ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୫-ଟି ସଚିବଙ୍କ ନେତୃତ୍ବରେ ସମୀକ୍ଷା
ଫେବ୍ରୁଆରି ୨୮ ସୁଦ୍ଧା ଜମି ଅଧିଗ୍ରହଣ
କ୍ଷତିଗ୍ରସ୍ତଙ୍କୁ ମିଳିବ ପ୍ୟାକେଜ୍, ୨୫ ଏକର ଆସିବ
ତାଳଦଣ୍ଡା କେନାଲ-ଡାକ୍ତରଖାନା ରାସ୍ତା ୩ ଲେନ୍, ନିର୍ମାଣ ହେବ ୨ଟି ଓଭରବ୍ରିଜ
ଭୁବନେଶ୍ବର/କଟକ : ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ। ଗୁରୁବାର ମୁଖ୍ୟମନ୍ତ୍ରୀ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହାର ସମୀକ୍ଷା କରିବା ସହ ଭିତ୍ତିଭୂମି ପରିଦର୍ଶନ କରିବେ। ଏଥିସହ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବା ହାଡ଼ିଆପଠା ଅଞ୍ଚଳ ବି ପରିଦର୍ଶନ କରିବେ। ଏହାପରେ ଆରମ୍ଭ ହେବ ଏସ୍ସିବିକୁ ବିଶ୍ବସ୍ତରୀୟ ଅନୁଷ୍ଠାନ କରାଯିବାର କାର୍ଯ୍ୟକ୍ରମ। ଉକ୍ତ ଯୋଜନା ଆଧାରରେ ଆସନ୍ତା ଫେବ୍ରୁଆରି ୨୮ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯାଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ସମୀକ୍ଷା ପୂର୍ବରୁ ଆଜି ୫-ଟି ସଚିବ ଭି. କାର୍ତ୍ତେକେୟନ୍ ପାଣ୍ଡିଆନ୍ଙ୍କ ନେତୃତ୍ବରେ ସଚିବସ୍ତରୀୟ ଟିମ୍ କଟକରେ ପହଞ୍ଚି ଏସ୍ସିବି ବିକାଶ ଯୋଜନାର ରୂପରେଖ ପ୍ରସ୍ତୁତିକୁ ବୁଲି ଦେଖିଛନ୍ତି। ଏହି ଟିମ୍ ଆଜି ଭୋର୍ ୪ଟା ୪୫ରେ କଟକରେ ପହଞ୍ଚି ସି-ସୋର୍ପଠା, ହାଡ଼ିଆପଠା ବା ମହାନଦୀପଠା ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ନୌବାଣିଜ୍ୟ ସଂଗ୍ରହାଳୟକୁ ଯାଇ ଏହି ଟିମ୍ ଏସ୍ସିବି ପାଇଁ ଥିବା ଯୋଜନା ଓ ତାହାର ରୂପରେଖ ସଂପର୍କରେ ସମୀକ୍ଷା କରିଥିଲେ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନ୍ କଟକରେ ପ୍ରସ୍ତାବିତ ଏହି ବିଶ୍ବସ୍ତରୀୟ ମେଡିକାଲ କଲେଜର ଚୂଡାନ୍ତ ନକ୍ସା ଦେଖିଥିଲେ। ଆଜି ରାତି ସୁଦ୍ଧା ଜିଲ୍ଲାପାଳ ଓ ଆର୍ଡିସିକୁ ଜମି ଅଧିଗ୍ରହଣ ପ୍ରସ୍ତାବ େଦବାକୁ କୁହାଯାଇଛି। ବିଶ୍ବସ୍ତରୀୟ ଚିକିତ୍ସାଳୟ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳସଂପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର କ୍ବାର୍ଟର୍ସ ଉଚ୍ଛେଦ ହେବ। ଏହି ପ୍ରକ୍ରିୟାରେ ୧୩ଜଣ ଡାକ୍ତର ସରକାରୀ ଘର ହରାଇବେ। ତେବେ ଯେଉଁମାନଙ୍କୁ ଉଚ୍ଛେଦ କରାଯିବ, ସେମାନଙ୍କୁ ସରକାର ଅନ୍ୟତ୍ର ରଖିବାର ବ୍ୟବସ୍ଥା କରିବେ। ସେହିଭଳି କ୍ଷତିଗ୍ରସ୍ତମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯିବ।
ଏହି ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିଭଳି ତାଳଦଣ୍ଡା କେନାଲବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବ। ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ।
୫-ଟି ସଚିବଙ୍କ ସହିତ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ଗୃହ ଏବଂ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍, ରାଜ୍ୟ ସେତୁ ନିଗମ ପରିଚାଳନା ନିର୍ଦ୍ଦେଶକ ଇଂ. ଜୟକୃଷ୍ଣ ଦାସ, ଆର୍ଡିସି ଶ୍ରୀ ସାମଲ, ପୁଲିସ କମିଶନର ଶୁଭ୍ରାଂଶୁ ଷଡ଼ଙ୍ଗୀ, ଏସ୍ସିବି ପ୍ରନ୍ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ, ଜିଲ୍ଲାପାଳ ଶ୍ରୀ ଚୟନୀ, ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
ସକାଳେ ନୌବାଣିଜ୍ୟ ସଂଗ୍ରହାଳୟରେ ସମୀକ୍ଷା ବୈଠକ ପରେ ଏହି ଟିମ୍ ମହାନଦୀପଠାକୁ ଯାଇ ପ୍ରକଳ୍ପ ଲାଗି ସ୍ଥାନ ଅନୁଧ୍ୟାନ କରିଥିଲେ। ନବକଳେବର ଯୋଜନାରେ ଜଳସମ୍ପଦ କାର୍ଯ୍ୟାଳୟ, ବୋସ୍ ଖେଳପଡ଼ିଆ, ଏସ୍ସିବି ଖେଳପଡ଼ିଆ, ମତ୍ସ୍ୟ ନିର୍ଦ୍ଦେଶାଳୟ, ୫ଟି ବସ୍ତି, ପ୍ରଫେସର୍ସ୍ କ୍ବାର୍ଟର ସହ ଅନେକ ଅନୁଷ୍ଠାନ ଉଠିବ ଓ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଏହି କାରଣରୁ ଏସ୍ସିବି ଖେଳପଡ଼ିଆ ଓ ବୋସ୍ ଖେଳପଡ଼ିଆକୁ ହାଠିଆପଠାକୁ ସ୍ଥାନାନ୍ତରଣ କରାଯିବ। ଏଥିପାଇଁ ସେଠାରେ ବର୍ତ୍ତମାନ ୪୨୧ ଏକର ଜମିର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଡାକ୍ତରଖାନା ପଟୁ ହାଡ଼ିଆପଠାକୁ ଓଭର ବ୍ରିଜ୍ କରାଯିବାର ମଧ୍ୟ ଯୋଜନା ରହିଛି।
ସୂଚନା ମୁତାବକ, କଟକ ବଡ଼ଡ଼ାକ୍ତରଖାନା ନିକଟରେ ବର୍ତ୍ତମାନ ୮୭.୩୨ଏକର ଜମି ଥିବାବେଳେ ଉନ୍ନତୀକରଣ ଓ ଆଧୁନିକୀକରଣ ପାଇଁ ଅଧିକ ୫୦ଏକର ଜମିର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିଶ୍ବସ୍ତରୀୟ ମାନ୍ୟତା ପାଇଁ ଅନେକ ସରକାରୀ କାର୍ଯ୍ୟାଳୟ, ଖେଳପଡିଆ, ୫ଟି ବସ୍ତି, ବେହେରା କଲୋନି, ସୁଇପର କଲୋନି, ପ୍ରଫେସର୍ସ୍ କ୍ବାର୍ଟର୍ସବୁ ଭଙ୍ଗାଯିବାର ଯୋଜନା ରହିଛି। ଭଙ୍ଗାଯିବାକୁ ଥିବା ଅନୁଷ୍ଠାନ ଓ ଲୋକଙ୍କୁ ଥଇଥାନ କରାଯିବା ସଂପର୍କରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ଉକ୍ତ ଯୋଜନା ଆଧାରରେ ଆସନ୍ତା ଫେବ୍ରୁଆରି ୨୮ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯାଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିଭଳି ତାଳଦଣ୍ଡା କେନାଲବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗସ୍ତ କରି ସମୀକ୍ଷା କରିବା ପରେ ଏ ସମ୍ପର୍କରେ ବଡ଼ ଘୋଷଣା କରିବେ ବୋଲି ସୂଚନା ମିଳିଛି।
ପୁରୀ ଶ୍ରୀମନ୍ଦିର ବିକାଶ ପରେ କଟକ ବଡ଼ ମେଡ଼ିକାଲ ବିକାଶ (ଏମ୍ସ ପ୍ଲସ୍ ପାହ୍ୟା ଉନ୍ନତୀକରଣ କରାଯିବ) କାର୍ଯ୍ୟକୁ ରାଜ୍ୟ ସରକାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଭାବେ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନଭେମ୍ବର ମାସରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ବିଶ୍ବର ପ୍ରଥମ ତିନିଟି ମେଡିକାଲ କଲେଜ ମଧ୍ୟରୁ ଏହା ଅନ୍ୟତମ ହେବ ବୋଲି ସରକାରଙ୍କ ପକ୍ଷରୁ ସେତେବେଳେ କୁହାଯାଇଥିଲା। ୩୦୦୦ ଶଯ୍ୟା ବିଶିଷ୍ଟ ପ୍ରସ୍ତାବିତ ଏହି ମେଡିକାଲ କଲେଜ ପାଇଁ ୧୦୦୦ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଅନୁଷ୍ଠିତ ଏକ ସଭାରେ ଘୋଷଣା କରିଥିଲେ।