ଏସ୍‌ସିବି ଚକ୍ଷୁ ବିଭାଗକୁ ନାମକୁ ମାତ୍ର ଆର୍‌ଆଇଓ ମାନ୍ୟତା

ସଙ୍କଟରେ ଏମ୍‌ସିଆଇ ମଞ୍ଜୁରି, ଡାକ୍ତରଙ୍କ ବସିବା ପାଇଁ ରୁମ୍‌ ନାହିଁ, ସେମିନାର ହଲ୍‌ରେ ଚାଲିଛି ତାଲିମ କାର୍ଯ୍ୟକ୍ରମ

କଟକ : ରାଜ୍ୟର ଏକମାତ୍ର ଚକ୍ଷୁ ରୋଗ ଆଞ୍ଚଳିକ ପ୍ରତିଷ୍ଠାନ (ଆର‌୍‌ଆଇଓ) ମାନ୍ୟତା ପାଇଥିବା ଏସ୍‌ସିବି ଚକ୍ଷୁ ବିଭାଗ ବର୍ତ୍ତମାନ କେବଳ ନାମକୁ ମାତ୍ର ଚାଲିଛି। ବିଭାଗର ଡାକ୍ତରମାନଙ୍କ ପାଇଁ ବସିବାକୁ ରୁମ୍‌ ନଥିବାବେଳେ ଆବଶ୍ୟକ ସ୍ଥାନ ଅଭାବରୁ ମଡୁଲାର ଓଟି ମଧ୍ୟ ଆରମ୍ଭ ହୋଇପାରୁନି। ଦୀର୍ଘ ଦିନ ଧରି କେତେକ ଅତ୍ୟାବଶ୍ୟକ ମେସିନ୍‌ ବିଭାଗକୁ ଆସିପାରୁନାହିଁ। ବିଭାଗର ଭିତ୍ତିଭୂମି ବିଗିଡି ଯାଇଥିବାରୁ ଏମ୍‌ସିଆଇ ମାନ୍ୟତା ପ୍ରତ୍ୟାହାର ହେବା ଆଶଙ୍କା ସୃଷ୍ଟି ହୋଇଛି। ହେଲେ ବିଭାଗର ପୁନରୁଦ୍ଧାର କେମିତି ହେବ ସେଥିପ୍ରତି କାହାର ଚିନ୍ତା ନାହିଁ।

ବର୍ତ୍ତମାନ ଚକ୍ଷୁ ବିଭାଗରେ ତିନି ବର୍ଷର ପାଖାପାଖି ୩୦ ପିଜି ଡାକ୍ତର ଅଭ୍ୟାସ କରୁଥିବାବେଳେ ପ୍ରଫେସର ୩ଜଣ, ଆସୋସିଏଟ୍‌ ପ୍ରଫେସର ୨ଜଣ, ଆସିଷ୍ଟାଣ୍ଟ ପ୍ରଫେସର ୧୦ ଜଣ ଓ ଏସ୍‌ଆର‌୍‌ ୨ଜଣ କାର୍ଯ୍ୟ କରୁଛନ୍ତି। ହେଲେ କୌଣସି ଜଣଙ୍କ ପାଇଁ ବି ବସିବାକୁ ରୁମ୍‌ଟିଏ ଦିଆଯାଇନାହିଁ। ଯାହାକି ଏମ୍‌ସିଆଇ ନିୟମ ବିରୁଦ୍ଧାଚରଣ କରୁଛି। ବିଭାଗୀୟ ମୁଖ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌କୁ ଅଫିସ୍‌ ଭାବେ ବ୍ୟବହାର କରାଯାଉଛି। ତିନି ଜଣ ପ୍ରଫେସରଙ୍କ ମଧ୍ୟରୁ ଡାକ୍ତର ପି.କେ. ନନ୍ଦ କର୍ଣ୍ଣିଆ କ୍ଲିନିକ୍‌ରେ, ଡାକ୍ତର ଶୁଭବ୍ରତା ପରିଡ଼ା ରେଟିନା କ୍ଲିନିକ୍‌ରେ ଏବ˚ ଡାକ୍ତର ସୁମିତ୍ରା ମହାପାତ୍ର ଗ୍ଲୁକୋମା କ୍ଲିନିକ୍‌ରେ ବସୁଛନ୍ତି। କନିଷ୍ଠ ଡାକ୍ତରମାନଙ୍କ ବସାଉଠା କରିବା ପାଇଁ କମନ୍‌ରୁମ୍‌ ଟିଏ ନାହିଁ। ମଧ୍ୟାହ୍ନଭୋଜନ ସମୟରେ ଖାଇବା ପାଇଁ ଡାକ୍ତରୀ ଛାତ୍ରୀମାନେ ବିଭିନ୍ନ କ୍ଲିନିକ୍‌ରେ ବସିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ବିଭାଗରେ ଅପଥାଲ୍‌ମିକ୍‌ ଆସିଷ୍ଟାଣ୍ଟ ପ୍ରଶିକ୍ଷଣ ପାଠ୍ୟକ୍ରମ, ଅପ୍‌ଥାଲମିକ ସର୍ଜରୀ ଆସିଷ୍ଟାଣ୍ଟ ଓ ଅପଟ୍ରୋମାଟ୍ରିଷ୍ଟ ତାଲିମ ଦିଆଯାଉଛି। ପାଖାପାଖି ୪୦ଜଣ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି। କିନ୍ତୁ ବିଭାଗରେ ଟିଚି˚ ହଲ୍‌ ନଥିବାରୁ ପ୍ରଶିକ୍ଷାର୍ଥୀମାନେ ୧୫ନମ୍ବର ହଲ୍‌ (ପିଜି ସେମିନାର ହଲ୍‌)ରେ କାମଚଳା ଭାବେ ତାଲିମ ନେବାକୁ ବାଧ୍ୟ ହେଉଛନ୍ତି।

osos.co.in

ଡାକ୍ତରମାନଙ୍କ ପାଇଁ ନିର୍ମାଣ ହୋଇଥିବା କ୍ୟାବିନ୍‌ଗୁଡିକ ଗତ କିଛି ବର୍ଷ ହେଲା ବିପର୍ଯ୍ୟୟ ଵାର୍ଡ ଓ ସାଧାରଣ ଆଉଟଡୋର ଭାବେ ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଦୈନିକ ହଜାର ହଜାର ରୋଗୀ ଚକ୍ଷୁ ବିଭାଗ ଦେଇ ସାଧାରଣ ଆଉଟଡୋରକୁ ଯିବା ଆସିବା କରୁଛନ୍ତି। ଏହାଦ୍ବାରା ସମ୍ବେଦନଶୀଳ ଅଙ୍ଗ ଚକ୍ଷୁର ସ˚କ୍ରମଣ ସମ୍ଭାବନା ବଢିଯାଉଛି। ଅତୀତରେ ଏକାଧିକ ଚକ୍ଷୁ ରୋଗୀ ସ˚କ୍ରମିତ ହୋଇ ଦୃଷ୍ଟି ଶକ୍ତି ହରାଇଥିବା ନଜିର ମଧ୍ୟ ରହିଛି। ହେଲେ ସବୁକିଛି ଜାଣିଥିଲେ ବି କତ୍ତୃର୍ପକ୍ଷ ଚୁପ୍‌ ବସିଛନ୍ତି। ବିଭାଗରେ ମଡୁଲାର ଓଟି ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପୁରୁଣା ଓଟିରେ ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ରେଟିନାର ଚିକିତ୍ସା ପାଇଁ ଫାକୋ ମେସିନ୍‌ ଆସିଥିଲେ ବି ଏଥିପାଇଁ ସ୍ବତନ୍ତ୍ର ଓଟି ନିର୍ମାଣ କରାଗଲାନି। ଯାହାଫଳରେ ପୁରୁଣା ଓଟିରେ ଫାକୋ ମେସିନ୍‌ ବସାଯାଇ କାମଚଳା ଭିତ୍ତିରେ ଚଲାଯାଉଛି। ଅନ୍ୟପକ୍ଷରେ ମୋତିଆବିନ୍ଦୁ ସର୍ଜରୀ ପାଇଁ ଫାକୋ ମେସିନ୍‌ କିମ୍ବା ପେରିମେଟ୍ରି ମେସିନ୍‌ ଦୀର୍ଘ ବର୍ଷରୁ ବିଭାଗରେ ଉପଲବ୍ଧ ନାହିଁ। ବାରମ୍ବାର ଏହା ଉପରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଏହା ଉପରେ ସବିଶେଷ ରିପୋର୍ଟ ଲୋଡାଯାଇଛି। ଯଦି ଏମ୍‌ସିଆଇର ପରବର୍ତ୍ତୀ ପରିଦର୍ଶନ ପୂର୍ବରୁ ବିଭାଗର ଉକ୍ତ ସମସ୍ୟାଗୁଡିକର ସମାଧାନ ନକରାଯାଏ, ତାହେଲେ ପିଜି ସିଟ୍‌ ମଞ୍ଜୁରୀ ପ୍ରତ୍ୟାହାର ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର