କଟକ : ଏସ୍ସିବି ମେଡିକାଲ୍ କଲେଜର ହେପାଟୋଲୋଜି ବିଭାଗକୁ ଦୁଇଟି ଡିଏମ୍ ସିଟ୍ ମିଳିଛି। ଏନେଇ ମେଡିକାଲ୍ କାଉନସିଲ ଅଫ ଇଣ୍ତିଆ (ଏମ୍ସିଆଇ) ପକ୍ଷରୁ ଏସ୍ସିବି ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି। ଫଳରେ ଆସନ୍ତା ଶିକ୍ଷାବର୍ଷଠୁ ଏହି ଦୁଇ ସିଟ୍ରେ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ବିଭାଗରେ ଆଇସିୟୁ ଖୋଲିବା ସହ ଫାଇବ୍ରୋସ୍କାନ ଓ ଇଆର୍ସିପି (ଏଣ୍ତୋସ୍କୋପିକ୍ ରେଟ୍ରୋଗ୍ରେଡ୍ କୋଲାଞ୍ଜିଓ ପାନ୍କ୍ରିଆଟୋଗ୍ରାଫି) ର କେତେକ ଯନ୍ତ୍ରା˚ଶ ଆଣିବା ପାଇଁ ଏମ୍ସିଆଇ ସର୍ତ୍ତମୂଳକ ଅନୁମତି ସହ ଏସବୁ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ନାମଲେଖା ହେବାପରଠୁ ତିନିବର୍ଷ ପର୍ଯ୍ୟନ୍ତ ସିଟ୍ର ବୈଦ୍ଧତା ସ˚କ୍ରାନ୍ତରେ ଏମ୍ସିଆଇ ପ୍ରତିନିଧି ଅନୁଧ୍ୟାନ କରିବାକୁ ଆସିବେ। ସଫଳତାର ସହ ତିନିବର୍ଷ ଅତିକ୍ରମ କରିବା ପରେ ପରବର୍ତ୍ତୀ ୫ବର୍ଷ ପରେ ପୁନଃ ଯାଞ୍ଚ ପାଇଁ ଏଠାକୁ ଆସିବେ ବୋଲି ମେଡିକାଲ୍ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ବିଭାଗରେ ଡିଏମ୍ ସିଟ୍ ଖୋଲିବା ପାଇଁ ୨୦୧୩-୧୪ ମସିହାଠୁ ପ୍ରୟାସ ଆରମ୍ଭ ହୋଇଥିଲା। ହେଲେ ଆବଶ୍ୟକ ଡାକ୍ତର ଓ ଅନ୍ୟାନ୍ୟ ଯନ୍ତ୍ରା˚ଶ ଅଭାବରୁ ବିଭାଗର ଆବେଦନକୁ ଅଗ୍ରାହ୍ୟ କରିଦିଆଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ଅଧିକା˚ଶ ଆବଶ୍ୟକତା ପୂରଣ ହୋଇଯିବାରୁ ବିଭାଗକୁ ସିଟ୍ ମିଳିପାରିଛି। ବର୍ତ୍ତମାନ ବିଭାଗରେ ଜଣେ ଲେଖାଏଁ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଥିଲାବେଳେ ୩ଜଣ ରେସିଡେଣ୍ଟ ଡାକ୍ତର ଅଛନ୍ତି। ଏହାବ୍ୟତୀତ ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ବିଭିନ୍ନ ଯନ୍ତ୍ରା˚ଶ ଓ ୩୬ ବେଡ୍ ରହିଛି। ବିଭାଗର ଆବେଦନ ଉପରେ ଭିତ୍ତିଭୂମି ଯାଞ୍ଚ କରିବାକୁ ଏମ୍ସିଆଇ ଦଳ ଆସିଥିଲାବେଳେ ସନ୍ତୋଷ ବ୍ୟକ୍ତ କରିଥିଲା। ତେବେ ସୁପରସ୍ପେଶାଲିଟି ବିଭାଗର ହୋଇଥିଲେ ବି ଏହାର ଆଇସିୟୁ ନଥିବାରୁ ପ୍ରତିନିଧି ଦଳ ଉଦ୍ବେଗ ପ୍ରକାଶ କରିଥିଲା। ଏବେ ସର୍ତ୍ତମୂଳକ ଅନୁମତି ପତ୍ରରେ ମଧ୍ୟ ତୁରନ୍ତ ୪ବେଡ୍ ବିଶିଷ୍ଟ ଆଇସିୟୁ ଖୋଲିବାକୁ କୁହାଯାଇଛି। ବିଭାଗରେ ଥିବା ବେଡ୍ଗୁଡିକ ମଧ୍ୟରୁ ୪ଟି ବେଡ୍କୁ ପ୍ରାଥମିକ ପର୍ଯ୍ୟାୟରେ ଆଇସିୟୁରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଲିଭରର ସ୍ଥିତି ବିଷୟରେ ପରୀକ୍ଷା ପାଇଁ ଫାଇବ୍ରୋସ୍କାନ ମେସିନ୍ ଏଠାରେ ନାହିଁ। ସ୍ଥାୟୀ ଭାବେ ଏକ ଫାଇବ୍ରୋସ୍କାନ ମେସିନ୍ ଅଣାଯିବାକୁ କୁହାଯାଇଛି। ସେହିପରି ଇଆର୍ସିପି ପାଇଁ କେତେକେ ଯନ୍ତ୍ରା˚ଶ ନଥିବାରୁ ସେଗୁଡିକୁ ଶୀଘ୍ର ଆଣିବାକୁ କୁହାଯାଇଛି। ବର୍ଷେ ପରେ ଯଦି ଉକ୍ତ ସର୍ତ୍ତଗୁଡିକ ପାଳନ କରିବାରେ ବିଭାଗ ଅସମର୍ଥ ହୁଏ, ତାହେଲେ ସିଟ୍ ପ୍ରତ୍ୟାହାର କରିନିଆଯିବ ବୋଲି ଅବଗତ କରାଯାଇଛି।
ମେଡିକାଲ୍ରେ ବର୍ତ୍ତମାନ ସୁଦ୍ଧା ୧୫ଟି ସୁପରସ୍ପେଶାଲିଟି ବିଭାଗ ରହିଥିଲାବେଳେ ସେଗୁଡିକ ମଧ୍ୟରୁ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ତୋକ୍ରାଇନୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋସର୍ଜରୀ, ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ ସର୍ଜରୀ, ସିଟିଭିଏସ୍ ବିଭାଗରେ ୩୯ଟି ଡିଏମ୍ ଓ ଏମ୍ସିଏଚ୍ ସିଟ୍ରେ ନାମ ଲେଖାଯାଉଛି। ଆସନ୍ତା ଶିକ୍ଷାବର୍ଷଠୁ ହେପାଟୋଲୋଜି ବିଭାଗର ଦୁଇଟି ସିଟ୍ରେ ନାମଲେଖାଯିବ। କ୍ଲିନିକାଲ ହେମାଟୋଲୋଜି, ଏଣ୍ତୋକ୍ରାଇନ୍ ସର୍ଜରୀ, ଗ୍ୟାଷ୍ଟ୍ରୋ ସର୍ଜରୀ, ରୁମାଟୋଲୋଜି ବିଭାଗରେ ଡିଏମ୍/ଏମ୍ସିଏଚ୍ ସିଟ୍ ଖୋଲାଯାଇପାରିନାହିଁ।