ଦୁଇ ମାସ ଭିତରେ ନିଷ୍ପତ୍ତି ନେବାକୁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

ଏସ୍‌ସିବି ମେଡିକାଲ୍‌ କର୍ମଚାରୀଙ୍କୁ ସଂଶୋଧିତ ଦରମା ପ୍ରସଂଗ

0

କଟକ : ଏସ୍‌ସିବି ମେଡିକାଲରେ କେତେକ କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣରେ ବ୍ୟାପକ ଅନିୟମିତତା କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ସଂଶୋଧିତ ଦରମା ପ୍ରଦାନରେ ଅବହେଳାକୁ ନେଇ ହୋଇଥିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟ୍‌ର ବିଚାର ବିଭାଗୀୟ ସଦସ୍ୟ ଜ୍ଞାନ ରଞ୍ଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟଦେବ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏ ସଂପର୍କିତ ଅଭିଯୋଗ ଉପରେ ୨ ମାସ ଭିତରେ ନିଷ୍ପତ୍ତି ନେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଧୂଳିରାମ ପଟ୍ଟନାୟକ ଓ ନିରଂଜନ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।

ସ୍ୟାଟ୍‌ରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ କଟକ ବଡ଼ ମେଡିକାଲ୍‌ରେ ଦରମାକୁ ନେଇ ବ୍ୟାପକ ଅନିୟମିତତା ହୋଇଛି। ଗତ କିଛି ବର୍ଷ ମଧ୍ୟରେ କ୍ୟାଡର ନିୟମ ଓ ଗ୍ରେଡେସେନ୍‌ ନିୟମର ଖୋଲାଖୋଲି ଉଲଙ୍ଘନ କରାଯାଇଛି। ସର୍ଭିସ୍‌ କୋଡ୍‌ର ଅବମାନନା କରି କେତେକ କର୍ମଚାରୀ ନିଜ ଗ୍ରେଡ୍‌କୁ ଅନ୍ୟ କ୍ୟାଡରରେ ଦର୍ଶାଇଛନ୍ତି। ମିନିଷ୍ଟେରିଆଲ୍‌ କ୍ୟାଡର କର୍ମଚାରୀମାନେ ନିଜ କ୍ୟାଡରକୁ ବଦଳାଇ ଟେକ୍ନିକାଲ କ୍ୟାଡରରୁ ଦରମା ଉଠାଉଥିଲେ ବୋଲି ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ଜଣେ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏକାଧିକ କର୍ମଚାରୀଙ୍କୁ ବେଆଇନ୍‌ ଭାବେ ନିଜ ପଦବିରୁ ତଳକୁ ଖସାଇଦିଆଯାଇଥିଲା। ଚଞ୍ଚକତା କରି ଗୋଟିଏ ପଦରେ ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତ କର୍ମଚାରୀଙ୍କ ସର୍ବନିମ୍ନ ଯୋଗ୍ୟତା, ଚୟନ ପ୍ରକ୍ରିୟା, ଚାକିରି ନିୟମାବଳୀ ସମାନ ଥିବା ବେଳେ ଦରମା ପ୍ରସଂଗରେ ସମାନ ନିୟମ ଲାଗୁ ହେବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଓଆର୍‌ଏସ୍‌ପି ନିୟମ ଅନୁସାରେ ସଂଶୋଧିତ ଦରମା ଓ ଗ୍ରେଡ୍‌ ପେ ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.