପ୍ରାୟ ୩ବର୍ଷ ହେବ ଡାକ୍ତର ଦାସ ପ୍ରନ୍‌ସିପାଲ ତଥା ଡିନ୍‌ ଭାବେ କାମ କରିଆସୁଥିଲେ। କିନ୍ତୁ ସେ ଗତ କିଛି ମାସ ତଳେ ସ୍ବେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ। ସରକାର ତାଙ୍କ ଆବେଦନକୁ ପ୍ରଥମେ ଗ୍ରହଣ କରିନଥିଲେ। କିନ୍ତୁ ଡାକ୍ତର ଦାସ ପୁଣି ଦ୍ବିତୀୟବାର ଆବେଦନ କରିବା ପରେ ସରକାର ବିଳମ୍ବ ହେଲେ ମଧ୍ୟ ଏହାକୁ ଗ୍ରହଣ କରି ନେଇଛନ୍ତି। ସେହିପରି ଦୀର୍ଘ ଦିନ ହେବ ବିଚାରଧୀନ ଥିବା ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଭିଆର୍‌ଏସ୍‌ ଆବେଦନକୁ ମଧ୍ୟ ସରକାର ମଂଜୁରୀ ଦେଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ସେରେମୋନିଆଲ ଡ୍ରେସ୍‌ ପିନ୍ଧି ହାଉସ୍‌ ସର୍ଜନ ଡାକ୍ତରୀ ଛାତ୍ରଛାତ୍ରୀ ମେଡାଲ ଓ ସାର୍ଟିଫିକେଟ୍‌ ନେବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦକୁ ନେଇ ଡାକ୍ତର ଦାସ ଚର୍ଚ୍ଚାରେ ଥିଲେ। ତାଙ୍କ ସ୍ବେଚ୍ଛାକୃତ ଅବସରକୁ ସରକାର ଗ୍ରହଣ କରିବା ପରେ ଏସ୍‌ସିବିରେ ପରବର୍ତୀ ଡିନ୍‌ ତାଲିକାର ସବା ଆଗରେ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ରହିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଡିନ୍‌ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଛୁଟିରେ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର